କୋରାପୁଟ: ଜଳସେଚନ ପାଇଁ ନିର୍ମାଣ ହୋଇଥିଲା ତେଲିଙ୍ଗିରି ପ୍ରକଳ୍ପ। କିନ୍ତୁ ନିର୍ମାଣରେ ହୋଇଥିବା ତ୍ରୁଟି ଯୋଗୁ ପ୍ରକଳ୍ପ ବର୍ତ୍ତମାନ ଶୁଖିଲା ପଡ଼ିଛି। ତେଣୁ ବୋରିଗୁମ୍ମା, ଜୟପୁର ଓ କୋରାପୁଟ ବ୍ଲକ୍ର ୧୫ରୁ ଊର୍ଦ୍ଧ୍ବ ପଞ୍ଚାୟତରେ ରବି ଚାଷ ପ୍ରଭାବିତ ହୋଇଛି। ପାଣି ଅଭାବରୁ ୪୨୬୪ ହେକ୍ଟର ଜମିରେ ରବି ଚାଷ ବନ୍ଦ ରହିଛି। ମୋଟରରେ ପାଣି ଉଠାଇ କାଁଭାଁ ଚାଷୀ ପରିବା ଓ ଧାନ ଚାଷ କରିବାକୁ ପ୍ରୟାସ କରୁଛନ୍ତି। ଏଥର ଚାଷୀ କ୍ଷତି ସହିବେ, ଯାହାକୁ ବରଦାସ୍ତ କରାଯିବ ନାହିଁ।। ଚାଷୀଙ୍କୁ କ୍ଷତିପୂରଣ ନିମନ୍ତେ ବିଧାନସଭାରେ ପ୍ରଶ୍ନ କରିବେ ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି।
ତେଲିଙ୍ଗିରି ପ୍ରକଳ୍ପ ନିର୍ମାଣ ହେବା ପୂର୍ବରୁ କୋରାପୁଟ, ବୋରିଗୁମ୍ମା, ଜୟପୁର ବ୍ଲକ୍ର ୧୦ହଜାରରୁ ଊର୍ଦ୍ଧ୍ବ ହେକ୍ଟର ଜମିରେ ତେଲିଙ୍ଗିରି ନଦୀ, ଘୋଡ଼ାଦରା ନାଳ ଓ ପାହାଡ଼ିଆ ଝରଣା ପାଣି ସହ ବର୍ଷା ଜଳରେ ଖରିଫ ତଥା ରବି ଚାଷ ହେଉଥିଲା। ବର୍ଷ ତମାମ ବୋରିଗୁମ୍ମା ଓ ଜୟପୁର ବ୍ଲକର ଚାଷୀଙ୍କୁ ଜଳ ଯୋଗାଇ ଦେବା ଉଦ୍ଦେଶ୍ୟରେ ତେଲିଙ୍ଗିରି ମଧ୍ୟମ ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଥିଲା। ନିର୍ମାଣ ପାଇଁ ପ୍ରାୟ ୧୭ବର୍ଷ ଲାଗିଗଲା।
୨୦୧୯ ମସିହା ନିର୍ବାଚନ ପୂର୍ବରୁ ଅତ୍ୟନ୍ତ ତରବରିଆ ଭାବେ ପ୍ରକଳ୍ପକୁ ଉଦ୍ଘାଟନ କରାଯାଇଥିଲା। ପ୍ରକଳ୍ପ ନିର୍ମାଣ ସମୟରେ ସ୍ଲୁଇସ୍ ଗେଟ୍କୁ ବନ୍ଦ କରାଯାଇ ନଥିଲା। ଯାହାଫଳରେ ଡ୍ୟାମରୁ ଅନବରତ ଜଳ ନିଷ୍କାସନ ହେଉଥିଲା। ଏଥିପାଇଁ ଡ୍ୟାମ୍ ପ୍ରତି ବିପଦ ସୃଷ୍ଟି ହେବା ସହ ଭାଙ୍ଗିଯିବା ସମ୍ଭାବନା ରହିଥିଲା। ତେଣୁ କିଛି ମାସ ତଳେ ମରାମତି କାମ ଆରମ୍ଭ ହୋଇଛି। ମରାମତି ସରିବା ଲାଗି ଆହୁରି କିଛି ମାସ ଲାଗିଯିବ। ଯାହାର ପରିଣାମ ଚଳିତ ରବି ଋତୁରେ ଚାଷୀ ଭୋଗିବାକୁ ଯାଉଛନ୍ତି। କେବଳ ଚାଷ ପ୍ରଭାବିତ ହୋଇନାହିଁ, ଆଖପାଖ ଅଞ୍ଚଳରେ ଜମି ଫାଟିଗଲାଣି। କେନାଲ ଗୁଡ଼ିକ ଶୁଖିଲା ପଡ଼ିଛି। ଏହା ମରୁଭୂମିର ଭ୍ରମ ସୃଷ୍ଟି କରିଛି। ଏହା ସହ ପ୍ରବଳ ଗରମ ମଧ୍ୟ ଅନୁଭୂତ ହେଉଥିବା ତଳଡ଼ାକ୍ରା, ଉପରଡ଼ାକ୍ରା, କେନ୍ଦାର, ବାଗ୍ରା, ରାଣୀଗଡ଼, ବରିପୁଟ, ବାଲିପୂଜାରୀପୁଟ ଗ୍ରାମବାସୀ କହିଛନ୍ତି। ସ୍ଲୁଇସ୍ ଗେଟ୍ ମରାମତି ଚାଲୁଥିବାରୁ ଏହି ସମୟ ମଧ୍ୟରେ ମୁଖ୍ୟ କେନାଲ, ଶାଖା କେନାଲ୍ ମରାମତି କରିବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/22/32KMyLA3KReXB734ih9L.jpg)