କଟକ : ଅନ୍‌ଲାଇନ୍‌ରେ ରାଜ୍ୟର ୨୯ ଶିଶୁଙ୍କୁ ଚିକିତ୍ସା

କଟକ : ଶିଶୁଭବନ ଟେଲି ମେଡିସିନ୍ ସେଣ୍ଟରରୁ ଦୁଇ ଦିନ ଭିତରେ ୨୯ ଜଣ ଶିଶୁ ରୋଗୀଙ୍କୁ ଅନଲାନରେ ଶିଶୁ ରୋଗ ବିଶେଷଜ୍ଞ ଚିକିତ୍ସା ଯୋଗାଇ ଦେଇଛନ୍ତି। ଅନଲାଇନରେ ରିପୋର୍ଟ ଦେଖିବା ସହିତ ସମସ୍ତ ଶିଶୁଙ୍କୁ ସର୍ବାଧିକ ୪ ଦିନ ପାଇଁ ଔଷଧ ଖାଇବାକୁ କୁହାଯାଇଛି। ପରେ ଶିଶୁର ସ୍ବାସ୍ଥ୍ୟ ଅବସ୍ଥା ଦେଖି ଅଧିକ ଔଷଧ ଲେଖାଯିବାକୁ ଡାକ୍ତରୀ ଟିମ୍ ନିଷ୍ପତ୍ତି ନେଇଛନ୍ତି।

ସୂଚନା ଅନୁଯାୟୀ, ଲକଡାଉନ ପାଇଁ ସାଧାରଣ ଶିଶୁ ରୋଗୀ ହସପିଟାଲ୍ ଆସିବାରେ ସମସ୍ୟା ହେଉଥିବାରୁ ଶିଶୁଭବନ କର୍ତ୍ତୃପକ୍ଷ ଟେଲି ମେଡିସିନ ସେଣ୍ଟର ଏବଂ ହ୍ବାଟସଆପ୍ ଭିଡିଓ କଲ୍ ମାଧ୍ୟମରେ ରାଜ୍ୟର ଯେକୌଣସି ଅଞ୍ଚଳରେ ଥିବା ଶିଶୁର ଅନଲାଇନ ଚିକିତ୍ସା କରିବାକୁ ନିଷ୍ପତ୍ତି ନେଇଥିଲେ। ଏ ସଂକ୍ରାନ୍ତରେ ଗଲା ୧୮ ତାରିଖରେ ‘ସମ୍ବାଦ’ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ସେଥିରେ ଯୋଗାଯୋଗ ନମ୍ବର ଉଲ୍ଲେଖ ଥିବାରୁ ଖବରକାଗଜ ପଢି ଯୋଗାଯୋଗ କରିଥିବା ସୂଚନା ଦେଇଛନ୍ତି। ଅଧିକାଂଶ ଶିଶୁ ଥଣ୍ଡା, କାଶ, ଜ୍ବର, ଆଖି ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି। ଯେଉଁମାନଙ୍କର ଲକଡାଉନ ପୂର୍ବରୁ ପରୀକ୍ଷା ରିପୋର୍ଟ ଆସିଥିଲା, କିନ୍ତୁ ଡାକ୍ତରଙ୍କୁ ଦେଖାଇ ପାରିନାହାନ୍ତି ସେମାନେ ଆଜି ଅନଲାଇନରେ ଡାକ୍ତରଙ୍କୁ ରିପୋର୍ଟ ଦେଖାଇ ଔଷଧ ନେଇଛନ୍ତି। ଗଲା କାଲି ୧୭ ଜଣ ଏବଂ ଆଜି ୧୨ ଜଣ ଶିଶୁ ରୋଗୀଙ୍କ ଅଭିଭାବକ ଶିଶୁଭବନ ପକ୍ଷରୁ ଜାରି ହୋଇଥିବା ଫୋନ୍ ନମ୍ବରରେ ଯୋଗାଯୋଗ କରିଥିବା ସୂଚନା ମିଳିଛି। ଏମାନେ କଟକ ସମେତ ବାଲେଶ୍ବର, ଯାଜପୁର, ତାଳେଚର, ପୁରୀ, ନବରଙ୍ଗପୁର, ଭୁବନେଶ୍ବର ବାସିନ୍ଦା ବୋଲି ସୂଚନା ମିଳିଛି। ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଶିଶୁ ଭବନ କର୍ତ୍ତୃପକ୍ଷ ଏଭଳି ଅନଲାଇନ ଚିକିତ୍ସା କାର୍ଯ୍ୟକ୍ରମ ଜାରି ରଖିବାକୁ ଯୋଜନା କରିଛନ୍ତି।

ସମ୍ବନ୍ଧିତ ଖବର