ଟେଲିକମ୍ କମ୍ପାନିର ବରିଷ୍ଠ ଅଧିକାରୀଙ୍କୁ ନେଇ ସ୍ଥିତି ସମୀକ୍ଷା : ଟେଲିଫୋନ୍ ସେବା ଖୁବ୍ ଶୀଘ୍ର ସ୍ବାଭାବିକ ହେବ

ଭୁବନେଶ୍ବର : ବାତ୍ୟା ପରେ ଭୁବନେଶ୍ବର ଓ ପୁରୀ ସମେତ ଉପକୂଳ ଜିଲ୍ଲାରେ ଟେଲିଫୋନ୍ ଓ ମୋବାଇଲ୍‌ ସେବା ଭୀଷଣ ଭାବେ ପ୍ରଭାବିତ ହୋଇଛି। ସ୍ଥିତିରେ ସୁଧାର ଆଣିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବିଭିନ୍ନ ଟେଲିକମ୍ କମ୍ପାନିର ବରିଷ୍ଠ ଅଧିକାରୀମାନଙ୍କ ସହ ଭୁବନେଶ୍ବରରେ ଏକ ସମୀକ୍ଷା ବୈଠକ କରିଥିଲେ। ଖୁବ୍ ଶୀଘ୍ର ସେବା ସ୍ବାଭାବିକ କରିବାକୁ କମ୍ପାନି ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ।

ବୈଠକ ପରେ ଗଣମାଧ୍ୟମକୁ ଶ୍ରୀ ପ୍ରଧାନ କହିଲେ, ‌ଫନି ପ୍ରଭାବରେ ଟେଲିକମ୍ କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଛି। କିନ୍ତୁ ଟେଲିକମ୍ କମ୍ପାନିଗୁଡ଼ିକ ସକ୍ରିୟ ଅଛନ୍ତି। ଖୁବ୍ ଶୀଘ୍ର ବ୍ୟବସ୍ଥାରେ ସୁଧାର ଆସିବ ବୋଲି ଆଶା କରାଯାଉଛି। ପୁରୀ, ଭୁବନେଶ୍ବର, କଟକ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ପରି ଅଞ୍ଚଳକୁ ପ୍ରାଥମିକତା ଦିଆଯାଇଛି। ଯେଉଁ ସ୍ଥାନରେ ଟେଲିଫୋନ୍ ଟାୱାର କାମ କରୁନି, ସେଠାରେ ମୁଭିଂ ଟାୱାର୍(କାଓ) ଲଗାଇବା ପାଇଁ ଟେଲିକମ୍ କମ୍ପାନିଗୁଡ଼ିକୁ ସହଯୋଗ ମଗାଯାଇଛି।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଲେ, ଓଡ଼ିଶାରେ ବିଏସ୍‌ଏନ୍‌ଏଲ୍‌, ଜିଓ, ଏୟାରଟେଲ୍‌, ଭୋଡ଼ାଫୋନ୍ ସମେତ ଆଉ ୩ଟି ଟେଲି ଇନ୍‌ଫ୍ରା କମ୍ପାନି କାମ କରୁଛନ୍ତି। ରାଜ୍ୟରେ ଅଧାରୁ ଅଧିକ ଟାୱାର୍ ଭାଙ୍ଗିଯାଇଛି। ବିଜୁଳି ନ ଥିବାରୁ ଅଧିକାଂଶ ଟାୱାର ବନ୍ଦ ଅଛି। ରାସ୍ତା ସଫା, ଗଛ କଟା ସମୟରେ ଅଧିକାଂଶ ସ୍ଥାନରେ ଅପ୍‌ଟିକାଲ୍‌ ଫାଇଭର୍ କଟିଯାଇଛି। ତେଣୁ ଏହି ପରିସ୍ଥିତିରେ ତତ୍‌କାଳୀନ ସେବା ପାଇଁ ସବୁ କମ୍ପାନିଠାରୁ ସହଯୋଗ ମଗାଯାଇଛି।

ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଏସ୍‌ଏମ୍‌ଏସ୍‌ ସେବାକୁ ମୁକ୍ତ କରିବା ତଥା ପୃଥକ ପୃଥକ ସେବା ପ୍ରଦାନକାରୀ ସଂସ୍ଥାଙ୍କ ସହ ଟେଲିଫୋନ୍ କରିବା ବ୍ୟବସ୍ଥାକୁ ମେ’ ୧୩ ପର୍ଯ୍ୟନ୍ତ ଦେୟ ମୁକ୍ତ କରାଯାଇଛି। ପୁରୀ ଜିଲ୍ଲାକୁ ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ୨୦ଟି ମୋବାଇଲ୍‌ ଟାୱାର୍ ଲଗାଇବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ବ୍ୟାଙ୍କ ଓ ଅର୍ଥନୈତିକ ସଂସ୍ଥାକୁ ଦିଆଯାଇଥିବା ଲିଜ୍ ଲାଇନ୍‌ଗୁଡ଼ିକ ଆଗାମୀ ୫/୭ ଦିନ ମଧ୍ୟରେ ସ୍ବାଭାବିକ ହେବ ବୋଲି ବିଏସ୍‌ଏନ୍‌ଏଲ୍‌ ତରଫରୁ ପ୍ରତିଶ୍ରୁୂତି ଦିଆଯାଇଥିବା ନେଇ ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର