ପୁରୀ: କୋଭିଡ୍‌ ସମୟରେ ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଇ-ସଞ୍ଜୀବନୀ ଟେଲି ମେଡିସିନ୍‌ ସେବା ଆରମ୍ଭ ହୋଇଥିଲା। କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ ହୋଇଥିବା ଏହି ସେବା ପାଇଁ ସ୍ବତନ୍ତ୍ର ଭାବେ ଟେଲି କନ୍‌ସଲ୍‌ଟାନ୍ସିମାନଙ୍କୁ ନିଯୁକ୍ତି ଦିଆଗଲା। ଲକ୍ଷ୍ୟ ଥିଲା, ଡାକ୍ତରଖାନା ଯାଇ ପାରୁନଥିବା ରୋଗୀମାନେ ଘରେ ରହି ଡାକ୍ତରଙ୍କ ସହ ସିଧାସଳଖ ରୋଗ ସଂପର୍କୀତ ଆବଶ୍ୟକ ପରାମର୍ଶ ଓ ମେଡିସିନ୍‌ ସଂପର୍କୀତ ସୂଚନା ପାଇପାରିବେ। କିନ୍ତୁ ଏହି ମହତ୍ବାକାଂକ୍ଷୀ ସେବା ଏବେ ଏକପ୍ରକାର ସ୍ଥାଣୁ ପାଲଟିଛି। କୋଭିଡ୍‌ ସମୟରେ ରୋଗୀମାନେ ଫୋନ୍‌ କଲେ ଯେଉଁ ଟେଲି ମେଡିସିନ୍‌ ସେବା ପାଉଥିଲେ, ଏବେ ଆଉ ସେ ସୁବିଧା ପାଉନାହାନ୍ତି। ସେପଟେ ଇ-ସଞ୍ଜୀବନୀ ଟେଲି ମେଡିସିନ୍‌ ପାଇଁ ସ୍ବତନ୍ତ୍ର ପୋର୍ଟାଲ୍‌ ଥିଲେ ବି ତାହା ଅଚଳ ଅବସ୍ଥାରେ ରହିଛି। ପୁରୀ ଜିଲ୍ଲାର କୌଣସି ଓପିଡି ଏଥିରେ ଦେଖାଉନି। ଏହି ସେବା ସହ ସଂପୃକ୍ତ ଅଧିକାରୀ, କର୍ମଚାରୀ, କେବଳ ରୋଗୀଙ୍କ କା’ ନାମ ଗଡ଼ାଉଛନ୍ତି ବୋଲି ଗୁରୁତର ଅଭିଯୋଗ ହୋଇଛି।

Advertisment

ଇ-ସଞ୍ଜୀବନୀ ଟେଲି ମେଡିସିନ୍‌ ସେବା ଜରିଆରେ ଆବଶ୍ୟକ ପରାମର୍ଶ ନେବା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେଉଁ ଦିନ କେଉଁ ଡାକ୍ତରଙ୍କ ପରାମର୍ଶ ନେଇପାରିବେ, ତାର ସ୍ବତନ୍ତ୍ର ଦିନ ଓ ସମୟ ଧାର୍ଯ୍ୟ ହୋଇଛି। ସୋମବାର ମେଡିସିନ୍‌, କର୍କଟ, ଶିଶୁ ରୋଗ ସଂପର୍କିତ ପରାମର୍ଶ ନେବା ପାଇଁ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ସାଢ଼େ ୪ଟା ପର୍ଯ୍ୟନ୍ତ ଫୋନ୍‌ କରି ରୋଗୀମାନେ ଇ-ସଞ୍ଜୀବନୀ ଟେଲି ମେଡିସିନ୍‌ ସେବା ପାଇପାରିବେ। ସେହିଭଳି ମଙ୍ଗଳବାର କର୍କଟ, ଶିଶୁ ରୋଗ ଓ ହୃଦ୍‌ରୋଗ, ବୁଧବାର ଶିଶୁରୋଗ, କର୍କଟ, ଚର୍ମରୋଗ, ଗୁରୁବାର କର୍କଟ, ଶିଶୁ ରୋଗ, ୟୁରୋଲୋଜି ଓ ନେଫ୍ରୋଲୋଜି, ଶୁକ୍ରବାର ସ୍ତ୍ରୀରୋଗ, କର୍କଟ, ଶିଶୁ ରୋଗ, ମେଡିସିନ୍‌ ଏବଂ ଶନିବାର କର୍କଟ, ଶିଶୁ ରୋଗ ଓ ସ୍ତ୍ରୀରୋଗ ସଂପର୍କୀତ ସୂଚନା ପାଇଁ ଟେଲି ମେଡିସିନ୍‌ ସୁବିଧା କରାଯାଇଛି। କେବଳ ଶନିବାର ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ଥିବାବେଳେ ଅନ୍ୟ ସବୁଦିନ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ସାଢ଼େ ୪ଟା ପର୍ଯ୍ୟନ୍ତ ଏହି ସେବା ଉପଲବ୍ଧ ବୋଲି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସ୍ପଷ୍ଟ ସୂଚନା ଜାରି ହୋଇଛି। ରୋଗ ଦେଖି ରୋଗୀଙ୍କ ସେବା ସମୟ ଧାର୍ଯ୍ୟ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ କଟକ ଶିଶୁ ଭବନ, ଏମ୍‌ସ, ଏସସିବି ଭଳି ଡାକ୍ତରଙ୍କଠାରୁ ପରାମର୍ଶ ନେବାର ସୁବିଧା ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। କିନ୍ତୁ ଏହି ସେବାରୁ କୌଣସି ଫାଇଦା ପାଉନାହାନ୍ତି ସାଧାରଣ ରୋଗୀ। ଫୋନ୍‌ କଲେ ସେମାନଙ୍କୁ ଡାକ୍ତରଖାନା ଆସିବାକୁ କୁହାଯାଉଛି।

ପୁରୀରେ ଏବେ ବହୁମାତ୍ରାରେ ଥଣ୍ଡା, ଜ୍ବର ଆଦି ରୋଗ ବଢ଼ିବାରେ ଲାଗିଛି। ପ୍ରତି ସାହିରେ ଜ୍ବର ରୋଗୀ ଦେଖିବାକୁ ମିଳୁଛି। ଏଣୁ ଜ୍ବରରେ ଡାକ୍ତରଖାନା ଯିବା ସମ୍ଭବ ହେଉ ନଥିବାରୁ ରୋଗୀ କିମ୍ବା ସେମାନଙ୍କ ସଂପର୍କୀୟମାନେ ଟେଲି ମେଡିସିନ୍‌ ସେବାର ସୁବିଧା ନେବାକୁ ଚାହୁଁଛନ୍ତି। କିନ୍ତୁ ଟେଲି ମେଡିସିନ୍‌ ପାଇଁ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କଲେ, ସେମାନଙ୍କୁ ଡାକ୍ତରଖାନା ଆସିବାକୁ କୁହାଯାଉଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଜାତା ମିଶ୍ର କହିଛନ୍ତି, କୋଭିଡ୍‌ ସମୟରେ ରୋଗୀମାନେ ଘରେ ରହି ଆବଶ୍ୟକ ପରାମର୍ଶ ନେଉଥିଲେ। ଏବେ ସେ ବ୍ୟବସ୍ଥା ବନ୍ଦ ହୋଇଗଲାଣି। ଏବେ ଇ-ସଞ୍ଜୀବନୀ ଟେଲି ମେଡିସିନ୍‌ ସେବା ପାଇବାକୁ ହେଲେ ରୋଗୀଙ୍କୁ ଡାକ୍ତରଖାନାକୁ ଆସିବାକୁ ପଡ଼ିବ। ଡାକ୍ତରଖାନାକୁ ଆସି ସ୍ବାସ୍ଥ୍ୟ ପରୀକ୍ଷା ପରେ ଆମେ କେଉଁ ଡାକ୍ତରଙ୍କ ସହ କଥା ହେବୁ ଅବା ପରାମର୍ଶ ନେବୁ ସ୍ଥିର କରିବୁ। ସେହି ଅନୁସାରେ ଆମେ ଡାକ୍ତରଙ୍କ ସହ କଥା ହେବୁ। କିନ୍ତୁ ରୋଗୀ କଥା ହେବେନି ବୋଲି ଡା. ମିଶ୍ର କହିଛନ୍ତି।