ଆସନ୍ତାକାଲିଠାରୁ ଉପଲବ୍ଧ ହେବ ଟେଲିମେଡିସିନ୍ ହେଲ୍ପଲାଇନ୍, ୧୪୪୧୦କୁ ଫୋନ୍ କରି ଚିକିତ୍ସା ପରାମର୍ଶ ପାଇପାରିବେ

 ଟେଲିମେଡିସିନ ହେଲ୍ପଲାଇନ ନମ୍ବର-୧୪୪୧୦

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆସନ୍ତାକାଲି (ବୁଧବାର) ଠାରୁ ଟେଲିମେଡିସିନ୍ ହେଲ୍ପଲାଇନ ନମ୍ବରକୁ କାର୍ଯ୍ୟକାରୀ କରିବେ । ଲୋକେ ଘରେ ଥାଇ ହେଲ୍ପଲାଇନ ନମ୍ବର-୧୪୪୧୦କୁ ଫୋନ କରି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ପରାମର୍ଶ ପାଇପାରିବେ । ଏଥି ସହିତ ରୋଗୀଙ୍କୁ ଏହି ହେଲ୍ପଲାଇନ ମାଧ୍ୟମରେ ଡାକ୍ତରୀ ପରାମର୍ଶ ମଧ୍ୟ ମିଳିପାରିବ । ଏହି ହେଲ୍ପଲାଇନ ନମ୍ବର ୧୦୪ ଭଳି କାମ କରିବ ବୋଲି କହିଛନ୍ତି ସଚିବ ଡ. କ୍ରିଷ୍ଣ କୁମାର । କୋଭିଡ-୧୯ ମୁଖ୍ୟ ସୁବ୍ରତ ବାଗଚୀଙ୍କ ସାମ୍ବାଦିକ ସମ୍ମିଳନୀରେ ଡ. କ୍ରିଷ୍ଣ କୁମାର କହିଛନ୍ତି, ରାଜ୍ୟ ସରକାର ଟେଲିମେଡିସିନ ହେଲ୍ପଲାଇନ ନମ୍ବର-୧୪୪୧୦ ଖୁବ ଶୀଘ୍ର ଜାରି ହେବାକୁ କରବାକୁ ଯାଉଛନ୍ତି । ଟେଲିମେଡିସିନ ହେଲ୍ପଲାଇନରେ ଆଇଭିଆରଏସ ସିଷ୍ଟମ ବ୍ୟବସ୍ଥା ଅଛି । ଏହାରି ମାଧ୍ୟମରେ ଟେଲିମେଡିସିନ ପାଇଁ ନିଯୁକ୍ତ ହୋଇଥିବା ୩୦୦ ଡାକ୍ତର ଯୋଡ଼ି ହୋଇଯିବେ । ଲୋକେ ଏହି ଟେଲିମେଡିସିନ ହେଲ୍ପଲାଇନକୁ ଫୋନ କରି ଉପକୃତ ହେବେ ।

ରାଜ୍ୟ ସରକାର କହିଛନ୍ତି ୧୦୪ ହେଲ୍ପଲାଇନ ନମ୍ବର ଅଧିକ ସକ୍ରିୟ ହେବ । ଏଥି ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ୧୦୪ ନମ୍ବରରେ ବର୍ତ୍ତମାନ ଦୈନିକ ୧୨ ହଜାରରୁ ୧୪ ହଜାର କଲ ଆସୁଛି । ରାଜ୍ୟ ସରକାର ରାଜ୍ୟର କିଛି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଜୋନ ଘୋଷଣା କରିଛନ୍ତି । ଏହି ଅଞ୍ଚଳରେ ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଲ ରହିବ । ଲୋକେ ଘର ଭିତରୁ ବାହାରିପାରିବେ ନାହିଁ । ବ୍ୟକ୍ତିଗତ ସୁଖ ସୁବିଧା ନେଇପାରିବେ ନାହିଁ । ଜୀବନ ବଞ୍ଚାଇବା ପାଇଁ ବ୍ୟକ୍ତିଗତ ସୁବିଧା ତ୍ୟାଗ କରିବାକୁ ପଡ଼ିବ ବୋଲି କୋଭିଡ-୧୯ ମୁଖ୍ୟ ଶ୍ରୀ ବାଗଚୀ କହିଛନ୍ତି ।

ଶ୍ରୀ ବାଗଚୀ କହିଛନ୍ତି, ଗତ ୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇଥିଲେ ଯେ, ରାଜ୍ୟରେ ଥିବା ନିଜାମୁଦ୍ଦିନ ଫେରନ୍ତା ଲୋକେ ବିନା ଭୟ ଓ ଲଜ୍ଜାରେ କରୋନା ଲକ୍ଷଣ ଦେଖାଗଲେ କୁହନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ଅପିଲକୁ ଲୋକେ ମାନିଛନ୍ତି । ୪୨ ଜଣ ଆଗେଇ ଆସିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯଦି ଏବେ ବି କେହି ଲୁଚିଛନ୍ତି, ସେମାନେ ଆଗେଇ ଆସନ୍ତୁ ।

ସମଗ୍ର ବିଶବରେ ଆଜି ପର୍ଯ୍ୟନ୍ତ ୧୩ ଲକ୍ଷ ୪୯ ହଜାର ୮୮୯ ଆକ୍ରାନ୍ତ ହୋଇଥିବା ବେଳେ ୭୪ ହଜାର ୮୨ ଜଣଙ୍କ ମୃତ୍ୟୁ ହୋଇଛି । ଭାରତ ସରକାରଙ୍କ ସୂଚନା ଦେଶରେ ୪ ହଜାର ୪୨୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୧୧୪ । ଓଡ଼ିଶାରେ ମୋଟ ୨୨୧୨ ନମୁନା ପରୀକ୍ଷା ହୋଇଛି । ଏଥିରୁ ୪୨ଟି ପଜିଟିଭ । ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି । ଏବେବି ରାଜ୍ୟର ବିଭିନ୍ନ ହସ୍ପିଟାଲରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୯ ଜଣ । ସେହିପରି ବିଭିନ୍ନ ହସ୍ପିଟାଲର କ୍ୱାରେଣ୍ଟାଇନରେ ୮୬ ଜଣଙ୍କ ଚିକିତ୍ସା ଜାରି ରହିଛି ।

ସମ୍ବନ୍ଧିତ ଖବର