ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଜୀବନରେଖା ଋଷିକୁଲ୍ୟା ନଦୀର ଧାର ଏବେଠୁ ଶୁଖିଗଲାଣି। ଫେବ୍ରୁଆରି ଅଧାରୁ ନଦୀରେ ପାଣି ନାହିଁ। ଆଗକୁ ଧୀରେଧୀରେ ଖରା ବଢ଼ିବ। ଏଣୁ ସ୍ଥିତି ଆହୁରି ସାଂଘାତିକ ହେବା ନେଇ ଆଶଙ୍କା କରାଯାଉଛି। ଋଷିକୁଲ୍ୟା ନଦୀର ଉପଯୁକ୍ତ ଜଳ ପରିଚାଳନା ଅଭାବ ଯୋଗୁ ନଦୀରେ ପ୍ରବାହିତ ହେଉଥିବା ପ୍ରାୟ ୮୦ ପ୍ରତିଶତ ପାଣି ସମୁଦ୍ରରେ ମିଶି ନଷ୍ଟ ହୋଇଯାଉଛି। ଏତେ ବଡ଼ ନଦୀରୁ ଗଞ୍ଜାମ ଜିଲ୍ଲାର ମାତ୍ର ୬୦ହଜାର ହେକ୍ଟର୍‌ ଜମିକୁ ଜଳସେଚନ ସୁବିଧା କରାଯାଇ ପାରିଛି। କେବଳ ଖରିଫ୍‌ରେ ଚାଷୀ ପାଣି ପାଇଥାନ୍ତି। କିନ୍ତୁ ରବି ଋତୁରେ ଚାଷୀ ନଦୀରୁ ପାଣି ଟୋପାଏ ପାଇପାରୁ ନାହାନ୍ତି। ଯେଉଁ ଅଞ୍ଚଳରେ ଉଠାସେଚ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି, ସେଠାରେ ହିଁ ଚାଷ ହୋଇପାରୁଛି।

Advertisment

କନ୍ଧମାଳଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ର ଋଷିମାଳ ପର୍ବତମାଳାରୁ ଉତ୍ପତ୍ତି ଲାଭ କରିଥିବା ଋଷିକୁଲ୍ୟା ନଦୀ ଗଞ୍ଜାମ ଜିଲ୍ଲା ଦେଇ ବଙ୍ଗୋପସାଗରରେ ମିଶିଛି। ଜଳସେଚନ ସହିତ ପାନୀୟ ଜଳ ପାଇଁ ଗଞ୍ଜାମ ଜିଲ୍ଲାବାସୀ ଏହି ନଦୀ ଉପରେ ଭରସା କରିଥାନ୍ତି। ଖରାଦିନରେ ଋଷିକୁଲ୍ୟା ପୂରା ଶୁଖିଯାଉଛି। ନଦୀର ଜଳ ସଂରକ୍ଷଣ କରାଯାଇ ପାରୁ ନଥିବାରୁ ଏଭଳି ସମସ୍ୟା ହେଉଥିବା କୁହାଯାଉଛି। ଏଣୁ ନଦୀରେ ଏକାଧିକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଅନ୍ତଃ ନଦୀ ଜଳାଶୟ ଯୋଜନାରେ ସୋରଡ଼ା ନିକଟସ୍ଥ ସିଙ୍ଗିପୁର ଓ ଛତ୍ରପୁର ବ୍ଲକ୍‌ର କଂସାରୀଗଣ୍ଡରେ ବ୍ୟାରେଜ୍‌ ନିର୍ମାଣ ଚାଲିଛି। ସେହିପରି ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଳକ୍‌ର ପିପଳପଙ୍କା ଠାରେ ପ୍ରସ୍ତାବିତ ଡ୍ୟାମ୍‌ ବାସ୍ତବରୂପ ନେବା ଅପେକ୍ଷାରେ ରହିଛି। ଋଷିକୁଲ୍ୟା ନଦୀରେ ଅନ୍ୟ ୬ଟି ନଦୀର ପାଣି ପଡ଼ୁଛି। ତଥାପି ଋଷିକୁଲ୍ୟା ୭/୮ମାସ ଶୁଖିଲା ରହୁଛି। ପ୍ରାୟ ୧୬୫ କିମି ଲମ୍ବା ଏହି ନଦୀ ଗଞ୍ଜାମ ଜିଲ୍ଲାକୁ ଜଳ ଯୋଗାଣ କ୍ଷେତ୍ରରେ ବଡ଼ ଭୂମିକା ଗ୍ରହଣ କରୁଛି। ତଥାପି ନଦୀକୁ ଚିରସ୍ରୋତା କରାଯାଇପାରୁ ନାହିଁ। କେବଳ ବର୍ଷା ସମୟରେ ୪/୫ ମାସରେ ନଦୀରେ ପାଣି ରହୁଥିବା ବେଳେ ଅନ୍ୟ ସମୟରେ ଶୁଖିଲା ପଡ଼ି ରହୁଛି। ଯଦି ଋଷିକୁଲ୍ୟାରେ ପାଣି ନରହିବ ତେବେ ନଦୀପଠା ମରୁଭୂମି ପାଲଟିଯିବ। ଯାହାକି ବାଲି ଚୋରା ଚାଲାଣ ପାଇଁ ମାଫିଆଙ୍କୁ ବେଶ ସୁହାଇବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

ଋଷିକୁଲ୍ୟା ନଦୀର ସୁପରିଚାଳନା ପାଇଁ ଋଷିକୁଲ୍ୟା ଉନ୍ନୟନ ପରିଷଦ ଗଠନ କରିବା ପାଇଁ ମଧ୍ୟ ଦୀର୍ଘବର୍ଷରୁ ଦାବି ହୋଇ ଆସୁଛି। ହେଲେ ଏ ଦିଗରେ ମଧ୍ୟ କୌଣସି ଉଦ୍ୟମ ଆରମ୍ଭ ହୋଇ ନାହିଁ। ସେପଟେ ଋଷିକୁଲ୍ୟାର ଉପର ମୁଣ୍ଡରେ ଡ୍ୟାମ୍‌ ନିର୍ମାଣ କଲେ ନଦୀର ସତ୍ତା ହଜିଯିବ ବୋଲି କିଛି ପରିବେଶବିତ୍‌ ମତ ଦେଉଛନ୍ତି। ଋଷିକୁଲ୍ୟା ନଦୀ ଗଞ୍ଜାମ ସହରକୁ ଛୁଇଁ ସମୁଦ୍ରରେ ମିଶିଛି। ଗଞ୍ଜାମ ନିକଟରେ ଋଷିକୁଲ୍ୟା ନଦୀରେ ପାଣି ରହିଥିବା ଭଳି ଦେଖା ଯାଉଛି। କିନ୍ତୁ ପ୍ରକୃତ ପ‌କ୍ଷେ ତାହା ନଦୀ ପାଣି ନୁହେଁ, ତାହା ହେଉଛି ସମୁଦ୍ର ପାଣି। ସମୁଦ୍ରରେ ବଡ଼ ଜୁଆର ଓ ଲହଡ଼ି ଆସିବା ଯୋଗୁ ଲୁଣିପାଣି ନଦୀକୁ ଠେଲି ହୋଇ ଆସୁଛି। ଅନ୍ୟପଟେ ପୁରୁଷୋତ୍ତମପୁର ଓ ଆସିକା ନିକଟରେ ନଦୀରେ ଜଳସ୍ତର ଗ୍ରାଉଣ୍ଡ୍‌ ଲେବଲ୍‌ରେ ରହିଥିବା ଦେଖିବାକୁ ମିଳିଛି।