କୋରାପୁଟ: କେବେ ପଡାଗ୍ରାମ ହେବ ରାଜସ୍ବଗ୍ରାମ! ମା‌ସେ ନୁହେଁ କି ଦୁଇ ମାସ ନୁହେଁ ଘୋଷଣାକୁ ୧୩ ମାସ ବିତିଲାଣି। କିନ୍ତୁ କୋରାପୁଟ ଜିଲ୍ଲାରେ ରହିଥିବା ପଡାଗ୍ରାମକୁ ରାଜସ୍ବ ଗ୍ରାମ ମାନ୍ୟତା ଦିଆଯାଇପାରିନି। କେବେଳ ବୈପାରିଗୁଡାର ୫୫ଟି ପଡାଗ୍ରାମ ଓ ପଟାଙ୍ଗୀର ୨୨ଟି ପଡାର ସର୍ଭେ ଶେଷ ହୋଇଥିବାବେଳେତ ୧୪ଟି ବ୍ଲକର ଅଧାରୁ ଅଧିକ ବ୍ଲକରୁ ତଥ୍ୟ ଦେଉନାହାନ୍ତି ତହସିଲଦାର। ଫଳରେ କୋରାପୁଟ ଜିଲ୍ଲାରେ ରାଜସ୍ବଗ୍ରାମ ହେବା ଶଙ୍କା ପ୍ରକାଶ ପାଇଛି। ତତ୍କଳୀନ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ କୋରାପୁଟ ଗସ୍ତକୁ ୧୩ ମାସ ପୁରିଛି। ହେଲେ ଏବେଯାଏ ରାଜସ୍ବ ଗ୍ରାମ ଘ‌ୋଷଣାନେଇ କୌଣସି ଯୋଜନା ସମ୍ମୁଖକୁ ଆସୁନାହିଁ। ଫଳରେ କୋଟିଆର ୧୨ ପଡା ସହ କୋରାପୁଟ ଜିଲ୍ଲାର ୧୪ଟି ବ୍ଲକରେ ରହିଥିବା ଶତାଧିକ ପଡା କେବେ ରାଜସ୍ବ ଗାଁ ହେବତାହାକୁ ନେଇ ସନ୍ଦେହ ବଢିଛି।

Advertisment

୨୦୨୧ ମସିହା ସେପ୍ଟ‌େମ୍ବର ମାସରେ କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିଲେ ତତ୍କଳୀନ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ। କୋଟିଆ ସହ ଜିଲ୍ଲାର କୋଣଅନୁକୋଣ ବୁଲି ଜିଲ୍ଲାର ସମୀକ୍ଷା କରିଥିଲେ। ସେହି ସମୟରେ କୋଟିଆର ୧୨ଟି ପଡା ସହ କୋରାପୁଟ ଜିଲ୍ଲାର ଶତାଧିକ ପଡାକୁ ଦିଆଯିବ ରାଜସ୍ୱ ଗ୍ରାମର ମାନ୍ୟତା ବୋଲି ସେ ଘୋଷଣା କରିଥିଲେ। ଫଳରେ କୋଟିଆର ୧୨ଟି ପଡା‌ ଯଦି ରାଜସ୍ବ ଗ୍ରାମର ମାନ୍ୟତା ପାଏ ତେବେ ଆନ୍ଧ୍ରକୁ ଏହା ଏକ ଚେକ୍‌ମେଟ ହେବବୋଲି ଆଲୋଚନା ହେଉଥିଲା।

ସେ ସେହିବର୍ଷ ଡିସେମ୍ବର ପୂର୍ବରୁ ଏହି ପଡା ଗ୍ରାମଗୁଡିକୁ ରାଜସ୍ୱ ଗାଁ ଭାବେ ମାନ୍ୟତା ଦିଆଯିବ ବୋଲି ଘୋ‌ଷଣା କରିଥିଲେ। ସେଥିପାଇଁ ଜିଲ୍ଲାରେ ରହିଥିବା ରାଜସ୍ୱ ଅଧିକାରୀ ଓ ସମ୍ପୃକ୍ତ ପଡାବାସୀଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ଦୃଢୋକ୍ତି ପ୍ରକାଶ କରିଥିଲେ। ତେବେ ଶ୍ରୀ ସେଠୀ ଏବେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସଚିବ ଭାବେ ଦାୟିତ୍ବ ତୁଲାଉଥିବାବେଳେ ତାଙ୍କ ସ୍ଥାନରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ସତ୍ୟବ୍ରତ ସାହୁ ରହିଛନ୍ତି। ତେବେ ସଚିବଙ୍କ ଅଦଳବଦଳ ପରେ କୋରାପୁଟବାସୀଙ୍କ ପାଇଁ ଦିଆଯାଇଥିବା କଥା ସରକାର ଭୁଲି ଯାଇଥିବା ଦେଖିବାକୁ ମିଳିଛି। ତେବେ କୋଟିଆ ଗ୍ରାମପୁଞ୍ଜର ଉପର ବରାବନ୍ଦ, କରଞ୍ଜଗୁଡା, ଟାଉପଦର, ଫୁଲ ପଦର, ସାଲେମପଦର, କୋଡିଆମ୍ବ, ତଳଗଞ୍ଜେଇପଦର, କୁବୁଡି ପଦର, ଜାନିଗୁଡା, ପାନକୁ ବାଲସା, ଝାଙ୍କରବାଲସା ଓ ତଳପନିକି ପରି ପଡାଗ୍ରାମସହ ଜିଲ୍ଲାର ୧୪ଟି ବ୍ଲକରେ ରହିଥିବା ଶତାଧିକ ପଡା ଗ୍ରାମକୁ ରାଜସ୍ୱ ଗ୍ରାମ ଭାବେ ପରିଗଣିତ କରିବାକୁ ବ୍ୟବସ୍ଥା ଗ୍ରହଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା

ଏନେଇ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ବର ପ୍ରଧାନ କହିଛନ୍ତି ଯେ ସବୁ ତହସିଲରୁ ତଥ୍ୟ ମଗାଯାଇଛି। ବୈପାରିଗୁଡା ଓ ପଟାଙ୍ଗୀ ସହ ପ୍ରାୟ ସବୁ ବ୍ଲକ ଓ ତହସିଲ ଅଞ୍ଚଳରେ ସର୍ଭେ କାର୍ଯ୍ୟ ଶେଷହୋଇଛି। ରିପୋର୍ଟ ଆସିବାପରେ ପରବର୍ତ୍ତୀ ପଦ‌କ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।