କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ବିତର୍କର ଆହ୍ବାନ ଦେଇଥିବା ବେଳେ ଏହାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ବଢ଼ିବାରେ ଲାଗିଛି। ଆଜି ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଉକ୍ତ ମନ୍ତବ୍ୟର ଦୃଢ଼ ନିନ୍ଦା କରାଯିବା ସହ ରେଭେନ୍ସା ପରିସରରେ ପ୍ରତିବାଦ, ଧାରଣା, ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ରେଭେନ୍ସାରେ ଦୀର୍ଘବର୍ଷ ଧରି ଅଧ୍ୟାପକଙ୍କ ଅଭାବ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନାମ ପରିବର୍ତ୍ତନ ପ୍ରସ୍ତାବ ରଖି ଶସ୍ତା ରାଜନୀତି କରିବା ଅତ୍ୟନ୍ତ ନିନ୍ଦନୀୟ। ଏଭଳି ମନ୍ତବ୍ୟକୁ ତରୁନ୍ତ ପ୍ରତ୍ୟାହାର କରିବା ସହ ଓଡ଼ିଶାବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବାକୁ ଛାତ୍ର ସଂଗଠନଗୁଡିକ ପକ୍ଷରୁ ଦାବି ହୋଇଛି।
ରେଭେନ୍ସା ପୁରାତନ ଛାତ୍ର ସଂଗଠନ ପକ୍ଷରୁ ସୁଦର୍ଶନ ଦାସ, ଶିଶିର ପରିଜା ଓ ହରିଶଙ୍କର ରାଉତଙ୍କ ନେତୃତ୍ବରେ ବିଶ୍ବବିଦ୍ୟାଳୟ ଲେନ୍ରେ ଧାରଣା ଦିଆଯାଇଥିଲା। ଏଥିରେ ବହୁ ପୁରାତନ ଛାତ୍ରନେତା ଯୋଗଦେଇ କହିଥିଲେ ଯେ, ରେଭେନ୍ସା ବିଶ୍ବବିଦ୍ୟାଳୟକୁ ଜଣେ ବ୍ୟକ୍ତିଙ୍କ ନାମ ସହିତ ଯୋଡ଼ି କେନ୍ଦ୍ରମନ୍ତ୍ରୀ ଦେଖିବା ଭୁଲ୍ କଥା। ରେଭେନ୍ସା କେବଳ ଏକ ନାମ ନୁହେଁ, ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ହୃଦୟ ସହ ଯୋଡ଼ି ହୋଇ ରହିଥିବା ଏକ ଅନୁଷ୍ଠାନ। ଓଡ଼ିଶାର ଇତିହାସ ଓ ଓଡ଼ିଆ ଜାତି ରେଭେନ୍ସା ବିଶ୍ବବିଦ୍ୟାଳୟ ବିନା ଅସଂପୂର୍ଣ୍ଣ। ଏହାର ନାମ ପରିବର୍ତ୍ତନ କରିବା ଚିନ୍ତା ମୁଣ୍ଡରୁ ବାହାର କରିଦେବା ଆବଶ୍ୟକ। ସେହିପରି ରେଭେନ୍ସା ଛାତ୍ର ଅମିୟ ଓଝାଙ୍କ ନେତୃତ୍ବରେ ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଛାତ୍ରଛାତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟକୁ ବିରୋଧ କରିବା ସହ ଶ୍ରୀ ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରିଥିଲେ।
ଅନ୍ୟପଟେ ସଂଘମିତ୍ରା ଜେନାଙ୍କ ନେତୃତ୍ବରେ ରେଭେନ୍ସା ପରିସରରେ ଏଆଇଏସ୍ଏଫ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ତରୁଣକାନ୍ତ ନାୟକଙ୍କ ନେତୃତ୍ବରେ ଏଆଇଡିଏସ୍ଓ ତରଫରୁ ବିକ୍ଷୋଭ ସହ କେନ୍ଦ୍ରମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ପାଇଁ ଦେଇଥିବା ପ୍ରସ୍ତାବକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଛାତ୍ର ସଂଗଠନଗୁଡିକ ପକ୍ଷରୁ ଦାବି କରାଯାଇଛି। ନାମ ପରିବର୍ତ୍ତନ ଭଳି ନିଷ୍ପତ୍ତି ନିଆଗଲେ ସବୁଠି ବିରୋଧ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।