କେସିଆର୍‌ଙ୍କ ଗସ୍ତ ନେଇ ରାଜନୈତିକ ବୟାନବାଜି

ଭୁବନେଶ୍ବର : ଟିଆର୍‌ଏସ୍ ମୁଖ୍ୟ ତଥା‌ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‌ସାକ୍ଷାତ କଲା ପରେ ତୃତୀୟ ସାମ୍ମୁଖ୍ୟ ଗଠନ ନେଇ ଚର୍ଚ୍ଚା ଜୋର୍ ଧରିଛି। କେସିଆର୍‌ଙ୍କ ଏହି ଗସ୍ତକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଯାଇଛି।

ତେଲେଙ୍ଗାନା ଏଆଇସିସି ଇନ୍‌-ଚାର୍ଜ ତଥା ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ଦେଶରେ ଯେଉଁ ମହାଗଠବନ୍ଧନ ହେଉଛି, ତାହାକୁ ଦୁର୍ବଳ କରିବା ପାଇଁ ବିଜେପି ଠାରୁ କେସିଆର୍ ଟେଣ୍ଡର୍ ନେଇଛନ୍ତି। ସେ ପୂର୍ବରୁ ବିଜେପି ସହ ଥିଲେ। ଉଭୟ କେସିଆର୍ ଓ ନବୀନଙ୍କ ଉପରେ ଚିଟ୍‌ଫଣ୍ଡ୍ ଓ ଖଣି ଦୁର୍ନୀତିର ଖଣ୍ଡା ବୁଲୁଛି। ସେଥିରୁ ବର୍ତ୍ତିବା ପାଇଁ ଉଭୟ ବିଜେପିର ବି ଟିମ୍ ଭାବେ କାର୍ଯ୍ୟ କରି ମୋଦୀଙ୍କୁ ସହଯୋଗ କରୁଛନ୍ତି।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଶୂନରେ ଶୂନ ମିଶିଲେ ଶୂନ ହିଁ ହେବ। ନବୀନ-କେସିଆର୍ ସାକ୍ଷାତ ଠିକ୍ ସେଇଆ। କିଏ କାହାର ଆଶାବାଡ଼ି ତାହା ସମସ୍ତେ ଜାଣନ୍ତି। କିଏ ବ୍ୟବସାୟିକ ସ୍ବାର୍ଥ ପାଇଁ କାହା ସହ ହାତ ମିଳାଉଛି, ତାହା ମଧ୍ୟ ସମସ୍ତଙ୍କୁ ଜଣା। ଆଗାମୀ ଦିନରେ ନୀଳବଣ୍ଣ ଶୃଗାଳମାନଙ୍କୁ ଲୋକେ ଉଚିତ ଜବାବ ଦେବେ।

ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ କେସିଆର୍‌ଙ୍କ ସାକ୍ଷାତ ସମ୍ପୂର୍ଣ୍ଣ ସୌଜନ୍ୟମୂଳକ। ବିଜେଡି ଅଣବିଜେପି ଓ ଅଣକଂଗ୍ରେସ ରାଜନୀତିକୁ ଆଧାର କରି କାର୍ଯ୍ୟ କରୁଛି। ଉଭୟ ଦଳଠାରୁ ବିଜେଡି ସମଦୂରତ୍ବ ଅବଲମ୍ବନ କରୁଥିବା ନେଇ ସଭାପତି ନବୀନ ପଟ୍ଟନାୟକ ଏକାଧିକ ବାର କହିସାରିଛନ୍ତି। ତେଲେଙ୍ଗାନାରେ କଂଗ୍ରେସ ବିପର୍ଯ୍ୟୟର ସାମ୍ନା କରିଥିବାରୁ ଶ୍ରୀ ଖୁଣ୍ଟିଆ ହତାଶ ହୋଇ ଏପରି ମନ୍ତବ୍ୟ ଦେଉଛନ୍ତି।

ସମ୍ବନ୍ଧିତ ଖବର