ଯାଞ୍ଚ ବେଳେ ତହସିଲଦାରଙ୍କ ଗାଡ଼ିକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରାକ୍ଟର

ଚଳନ୍ତା ଟ୍ରାକ୍ଟରରୁ ଡେଇଁ ଚାଳକ ଫେରାର, ଅଳ୍ପକେ ବର୍ତ୍ତିଲେ ତହସିଲଦାର ଓ ୭ କର୍ମଚାରୀ

ଜଳେଶ୍ଵର : ଜଳେଶ୍ଵର ତହସିଲଦାରଙ୍କ ନେତୃତ୍ବରେ ଗୁରୁବାର ଭୋରରେ ଏକ ୮ଜଣିଆ ଟିମ୍ ଚୋରା ବାଲି ଗାଡ଼ି ଯାଞ୍ଚ କରିବାକୁ ଯିବା ସମୟରେ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ମୁତାବକ, ଜଳେଶ୍ବର ତହସିଲ ଅନ୍ତର୍ଗତ ଦକ୍ଷିଣ ପ୍ରହରାଜପୁର ଓ ଶିଖରପୁରରେ ସୁବର୍ଣ୍ଣରେଖା ନଦୀପଠାରୁ ନିୟମିତ ବାଲି ଚୋରା ଚାଲାଣ ହେଉଥିବାର ଅଭିଯୋଗ ହୋଇ ଆସୁଥିଲା। ବାଲି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୁରୁବାର ଭୋର ପ୍ରାୟ ୪ଟାରେ ଜଳେଶ୍ଵର ତହସିଲଦାର ସ୍ମୃତିରଞ୍ଜନ ମଲ୍ଲିକ, ସଦର ଆରଆଇ ଶରତ ଚନ୍ଦ୍ର ବେହେରା, ନାମ୍ପୋ ଆରଆଇ ଦିଲ୍ଲୀପ କୁମାର ଚନ୍ଦଙ୍କ ସମେତ ଏକ ୮ ଜଣିଆ ଟିମ୍ ଓଡି୦୧ଓ୍ବାଇ-୩୮୨୨ ନମ୍ବର ବୋଲେରୋ ଗାଡ଼ିରେ ଦକ୍ଷିଣ ପ୍ରହରାଜପୁର ଯାଇ ସେଠାରେ ବାଲି ପରିବହନ କରୁଥିବା ଗୋଟିଏ ଟ୍ରାକ୍ଟର ଜବତ କରିଥିଲେ। ପରେ ଏହି ଟିମ୍ ଶିଖରପୁର ଅଭିମୁଖେ ଯାଇଥିଲା। ଶିଖରପୁରଠାରେ ତହସିଲଦାରଙ୍କ ଗାଡ଼ି ଦେଖି ଓଡି୦୧ଏଇ-୦୫୨୭ ନମ୍ବର ବାଲି ବୋଝେଇ ଟ୍ରାକ୍ଟର ଚାଳକ ଚଳନ୍ତା ଗାଡ଼ିରୁ ଡେଇଁ ଫେରାର ହୋଇ ଯାଇଥିଲା। ଫଳରେ ଟ୍ରାକ୍ଟରଟି ସିଧାଯାଇ ତହସିଲଦାରଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ତହସିଲଦାର ଓ ଅନ୍ୟ ୭ ଜଣ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ତେବେ ଗୁରୁବାର ଦିନ ଚଢ଼ଉ ବେଳେ ଓଡି୦୧ଏଇ-୦୫୨୭, ଓଡି୦୧ଏଜି-୭୮୪୬ ଓ ଅନ୍ୟ ଦୁଇଟି ନମ୍ବରବିହୀନ ବାଲି ବୋଝେଇ ଟ୍ରାକ୍ଟର ଜବତ ହୋଇଛି। ଟ୍ରାକ୍ଟର ପିଛା ୨୦ ହଜାର ଟଙ୍କା ଲେଖା ଟଙ୍କା ଜରିମାନା କରାଯାଇଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଗୋଟିଏ ଗାଡ଼ିରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ବେଳେ ଅନ୍ୟ ଗାଡ଼ିରୁ ଜରିମାନା ଅନାଦେୟ ରହିଥିଲା।

ସମ୍ବନ୍ଧିତ ଖବର