ପଞ୍ଚାୟତ କାର୍ଯ୍ୟାଳୟ, ସରକାରୀ କୋଠାରେ ନିର୍ମାଣ ହେବ ଟେଲି ଟାୱାର୍

ଭୁବନେଶ୍ବର : ବାତ୍ୟା ପରେ ପ୍ରଭାବିତ ଅଞ୍ଚଳରେ ଟେଲି ଯୋଗାଯୋଗରେ ବ୍ୟାପକ ସମସ୍ୟା ଦେଖାଦେଇଥିଲା। ଫଳରେ ରିଲିଫ୍, ପୁନରୁଦ୍ଧାର ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅତ୍ୟାବଶ୍ୟକ କାର୍ଯ୍ୟ ଭୀଷଣ ବାଧାପ୍ରାପ୍ତ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଧିକ ଟାୱାର୍ ନିର୍ମାଣ ଉପରେ ଗୁରୁତ୍ବାରୋପ କରିଛନ୍ତି। ଏଥି ପାଇଁ ମାଗଣାରେ ସ୍ଥାନ ଯୋଗାଇ ଦେବାକୁ କେନ୍ଦ୍ର ଟେଲି ଯୋଗାଯୋଗ ବିଭାଗ ଓ ଟେଲିସେବା ଯୋଗାଣକାରୀ କମ୍ପାନିଗୁଡ଼ିକୁ ପ୍ରସ୍ତାବ ଦେଇଛନ୍ତି। ଗ୍ରାମାଞ୍ଚଳରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓ ଅନ୍ୟ ସ୍ଥାନରେ ସରକାରୀ କୋଠାରେ ରୁଫ୍-ଟପ୍ ଟେଲି ଟାୱାର୍ ନିର୍ମାଣ ପାଇଁ ମଧ୍ୟ ସ୍ଥାନ ଯୋଗାଇ ଦିଆଯିବ।

ଆଜି ସଚିବାଳୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ବାତ୍ୟା ପରବର୍ତ୍ତୀ ପରିସ୍ଥିତିର ସମୀକ୍ଷା କରାଯାଇଥିଲା। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏବଂ କେନ୍ଦ୍ରୀୟ ଶକ୍ତି ଓ ଟେଲି ଯୋଗାଯୋଗ ସଚିବ ଅଜୟ କୁମାର ଭଲ୍ଲା ଏଥିରେ ଯୁଗ୍ମ ଭାବେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ‌ଟେଲି ଟାୱାର୍ ନେଇ ପ୍ରସ୍ତାବ ଦେବା ସହ ସର୍ତ୍ତ ରଖିଥିଲେ ଯେ ‌େସହି ଟାୱାର୍‌ଗୁଡ଼ିକୁ ସମସ୍ତ ‌େଟଲିସେବା ଯୋଗାଣକାରୀ କମ୍ପାନି ବ୍ୟବହାର କରିବାର ସୁବିଧା ରହିବା ଉଚିତ। କେନ୍ଦ୍ରୀୟ ସଚିବ ଓ ସମସ୍ତ କମ୍ପାନିର ପ୍ରତିନିଧି ଏଥିରେ ସହମତି ପ୍ରକାଶ କରିଥିଲେ।

ମୁଖ୍ୟ ଶାସନ ସଚିବ ବର୍ତ୍ତମାନ ସ୍ଥିତି ସମ୍ପର୍କିତ ବିଷୟ ଉପସ୍ଥାପନ କରିଥିଲେ। କ୍ୟାବିନେଟ୍‌ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟିର ସହଯୋଗ ପୁନରୁଦ୍ଧାର କାର୍ଯ୍ୟରେ ବିଶେଷ ସହାୟକ ହୋଇଛି ବୋଲି ସେ କହିଥିଲେ। କେନ୍ଦ୍ର ଟେଲିକମ୍ ବିଭାଗର ଅତିରିକ୍ତ ଶାସନ ସଚିବ ଅଂଶୁ ପ୍ରକାଶ କହିଥିଲେ, ବିଏସ୍‌ଏନ୍‌ଏଲ୍‌, ଏୟାରଟେଲ୍‌, ଭୋଡ଼ା ଫୋନ୍, ଜିଓ ଆଦି ଟେଲିକମ୍ ସେବା ଯୋଗାଣକାରୀ କମ୍ପାନିମାନେ ସେମାନଙ୍କ କାର୍ଯ୍ୟ ତ୍ବରାନ୍ବିତ କରିଛନ୍ତି। ପ୍ରଭାବିତ ୧୧ଟି ଜିଲ୍ଲା ମଧ୍ୟରୁ କେବଳ ପୁରୀ ଜିଲ୍ଲା ବ୍ୟତୀତ ଅନ୍ୟ ସବୁ ‌ଜିଲ୍ଲାରେ ଟେଲିକମ୍ ସେବା ଯୋଗାଣରେ ଦ୍ରୁତ ସୁଧାର ଆସିଛି। ବର୍ତ୍ତମାନ ପୁରୀ ଜିଲ୍ଲାର ପୁନରୁଦ୍ଧାରକୁ ଅଗ୍ରାଧିକାର ଦିଆଯାଉଛି।

