୭ଟି ସରକାରୀ ମେଡିକାଲ କଲେଜ ସମେତ କ୍ୟାପିଟାଲ ହସ୍ପିଟାଲ୍ ବି ସାମିଲ
ଆସନ୍ତା ୨୦ ତାରିଖରେ ଆରମ୍ଭ ହେବ
ଭୁବନେଶ୍ୱର : ଏଣିକି ଡାକ୍ତରଖାନା ନ ଆସି ଟେଲି ମେଡିସିନ ସେବା ଜରିଆରେ ରୋଗୀ ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ। ରାଜ୍ୟରେ କୋଭିଡ୍ କଟକଣା ପରିସ୍ଥିତି ଦୃଷ୍ଟିରୁ ରୋଗୀମାନେ ଡାକ୍ତରଖାନା ଯିବା ସମ୍ଭବ ହୋଇପାରୁନି। ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଲୋକସେବା ଭବନରେ ଭିଡିଓ କନଫରେନ୍ସିଂ ଜରିଆରେ ଉଚ୍ଚସ୍ତରୀୟ ବୈଠକ କରି ସବୁ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀମାନଙ୍କୁ ଏହି ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ୪୧ଟି ସ୍ଥାନରେ ଯୋଗାଇବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ୨୦ ତାରିଖରୁ ଏହି ସ୍ବାସ୍ଥ୍ୟ ସେବା ଆରମ୍ଭ ହେବ। ଟେଲି ମେଡିସିନ୍ ସେବା ଦ୍ବାରା ରୋଗୀ ଫୋନ୍ ମାଧ୍ୟମରେ ଡାକ୍ତରଙ୍କ ସହ ସିଧା ସଳଖ ଯୋଗାଯୋଗ କରିପାରିବେ ଓ ରୋଗର ଉପଚାର ମଧ୍ୟ ହୋଇପାରିବ।
ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ୍ କହିଛନ୍ତି, ରାଜ୍ୟର ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୭ଟି ସରକାରୀ ମେଡିକାଲ୍ କଲେଜ୍, ରାଉରକେଲା ଆଇଜିଏଚ୍, ଭୁବନେଶ୍ବର କ୍ୟାପିଟାଲ୍ ହସ୍ପିଟାଲ୍, କଟକ ସ୍ଥିତ ଆଚାର୍ଯ୍ୟ ହରିହର ଉପାଧ୍ୟୁତ୍ତର କର୍କଟ ପ୍ରତିଷ୍ଠାନ ଓ ଶିଶୁଭବନରେ ଉପଲବ୍ଧ ହେବ। ଜିଲ୍ଲା ହସ୍ପିଟାଲ୍ଗୁଡ଼ିକରେ ଏହି ଓପିଡି ସେବା ସମୟ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଓ ମେଡିକାଲ୍ କଲେଜ୍ଗୁଡ଼ିକରେ ୨୪ ଘଣ୍ଟିଆ ସେବା ଉପଲବ୍ଧ ହେବ।
ଏହି ଟେଲି ମେଡିସିନ୍ ସେବା ଆରମ୍ଭ କରିବା ପାଇଁ ଓକାକ୍ ତରଫରୁ ପ୍ରତି କେନ୍ଦ୍ରକୁ ୨ଟି ଲେଖାଏଁ ମୋବାଇଲ୍ ସେଟ୍ ଯୋଗାଇ ଦିଆଯାଇଛି। ମୋଟ ୮୨ଟି ସେଟ୍ ସହିତ ସିମ୍ କାର୍ଡ଼ ପ୍ରଦାନ କରାଯାଇଛି। ଫୋନ୍ ନମ୍ବରଗୁଡ଼ିକ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଏହି ସେବା ଆରମ୍ଭ ହେବା ଦିନ ହିଁ ଯୋଗାଇ ଦିଆଯିବ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ସ୍ବତନ୍ତ୍ର ଶାସନ ସଚିବ ତଥା ଡିଏମ୍ଇଟି ପ୍ରଫେସର ଡା. ସି.ବି.କେ ମହାନ୍ତି, ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ ଡା. ବିଜୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/naba-kishore-das.png)