ମାସ୍କ ପିନ୍ଧି ନ ଥିଲେ ବୋଲି ଚାଷୀଙ୍କୁ କାନଧରି ଉଠ୍‌ବସ୍ କଲେ ତହସିଲଦାର, ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

କିଶୋରନଗର : ଅନୁଗୁଳ ଜିଲ୍ଲା କିଶୋରନଗର ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁ ଭଲ ଭାବେ ମାକ୍ସ ପିନ୍ଧି ନଥିବା ଦୁଇ ଜଣ ଚାଷୀଙ୍କୁ ବିଚ୍ ରାସ୍ତାରେ କାନଧରି ଉଠ୍‌ବସ୍ କରାଇଛନ୍ତି। ତହସିଲଦାରଙ୍କ ଏଭଳି ଆଚରଣରେ ବ୍ୟଥିତ ଚାଷୀ ମାଗୁଣି ସାହୁ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି।

କିଶୋରନଗର ପାଖ ପଣ୍ଡିରିପଥର ଗ୍ରାମର ଚାଷୀ ମାଗୁଣି ସାହୁ(୪୫) ଅଭିଯୋଗ କରିଛନ୍ତି ଯେ ଗତ ୭ ତାରିଖ ଶନିବାର ଦିନ ପ୍ରାୟ ସାଢ଼େ ୧୨ଟା‌ରେ ସେ ତାଙ୍କ ଗ୍ରାମର ସୁଶାନ୍ତ ରଣା ନାମକ ଅନ୍ୟ ଜଣେ ଚାଷୀଙ୍କ ସହ ଧାନବିଲରୁ ଘରକୁ ଫେରୁଥିଲେ। ସେମାନେ କିଶୋରନଗର କଲେଜ ନିକଟ ଦେଇ ଯାଉଥିବା ବେଳେ କିଶୋରନଗର ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁ ସେଠାରେ ମାସ୍କ ଯାଂଚ କରୁଥିଲେ। ମାସ୍କ ନାକ ତଳକୁ ଟିକେ ଖସି ଯାଇଥିବାରୁ ‘ଶଃ..ଠିକ୍ ଢଂଗରେ ମାକ୍ସ କାହିଁକି ପିନ୍ଧୁନ’ ବୋଲି କହି ଗାଳିଦେବା ସହିତ ୫ଶହ ଟଙ୍କା ଜରିମାନା କରିଥିଲେ। ମାତ୍ର ତାଙ୍କ ନିକଟରେ ସେତେବେଳେ ଟଙ୍କାଟିଏ ବି ନଥିଲା। ଜରିମାନା ଦେବାକୁ ନିଜର ଅସମର୍ଥତା ଜଣାଇବାରୁ ତହସିଲଦାର ଉତ୍ତ୍ୟକ୍ତ ହୋଇ ତାଙ୍କୁ ଗାଳିଗୁଲଜ କରି ସର୍ବସାଧାରଣରେ କାନଧରି ଉଠବସ୍‌ କରାଇଥିଲେ। ସର୍ବସମକ୍ଷରେ ସୁଶାନ୍ତ ୧୦ ଓ ମାଗୁଣି ୮ ଥର ଉଠ୍‌ବସ୍ ହୋଇଥିଲେ।

ଏହି ଘଟଣା ପରେ ମାଗୁଣି ଘରକୁ ଫେରିବା ପରେ କାହାକୁ କିଛି ନକହି ଖିଆପିଆ କରିନଥିଲେ। ପରେ କିନ୍ତୁ ଗାଁ ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ସେମାନଙ୍କ ପରାମର୍ଶକ୍ରମେ ନ୍ୟାୟ ପାଇଁ ଆଜି କିଶୋରନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ କିଶୋରନଗର ତହସିଲଦାର ଶ୍ରୀ ସାହୁଙ୍କ ମତାମତ ପାଇଁ ଫୋନ ଯୋଗେ ତାଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନଥିଲେ। ତେବେ ଏଥିନେଇ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ସେ କହିଲେ, ଏଭଳି ଏକ ସିସିଟିଭି ଭିଜୁଆଲ୍‌ ଆମ ପାଖକୁ ଆସିଛି। ଏହାର ସତ୍ୟାସତ୍ୟ ତଦନ୍ତ ପାଇଁ ଆଠମଲ୍ଲିକ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିବା ପରେ ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର