ବାତ୍ୟାର ୧୧ ଦିନ ପରେ ବି ସ୍ବାଭାବିକ ହୋଇନି ଟେଲିକମ ସେବା, ୯୦% ନେଟଓ୍ବାର୍କକୁ କାର୍ଯ୍ୟକ୍ଷମ କରିଥିବା ଏୟାରଟେଲ ଓ ଜିଓର ଦାବି

ଭୁବନେଶ୍ୱର: ମହାବାତ୍ୟା ଫନି ହେବାର ୧୧ ଦିନ ହୋଇଯାଇଥିବା ସତ୍ତ୍ବେ ଏପର୍ଯ୍ୟନ୍ତ ଟେଲକମ ସେବା ସ୍ବାଭାବିକ ହୋଇପାରିନାହିଁ । ଏୟାରଟେଲ ପକ୍ଷରୁ ନିଜର ଅଧିକାଂଶ ନେଟଓ୍ବାର୍କକୁ ପୁଣି କାର୍ଯ୍ୟକ୍ଷମ କରାଯାଇଥିବାବେଳେ ଅନ୍ୟ ଅପରେଟରମାନେ ଟିକିଏ ପଛରେ ପଡିଯାଇଛନ୍ତି । ରିଲାଏନ୍ସ ଜିଓ ମଧ୍ୟ ନିଜର ନେଟଓ୍ବାର୍କକୁ କିଛିଟା ସଜାଡ଼ିଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ସ୍ବାଭାବିକ ହୋଇପାରିନାହିଁ । କମ୍ପାନି ମଧ୍ୟ ଏବେ ସୁଦ୍ଧା ପ୍ରାୟ ୯୨ ପ୍ରତିଶତ ନେଟୱାର୍କକୁ ସ୍ବାଭାବିକ କରିଥିବା କେତେକ ସୁତ୍ରରୁ ଜଣାପଡିଛି ।

ଭାରତୀ ଏୟାରଟେଲ୍ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଓଡ଼ିଶାର ବାତ୍ୟା ପ୍ରଭାବିତ ଅଂଚଳରେ ଥିବା ୯୦% ନେଟଓ୍ବାର୍କକୁ ପୁଣି ସକ୍ରିୟ କରାଯାଇଛି ।  ବାତ୍ୟା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ଖୋର୍ଦ୍ଧା, ଜଗତସିଂହପୁର, ପୁରୀ ଓ କଟକରେ ଏୟାରଟେଲ୍ ନେଟୱର୍କରେ ଗ୍ରାହକମାନେ ପ୍ରାୟ ସ୍ପଷ୍ଟ ଭଏସ୍ ଏବଂ ଡାଟା ସଂଯୋଗ ହାସଲ କରିପାରୁଛନ୍ତି । ଏହି ଉଦ୍ୟମ ଦ୍ୱାରା ଉଭୟ ଏୟାରଟେଲ୍ ଓ ପାଖାପାଖି ୬ ଲକ୍ଷ ଅଣ ଏୟାରଟେଲ୍ ଗ୍ରାହକ (ଆଇସିଆର) ଜରିଆରେ ଲାଭବାନ ହୋଇଛନ୍ତି ।

ବାତ୍ୟାଞ୍ଚଳରେ ଏୟାରଟେଲ୍ ପକ୍ଷରୁ ସେଲ୍ ଅନ୍ ହ୍ୱିଲ୍ (ସିଓଡବ୍ଲୁ) ଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ଦ୍ୱାରା ନେଟୱର୍କ ବଢ଼ିଥିବା ବେଳେ ଶୀଘ୍ର ତାହା କାମ କରୁଛି । କେବଳ ପୁରୀରେ ଏୟାରଟେଲ୍ ପକ୍ଷରୁ ୧୩ଟି ସିଓଡବ୍ଲୁ ମୂତୟନ କରାଯାଇଛି । ପ୍ରଥମ ସିଓଡବ୍ଲୁକୁ କଂପାନି ତରଫରୁ ମେ ୯ ତାରିଖରେ ଜଗନ୍ନାଥ ମନ୍ଦିର ନିକଟସ୍ଥ ବଡ଼ଦାଣ୍ଡରେ ମୂତୟନ କରାଯାଇଥିଲା । ସେହିପରି ଜିଓ ମଧ୍ୟ ପୁରୀରେ ମୋଟ ୭ଟି ସିଓଡବ୍ଲୁ ପ୍ରତିଷ୍ଠା କରିଛି ।

ସମ୍ବନ୍ଧିତ ଖବର