ବାରି ଜଳପ୍ରପାତକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଁ ପ୍ରସ୍ତାବ ପଠାଇଲେ ତହସିଲଦାର

ନାରାୟଣପାଟଣା: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ଅନ୍ତର୍ଗତ ତଳଗୁମାଣ୍ଡି ପଞ୍ଚାୟତର ବାରି ଗ୍ରାମରେ ରହିଛି ବୃହତ୍ ଜଳପ୍ରପାତ। ଲୁକ୍କାୟିତ ଅବସ୍ଥାରେ ରହିଥିବା ଏହି ଜଳପ୍ରପାତ ଗତବର୍ଷ ଲୋକଲୋଚନକୁ ଆସିଥିଲା। ତେବେ ଉକ୍ତ ଜଳପ୍ରପାତ ଦେଖିବାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଥିବାରୁ ଏହାକୁ ପର୍ଯ୍ୟଟନସ୍ଥଳୀ କରିବା ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ନାରାୟଣପାଟଣା ତହସିଲଦାର ଏନ୍.ଜଗଜୀବନ ଚୌଧୁରୀ ଏହି ଜଳପ୍ରପାତକୁ ଚିହ୍ନଟ କରିବା ସହ ଏହା ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିବାରୁ ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରାଯାଇପାରିବ ବୋଲି କୋରାପୁଟ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ପ୍ରସ୍ତାବ ପଠାଇଥିବା ଜଣାପଡ଼ିଛି।

ନାରାୟଣପାଟଣା ବ୍ଲକ୍ ଅନ୍ତର୍ଗତ ତଳଗୁମାଣ୍ଡି ପଞ୍ଚାୟତ ସଦରରୁ ପ୍ରାୟ ୭ କିମି ଦୂରରେ ରହିଛି ବାରି ଗ୍ରାମ। ଆଉ ବାରି ଗ୍ରାମରୁ ପ୍ରାୟ ୨ କିମି ଦୂରରେ ରହିଛି ବୃହତ୍ ଜଳପ୍ରପାତ। ପୂର୍ବେ ଏହି ଅଞ୍ଚଳକୁ ରାସ୍ତା ନଥିବାରୁ ଏଭଳି ପ୍ରାକୃତିକ ସୌନ୍ଦର୍ଯ୍ୟ ଗୁଡ଼ିକ ଲୁଚି ରହୁଥିଲା। ତେବେ ଗତ କିଛି ବର୍ଷ ହେଲା ଏହି ଅଞ୍ଚଳକୁ ପକ୍କା ରାସ୍ତା ନିର୍ମାଣ ହେବା ପରେ ଗମନାଗମନ ସୁବିଧା ହୋଇଥିଲା। ଏବଂ ଲୋକେ ଯାତାୟାତ ବେଳେ ଲୁକ୍କାୟିତ ଅବସ୍ଥାରେ ରହିଥିବା ଏହି ଜଳପ୍ରପାତ ଲୋକଲୋଚନକୁ ଆସିପାରିଥିଲା। ବର୍ତ୍ତମାନ ଏହି ଜଳପ୍ରପାତ ନିକଟକୁ ନାରାୟଣପାଟଣା ସହ ସେମିଳିଗୁଡ଼ା, ଦାମନଯୋଡ଼ି ଅଞ୍ଚଳରୁ ଲୋକେ ସିଧାସଳଖ ଯାଇପାରୁଛନ୍ତି। ତେବେ ଏହି ଜଳପ୍ରପାତ ସଂପର୍କରେ ତହସିଲଦାର ପଠାଇଥିବା ଚିଠିରେ ଉଲ୍ଲେଖ ଅନୁସାରେ ତଳଗୁମାଣ୍ଡି ପଞ୍ଚାୟତର ବାରି ଗ୍ରାମ ନିକଟରେ ରହିଛି ବୃହତ୍ ଜଳପ୍ରପାତ।

ଏହି ଜଳପ୍ରପାତ ବର୍ତ୍ତମାନ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଛି। ତେଣୁ ଏହାକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପ୍ରଦାନ କରାଯାଇପାରିବ। ଯଦି ପର୍ଯ୍ୟଟନସ୍ଥଳୀ ମାନ୍ୟତା ପ୍ରଦାନ କରାଯାଏ ତାହାହେଲେ ଏହାର ବିକାଶ ସହ ଏଠାରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଜଳପ୍ରପାତ ନିକଟରେ ସୁରକ୍ଷା ବାଡ଼, ପାହାଚ ଆଦି ନିର୍ମାଣ କରାଯିବାର ଆବଶ୍ୟକତା ରହିଛି। ସେହିପରି ବାହାର ଅଞ୍ଚଳରୁ ଆସୁଥିବା ପର୍ଯ୍ୟଟକ ମାନେ ରାତ୍ରୀ ଯାପନ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ନିମନ୍ତେ ତହସିଲ ପକ୍ଷରୁ ଜାଗା ଚିହ୍ନଟ କରାଯାଇଛି। ଅତିଥି ନିବାସ ନିର୍ମାଣ କରିବା ନିମନ୍ତେ ତଳଗୁମାଣ୍ଡି ପଞ୍ଚାୟତ ସଦରରେ ପ୍ରାୟ ୨ ଏକର ସରକାରୀ ଜାଗା ଚିହ୍ନଟ କରାଯାଇଛି। ତେଣୁ ପର୍ଯ୍ୟଟନ ବିଭାଗ ଆସିଲେ ଏହି ଅଞ୍ଚଳ ବୁଲିବା ସହ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଁ କଣ ସବୁ ଆବଶ୍ୟକ ରହିଛି ତାହାର ଅନୁଧ୍ୟାନ କରିପାରିବେ ବୋଲି କୁହାଯାଇଛି। ତେବେ ତହସିଲଦାରଙ୍କ ଏହି ଚିଠି ପରେ ବାରି ଜଳପ୍ରପାତକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପ୍ରଦାନ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଯେଉଁ ଦାବି କରି ଆସୁଥିଲେ ସେହି ଆଶା ଏବେ ଉଜ୍ଜ୍ବଳ ହେବାକୁ ଯାଉଛି ବୋଲି ଚର୍ଚ୍ଚା ଜୋର ଧରିଛି। ସେହିପରି ତହସିଲଦାରଙ୍କ ଏହି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର