ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ରାଜ୍ୟର ଦ୍ବିତୀୟ ‘ଟେଲି ମାନସ’ ସେବା ଆରମ୍ଭ

ହେଲ୍ପଲାଇନ୍‌ ନମ୍ବରରେ କାଉନ୍‌ସେଲିଂ ସୁବିଧା

ବ୍ରହ୍ମପୁର : ନିଶାସକ୍ତଙ୍କୁ ନିଶା ଛାଡ଼ିବାରେ ସହଯୋଗ କରିବା ପାଇଁ ରାଜ୍ୟ ସରକାର ଏକ ନୂତନ ପ୍ରୟାସ ଆରମ୍ଭ କରିଛନ୍ତି। ନିଶା ଛାଡ଼ିବାକୁ ଚାହୁଁଥିବା ବ୍ୟକ୍ତିମାନେ ଘରେ ବସି ସିଧାସଳଖ ଫୋନ୍‌ ଜରିଆରେ ଆବଶ୍ୟକ ପରାମର୍ଶ ନେଇପାରିବେ। ଏଥିପାଇଁ ବ୍ରହ୍ମପୁର ଏମ୍‌କେସିଜି ବଡ଼ ଡାକ୍ତରଖାନା ପରିସରରେ ଆରମ୍ଭ ହୋଇଛି ‘ଟେଲି ମାନସ’ ସେବା। ଏହାଦ୍ବାରା ନିଶାଗ୍ରସ୍ତ ଲୋକମାନେ ଫୋନ୍‌ ଜରିଆରେ ବିଶେଷଜ୍ଞଙ୍କ ସହିତ କଥାବାର୍ତ୍ତା କରିପାରିବେ। ଆବଶ୍ୟକସ୍ଥଳେ ସେମାନଙ୍କୁ ବଡ଼ ଡାକ୍ତରଖାନା ପରିସରରେ ଥିବା ସମନ୍ବିତ ଜିଲ୍ଲା ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଓ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରି ଆବଶ୍ୟକ ଚିକିତ୍ସା ସୁବିଧା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମ ଦ୍ବାରା ନିଶା ଛାଡ଼ିବାକୁ ଚାହୁଁଥିବା ଲୋକମାନେ ଉପକୃତ ହେବେ ବୋଲି ଅନୁମାନ କରାଯାଉଛି।

ନିଶା କବଳରେ ପଡ଼ି ଯୁବପିଢ଼ି ବିପଥଗାମୀ ହେଉଛନ୍ତି। ନିଶା ନିବାରଣ ପାଇଁ ସରକାର କଡ଼ା ନିୟମ ପ୍ରଣୟନ କରୁ ନଥିବାରୁ ଏଭଳି ସମସ୍ୟା ଦେଖାଦେଉଛି। ବିଭିନ୍ନ ଅନୁଷ୍ଠାନ ସରକାରଙ୍କ ଏଭଳି ଆଭିମୁଖ୍ୟକୁ ବିରୋଧ କରି ଓଡ଼ିଶାରେ ନିଶା କାରବାର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି କରୁଛନ୍ତି। କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ। ନିଶା ଅଭ୍ୟାସ୍‌ ଛଡ଼ାଇବା ପାଇଁ ବିଭିନ୍ନ ଅନୁଷ୍ଠାନ କାମ କରୁଛନ୍ତି। ଘରୋଇ ଭାବେ ରାଜ୍ୟରେ ବହୁ ମନସ୍ତତ୍ବବିତ ଓ ଡାକ୍ତର ଚିକିତ୍ସା ସେବା ଯୋଗାଉଛନ୍ତି। ଏହି କାର୍ଯ୍ୟକୁ ସରକାରୀ ଭାବେ ତ୍ବରାନ୍ବିତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ଏଥିପାଇଁ ଏମ୍‌କେସିଜି ବଡ଼ ଡାକ୍ତରଖାନା ମାନସିକ ରୋଗ ବିଭାଗ ପରିସରରେ ସମନ୍ବିତ ଜିଲ୍ଲା ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଓ ନିଶା ନିବାରଣ କେନ୍ଦ୍ର। ଏହି କେନ୍ଦ୍ରରେ ଏବେ ‘ଟେଲି ମାନସ’ ସେବା ଆରମ୍ଭ କରାଯାଇଛି। କଟକ ଏସ୍‌ସିବି ବଡ଼ ଡାକ୍ତରଖାନାରେ ଗୋଟିଏ କେନ୍ଦ୍ର ରହିଥିବା ବେଳେ ବ୍ରହ୍ମପୁରରେ ଦ୍ବିତୀୟ କେନ୍ଦ୍ର ରହିଛି। ଏକାସାଙ୍ଗରେ ଏହି ଦୁଇଟି ବଡ଼ ଡାକ୍ତରଖାନାରେ ଏହି ସେବା ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମର ନୋଡାଲ୍‌ ଅଫିସର୍‌ ତଥା ଏମ୍‌କେସିଜି ବଡ଼ ଡାକ୍ତରଖାନା ମାନସିକ ରୋଗ ବିଭାଗର ଆସିଷ୍ଟାଣ୍ଡ୍‌ ପ୍ରଫେସର ଡା. ବିଭୂକଲ୍ୟାଣ ସାହୁ କହନ୍ତି, ଭାରତରେ ମୋଟ ୫୨ଟି ସ୍ଥାନରେ ଟେଲି ମାନସ ସେବା ଆରମ୍ଭ କରାଯାଇଛି। ଓଡ଼ିଶାରେ କଟକ ଓ ବ୍ରହ୍ମପୁରରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିଭାଗରେ ଥିବା କର୍ମଚାରୀମାନେ ଏହାର ଅତିରିକ୍ତ ଦାୟିତ୍ବ ତୁଳାଉଛନ୍ତି। ଖୁବଶୀଘ୍ର ଏଥିପାଇଁ ସ୍ବତନ୍ତ୍ର କର୍ମଚାରୀ ନିଯୁକ୍ତ ହେବେ। ଏହାପରେ ଏହି ସେବା ୨୪ଘଣ୍ଟିଆ କାର୍ଯ୍ୟକ୍ଷମ କରିବ ବୋଲି ସୂଚନା ମିଳିଛି।

ସମନ୍ବିତ ଜିଲ୍ଲା ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଓ ନିଶା ନିବାରଣ କେନ୍ଦ୍ର ଦୁଇଟି ଭାଗରେ ବିଭକ୍ତ କରାଯାଇଛି ବୋଲି ଆସିଷ୍ଟାଣ୍ଟ୍‌ ପ୍ରଫେସର ଡା. ଶ୍ରୀ ସାହୁ କହିଛନ୍ତି। ଏଠାରେ ମାନସିକ ରୋଗୀ ଓ ନିଶା ଛାଡ଼ିବାକୁ ଚାହୁଁଥିବା ଲୋକଙ୍କ ଚିକିତ୍ସା କରାଯାଇଥାଏ। ଦୈନିକ ହାରାହାରି ଏଠାକୁ ୩୦/୪୦ଜଣ ରୋଗୀ ଆସିଥାନ୍ତି। ନିଶା ନିବାରଣ ପାଇଁ ସ୍ବତନ୍ତ୍ର ୱାର୍ଡ଼ ରହିଛି। ନିଶା ନିବାରଣ ପାଇଁ ଇନ୍‌ଡୋର୍‌ରେ ୩୦ଟି ଶଯ୍ୟା ବ୍ୟବସ୍ଥା କରାଯାଇଛି। ଜିଲ୍ଲା ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ପାଇଁ ରହିଥିବା ୱାର୍ଡ଼ରେ ୧୦ଟି ଶଯ୍ୟା ବ୍ୟବସ୍ଥା କରାଯାଇଛି। ଯେଉଁ ରୋଗୀମାନେ ସେଠାରେ ଭର୍ତ୍ତି ହେଉଛନ୍ତି ସେମାନଙ୍କ ମାନସିକ ସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ କରାଯାଇଥାଏ ବୋଲି ଡା. ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର