ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ନାବାଳକ ଗିରଫ

ହାଟଡିହି : ସ୍ବାମୀ ସହଯୋଗରେ ସ୍ତ୍ରୀକୁ ଦୁଷ୍କର୍ମ ଘଟଣା କେନ୍ଦୁଝର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଆଜି ପୁଣି ଜଣେ ତୃତୀୟ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇ ସଂକଟାପନ୍ନ ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛି। ଏଭଳି ଅଭାବନୀୟ ଘଟଣା ଘଟିଛି ହାଟଡିହି ବ୍ଲକ ଶାସଙ୍ଗ ଅଞ୍ଚଳରେ। ପୀଡ଼ିତା ନାବାଳିକାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ନନ୍ଦିପଦା ପୁଲିସ ଅଭିଯୁକ୍ତ ନାବାଳକକୁ ଗିରଫ କରିଛି। ସେ ନବମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ନାବାଳିକାଙ୍କ ବାପା-ମା’ ନଥିବାରୁ ସେ ନିଜ ସମ୍ପର୍କୀୟ ମଉସା ଘରେ ରହି ପାଠ ପଢ଼େ। ନାବାଳିକାର ମଉସା ଅଭିଯୁକ୍ତ ନାବାଳକଙ୍କ ଦାଦାଘରେ ଭଡ଼ା ରହିବା ସହ ଏକ ଗ୍ୟାରେଜ କରି ପରିବାର ଚଳାଉଛନ୍ତି। ଆଜି ଦିନ ପ୍ରାୟ ସାଢେ ୨ଟା ବେଳେ ଘରେ ସମସ୍ତେ ଶୋଇଥିବା ବେଳେ ନାବାଳିକା ଜଣଙ୍କ ଟିଭି ଦେଖୁଥିଲା। ଏତିକିବେଳେ ନାବାଳକ ଜଣକ ଟିଭି ଦେଖିବା ବାହାନାରେ ଘରକୁ ଆସି ନାବାଳିକାକୁ ଦୁଷ୍କର୍ମ କରିଥିଲା। ଏହି ସମୟରେ ସାହିର ଜଣେ ଛୋଟପିଲା ଘର ଭିତରକୁ ପଶି ଆସିଥିଲା। ଘଟଣା ଦେଖି ଜୋର୍‌ରେ ପାଟି କରିବାରୁ ପରିବାର ଲୋକେ ଉଠି ପଡ଼ିଥିଲେ। ନାବାଳକ ଜଣକ ସେଠାରୁ ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାକୁ କାବୁ କରି ଗଛରେ ବାନ୍ଧି ପକାଇଥିଲେ। ଏ ନେଇ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ତାକୁ ଥାନାକୁ ନେଇଛି। ଏ ନେଇ ନାବାଳିକାଙ୍କ ମଉସା ନନ୍ଦିପଦା ଥାନାରେ ଏତଲା ଦେଇଛନ୍ତି। ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରବଳ ରକ୍ତସ୍ରାବ ଯୋଗୁଁ ତାଙ୍କ ଅବସ୍ଥା ସଂକଟାପନ୍ନ ଅଛି।

ସମ୍ବନ୍ଧିତ ଖବର