ବୈଠକରେ ଉନ୍ନୟନ କମିସନର୍ ଅସିତ ତ୍ରିପାଠୀ କହିଥିଲେ, ବର୍ତ୍ତମାନ ସୁଦ୍ଧା ୮ଟି ଯାକ ‘ମାଷ୍ଟର୍ ମୋବାଇଲ୍‌ ସୁଇଚିଂ ସେଣ୍ଟର୍’ ଓ ସମସ୍ତ ବେସ୍ ସୁଇଚିଂ ସେଣ୍ଟର୍‌କୁ କାର୍ଯ୍ୟକ୍ଷମ କରାଯାଇଛି। ଡାଟା କନେକ୍ଟିଭିଟିରେ ପ୍ରାୟ ୬୦ ପ୍ରତିଶତ ଉନ୍ନତି ହୋଇଛି। ପୁରୀରେ ୬ଟି ଭ୍ରାମ୍ୟମାଣ ମୋବାଇଲ୍ ଟେଲିକମ୍ ଟାୱାର୍(କାଓ) ସ୍ଥାପନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ୫୯%, ପୁରୀରେ ୩୭% ଓ କଟକରେ ୭୪% ଟାୱାର୍‌କୁ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ କରାଯାଇଛି।

ବୈଠକରୁ ମିଳିଥିବା ସୂଚନ‌ା ଅନୁଯାୟୀ ପୁରୀରେ ଏୟାରଟେଲ୍‌ କମ୍ପାନି ମାଧ୍ୟମରେ ବଡ଼ଦାଣ୍ଡ, ସ୍ବର୍ଗଦ୍ବାର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଗୁଣ୍ଡିଚା ମନ୍ଦିର ଆଦି ସ୍ଥାନରେ ୪ଟି ‘କାଓ’ କାର୍ଯ୍ୟ କରୁଛି। ଆଜି ଠାରୁ ଚକ୍ରତୀର୍ଥ ରୋଡ୍‌ ଓ ସର୍ବୋଦୟ ନଗରରେ ଆଉ ୨ଟି ‘କାଓ’ ସ୍ଥାପନ କରାଯିବ। ଏହା ଛଡ଼ା ବାଲିଘାଟ, ବାଲିଆପାଟଣା ଓ ଦୋଳମଣ୍ଡପ ସାହିରେ ଗୋଟିଏ ଲେଖାଏ ଭ୍ରାମ୍ୟମାଣ ଟାୱାର୍ ଲଗାଯିବା ପାଇଁ ଅଣାଯାଛି। ଜିଓ କମ୍ପାନି ପକ୍ଷରୁ ମଧ୍ୟ ୨ଟି, ଭୋଡ଼ା ଫୋନ୍‌ର ୯ଟି ଏବଂ ବିଏସ୍‌ଏନ୍‌ଏଲ୍‌ର ୨ଟି ଭ୍ରାମ୍ୟମାଣ ଟାୱାର୍ ଖୁବ୍ ଶୀଘ୍ର ସ୍ଥାପନ କରାଯିବ। ବିଏସ୍‌ଏନ୍‌ଏଲ୍‌ ଲ୍ୟାଣ୍ଡ୍‌ ଲାଇନ୍ ପୁନରୁଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି।

