ତେଲନଦୀ ଜଳ ବିଦ୍ୟୁତ ପ୍ରକଳ୍ପ ବିବାଦ: ୨ କିମି ଅଞ୍ଚଳରେ ହୋଇଛି ସର୍ଭେ

ନବରଙ୍ଗପୁର : ଓଡିଶା-ଛତିଶଗଡ଼ ସୀମାନ୍ତ ବିରଲାଠି ନିକଟରେ ଜଳ ବିଦ୍ୟୁତ ପ୍ରକଳ୍ପ ନିମନ୍ତେ ଆରମ୍ଭ ହୋଇଥିବା ସର୍ଭେକୁ ନେଇ ନୂଆ ନୂଆ ତଥ୍ୟ ମିଳିବାକୁ ଲାଗିଛି। ବିରଲାଠି ନଦୀ ଘାଟ ଠାରୁ ତେଲନଦୀ କୂଳରେ ପ୍ରାୟ ୨କିଲୋମିଟର ଅଞ୍ଚଳକୁ ୫ଜଣ ଅଣଓଡ଼ିଆ ସର୍ଭେ କରିଥିଲେ। ତେବେ ସେମାନେ କିଏ। କେଉଁଠୁ ଆସିଥିଲେ। କାହା ପାଇଁ ଏହି ସର୍ଭେ କରୁଥିଲେ। ଏଥିପାଇଁ ସେମାନଙ୍କୁ କିଏ ଅନୁମତି ଦେଇଥିଲା ସେହି ସଂପର୍କରେ ନିକଟସ୍ଥ ଗ୍ରାମବାସୀଙ୍କୁ କିଛି କହି ନଥିଲେ। ପୂରା ସର୍ଭେକୁ ଗୋପନ ରଖିବାକୁ ପ୍ରୟାସ କରିଥିଲେ। ଯାହାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି।

ସ୍ଥାନୀୟ ଲୋକଙ୍କ କହିବା ହେଲା, କିଛି ଦିନ ତଳେ ହଠାତ୍‌ ୫ଜଣ ଲୋକ ବିରଲାଠି ଗାଁରେ ପହଞ୍ଚିଥିଲେ। ଏଠାରେ କିଛି କାମ ଥିବା କହି ଅସ୍ଥାୟୀ କ୍ୟାମ୍ପ ପ୍ରତିଷ୍ଠା କରିଥିଲେ। ସେମାନେ ହିନ୍ଦୀ ଓ ବଙ୍ଗଳାରେ କଥାବର୍ତା କରୁଥିଲେ। ପ୍ରାୟ ୪ଦିନ ଧରି ଏଠାରେ ରହି ବିଭିନ୍ନ ଅଞ୍ଚଳ ବୁଲିଥିଲେ। ନଦୀ କୂଳ ଏବଂ ନଦୀରେ ଥିବା ବିରାଟ ବିରାଟ ପଥରକୁ ମାପଚୁପ କରିଥିଲେ। କିଛି ସ୍ଥାନରେ ଛକି ଚିହ୍ନ ବି ଦେଇଥିଲେ। ନଦୀ କୂଳ ସମେତ ଗାଁ ଆଖପାଖ ଅଞ୍ଚଳରୁ ମାଟି ସଂଗ୍ରହ କରି ପରୀକ୍ଷା କରିଥିଲେ। ଏହି ୫ଜଣିଆ ଟିମ୍‌ ସର୍ଭେ ସାରି ଫେରିଯିବା ପରେ ଗ୍ରାମବାସୀ ଚାଷ ପାଇଁ ହଳ ବୁଲାଇ ଦେବାରୁ ଗାତ ଗୁଡ଼ିକ ପୋତି ହୋଇଯାଇଛି। କିନ୍ତୁ ହଳିଦିଆ ରଙ୍ଗରେ ପଥରରେ ଦିଆଯାଇଥିବା ଛକି ଚିହ୍ନ ଗୁଡ଼ିକ ଏବେ ମଧ୍ୟ ସ୍ପଷ୍ଟ ରୂପେ ଦେଖାଯାଉଛି। ମାଟି ଖୋଳିବା ସହ ଅସ୍ଥାୟୀ କ୍ୟାମ୍ପ ତିଆରିରେ ସ୍ଥାନୀୟ ଲୋକଙ୍କୁ ନିୟୋଜିତ କରାଯାଇଥିଲା। ଏଥିପାଇଁ ସେମାନଙ୍କୁ ପାରିଶ୍ରମିକ ବି ଦିଆଯାଇଛି। ହେଲେ ସେମାନେ କେଉଁ ଅଞ୍ଚଳରୁ ଆସି ଏଠାରେ ସର୍ଭେ କରୁଥିଲେ ସେ ସଂପର୍କରେ ସବୁ ତଥ୍ୟ ଗୋପନ ରଖିବା ସହ ସ୍ଥାନୀୟ କିଛି ଲୋକଙ୍କୁ କହି ନଥିଲେ।

ସମ୍ବନ୍ଧିତ ଖବର