ରାସ୍ତା ପ୍ରସସ୍ତିକରଣ ପାଇଁ ମାପଚୁପ ସମୟରେ ତହସିଲଦାରଙ୍କୁ ଆକ୍ରମଣ, ଜଣେ ଗିରଫ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ପ୍ରସସ୍ତିକରଣ ପାଇଁ ମାପଚୁପ କାର୍ଯ୍ୟ ତଦାରଖ କରୁଥିବା ସମୟରେ ମାଜିଷ୍ଟ୍ରଟ୍‌ ଦାୟିତ୍ୱରେ ଥିବା ତହସିଲଦାରଙ୍କୁ ଜୈନିକ ବ୍ୟକ୍ତି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ସାର୍ଟ କଲର ଧରି  ଟାଣି ଆଣି ଥିବା ନେଇ ଧର୍ମଗଡ ଥାନାରେ ଅଭିଯୋଗ ହୋଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାଯାଏ ଯେ ଆଜି ଦିନ ପ୍ରାୟ ୧୧ଟା ସମୟରେ ଧର୍ମଗଡ଼ ଖେଳପଡିଆ ନିକଟରେ ରାସ୍ତା ପ୍ରସସ୍ତିକରଣ ପାଇଁ ହେଉଥିବା ମାପଚୁପକୁ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଧର୍ମଗଡ ତହସିଲଦାର ହରେକୃଷ୍ଣ ବରିହା ନିଜ କର୍ମଚାରୀ ମାନଙ୍କ ସହ ତଦାରଖ କରୁଥିଲେ।  ଏହି ସମୟ ରେ ହଠାତ ତରୁଣ ପ୍ରକାଶ ଭୋଇ (୭୧) ନାମକ ଜଣେ ଜୈନିକ ବ୍ୟକ୍ତି ଏକ ବାଇକ୍‌ରେ ଆସି କାର୍ଯ୍ୟରତ ତହସିଲଦାର ଶ୍ରୀ ବରିହାଙ୍କୁ ଅତର୍କିତ ଆକ୍ରମଣ କରିବା ସହିତ ସାର୍ଟ କଲର ଧରି ଟାଣିଆଣିବା  ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହାକୁ ନେଇ ସେଠାରେ ଏକ ଅପ୍ରତିକର ପରିସ୍ଥିତି ଦେଖାଯାଇଥିଲା ।

ନିକଟରେ ଥିବା ପୁଲିସ ଓ ତହସିଲ କର୍ମଚାରୀ ଘଟଣାସ୍ଥଳକୁ ତୁରନ୍ତ ପହଂଚି ଶ୍ରୀ ଭୋଇଙ୍କୁ କାବୁ କରିଥିଲେ । ଏ ସଂପର୍କରେ ତହସିଲଦାର ଶ୍ରୀ ବରିହାଙ୍କ ଏତଲା କ୍ରମେ ଧର୍ମଗଡ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିିଛି।

ସମ୍ବନ୍ଧିତ ଖବର