ବ୍ୟାଙ୍କ୍‌ ସେବା ସମ୍ପର୍କରେ ମିଳିଥିବା ସୂଚନା ଅନୁଯାୟୀ ପୁରୀ ଜିଲ୍ଲାରେ ୨୧୭ଟି ବ୍ୟାଙ୍କ ଶାଖାରୁ ୭୦.୫%, ଖୋର୍ଦ୍ଧାରେ ୬୫୩ଟି ଶାଖାରୁ ୯୨%, କଟକରେ ୩୯୪ଟି ଶାଖାରୁ ୯୧%, ଜଗତସିଂହପୁରରେ ୧୬୨ଟି ଶାଖାରୁ ୮୮%, ଗଞ୍ଜାମରେ ୪୩୨ଟି ଶାଖାରୁ ୯୭% ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ୧୩୭ଟି ଶାଖାରୁ ପ୍ରାୟ ୯୨% ଶାଖା କାର୍ଯ୍ୟକ୍ଷମ ହୋଇଛି। ଡାଟା କନେକ୍ଟିଭିଟି ବଢ଼ିବା ସହ ଏଟିଏମ୍‌ ସେବାରେ ମଧ୍ୟ ଦ୍ରୁତ ବିକାଶ ଘଟୁଛି।

ବୈଠକରେ ଶକ୍ତି ସଚିବ ହେମନ୍ତ ଶର୍ମା ସୂଚନା ଦେଇଥିଲେ, ବାତ୍ୟା ପ୍ରଭାବିତ ଜିଲ୍ଲାରେ ୩୧ଟି ଗ୍ରିଡ୍‌, ୭୫ଟି ୨୨୦ କେଭି ଟାୱାର୍‌, ୪୦ଟି ୧୩୨ କେଭି ଟାୱାର୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ସେହିପରି ୪୪୧ଟି ୩୩/୧୧ କେଭି ସବ୍‌ଷ୍ଟେସନ୍, ୧୮୫୯ଟି ଉଚ୍ଚକ୍ଷମତା ସମ୍ପନ୍ନ ଫିଡର୍ ଓ ୬୬,୦୩୨ଟି ଟ୍ରାନ୍ସଫର୍ମର୍ ପୂର୍ଣ୍ଣମାତ୍ରାରେ ନଷ୍ଟ ହୋଇଛି। ୨,୧୯,୪୦୫ଟି ଖୁଣ୍ଟର ପୁନଃ ନିର୍ମାଣର ଆବଶ୍ୟକତା ରହିଛି। ଗୁରୁତର ଭାବେ କ୍ଷତିଗ୍ରସ୍ତ ଜିଲ୍ଲାରେ ପ୍ରାୟ ୨୬.୩୬ ଲକ୍ଷ ଉପଭୋକ୍ତା ଓ ବ୍ୟାପକ କ୍ଷତିଗ୍ରସ୍ତ ଜିଲ୍ଲାରେ ୧୮.୩୮ ଲକ୍ଷ ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ନଷ୍ଟ ହୋଇଛି। ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ କୁଶଳୀ ମାନବ ସମ୍ବଳ ନିୟୋଜିତ କରାଯାଇଛି। ତ୍ବରାନ୍ବିତ କାମ ପାଇଁ ସେମାନଙ୍କ ମଜୁରିକୁ ମଧ୍ୟ ଦେଢ଼ ଗୁଣା ବଢ଼ାଯାଇଛି। ସ୍ବାଭାବିକ ବ୍ୟବସ୍ଥା ଫେରାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଂସ୍ଥାମାନେ ମିଳିତ ଉଦ୍ୟମ ଜାରି ରଖିଛନ୍ତି।

କେନ୍ଦ୍ର ଶକ୍ତି ସଚିବ ଶ୍ରୀ ଭଲ୍ଲା ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ନେଇ ସନ୍ତୋଷ ପ୍ରକାଶ କରିଥିଲେ। ବୈଠକରେ କେନ୍ଦ୍ର ସରକାରଙ୍କ ବିଜୁଳି, ଟେଲିକମ୍ ଓ ବ୍ୟାଙ୍କିଙ୍ଗ୍ ବିଭାଗର ୮ ଜଣ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଓଡ଼ିଶା ସରକାରଙ୍କ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରମୁଖ ସଚିବ ଜେ ଭେନୁଗୋପାଳ, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନାଙ୍କ ସମେତ ପିଜିସିଆଇଏଲ୍‌, ଏନ୍‌ଟିପିସି, ଓପିଟିସିଏଲ୍‌ ଓ ବିଭିନ୍ନ ଟେଲିକମ୍ କମ୍ପାନିର ଉଚ୍ଚପଦସ୍ଥ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର