ବିଶ୍ୱସ୍ତରୀୟ ଏସ୍‌ସିବି ପାଇଁ ୩୫ଶହ କୋଟିର ଯୋଜନା! ୪୯୯ ଟଙ୍କା ପାଇଁ ଟେଲି ମେଡିସିନ୍‌ ସେବା ବନ୍ଦ

କଟକ : ଏସ୍‌ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲକୁ ଏମ୍ସ ପ୍ଲସ୍ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ୩୫ଶହ କୋଟି ଟଙ୍କାର ଯୋଜନା। କିନ୍ତୁ ଏପଟେ ମାତ୍ର ୪୯୯ ଟଙ୍କା ପାଇଁ ତିନି ଦିନ ହେଲାଣି ବନ୍ଦ ହୋଇଯାଇଛି ବର୍ତ୍ତମାନ ସମୟରେ ଗୁରୁତ୍ବପୂର୍ଣ୍ଣ କୁହାଯାଉଥିବା ଟେଲିମେଡିସିନ୍ ସେବା। ମୋବାଇଲ୍ ଫୋନ୍‌ ରିଚାର୍ଜ ହୋଇ ନଥିବାରୁ ଏସ୍‌ସିବି ଟେଲିମେଡିସିନ୍‌ ସେବା କେନ୍ଦ୍ରରୁ ବିଶେଷଜ୍ଞଙ୍କ ପରାମର୍ଶ ପାଇବାରୁ ବଂଚିତ ହେଉଛନ୍ତି ଶତାଧିକ ରୋଗୀ ଓ ସଂପର୍କୀୟ। ଫୋନ୍‌ କଲେ ଉତ୍ତର ମିଳୁଛି, ଫୋନ୍‌ ରିଚାର୍ଜ ହୋଇ ନାହିଁ। ଆମେ ଡାକ୍ତରଙ୍କ ସହିତ ଆପଣଙ୍କ ଯୋଗାଯୋଗ କରାଇ ପାରିବୁ ନାହିଁ। ‘ସମ୍ବାଦ’ ପକ୍ଷରୁ ଏସ୍‌ସିବି ଟେଲିମେଡିସିନ୍‌ ସେବା ପାଇଁ ଦିଆଯାଇଥିବା ଦୁଇଟି ଫୋନ୍‌ ନମ୍ବର ୦୭୬୫୫୦୫୧୬୦୪, ୦୭୬୫୫୦୫୧୬୦୫‌କୁ କଲ୍ କରାଯାଇଥିବା ବେଳେ ଏଭଳି ଉତ୍ତର ମିଳିଛି।

କରୋନା ସମୟରେ ରୋଗୀ ଅଯଥା ଡାକ୍ତରଖାନାକୁ ନଆସି ଘରେ ରହି ଯେଭଳି ବିଶେଷଜ୍ଞଙ୍କ ପରାମର୍ଶ ପାଇପାରିବେ, ସେହି ଉଦ୍ଦେଶ୍ୟରେ ରାଜ୍ୟରେ ଟେଲିମେଡିସିନ୍‌ ସେବାକୁ ଅଗ୍ରାଧିକାର ଦେଇ ଅଧିକ ବ୍ୟବସ୍ଥିତ କରାଯାଇଥିଲା। କରୋନା ସମୟରେ ଏହାର ସୁଫଳ ମିଳିବା ସହିତ ଅଧିକରୁ ଅଧିକ ରୋଗୀ ଏଥିରେ ଯୋଡ଼ି ହୋଇଥିଲେ। କିନ୍ତୁ ଗଲା ୩ ତାରିଖରୁ ଟେଲିମେଡିସିନ୍‌ କଂଟ୍ରୋଲ ରୁମ୍‌ ପାଇଁ ଦିଆଯାଇଥିବା ଦୁଇଟି ନମ୍ବରକୁ ଚିକିତ୍ସା ପରାମର୍ଶ ପାଇଁ ଫୋନ୍‌ କରି ରୋଗୀ ନିରାଶ ହେଉଛନ୍ତି। ଫୋନ କଲେ ରୋଗୀଙ୍କୁ କାହାକୁ ଯୋଗାଯୋଗ କରିବେ, କ’ଣ ଅସୁବିଧା ରହିଛି ସେ ସଂପର୍କରେ କର୍ମଚାରୀ ପଚାରୁ ଛନ୍ତି। କିନ୍ତୁ ଯେତେବେଳେ ରୋଗୀ ବା ସଂପର୍କୀୟ ସଂପୃକ୍ତ ବିଭାଗର ବିଶେଷଜ୍ଞଙ୍କଠାରୁ ପରାମର୍ଶ ନେବାକୁ ଚାହୁଁଛନ୍ତି ବୋଲି କହୁଛନ୍ତି, ସେତେବେଳେ ଉତ୍ତର ମିଳୁଛି ଯେ ଫୋନ୍‌ ରିଚାର୍ଜ ହୋଇନାହିଁ। ବିଶେଷଜ୍ଞଙ୍କ ସହ ପରାମର୍ଶ କରାଯାଇପାରିବ ନାହିଁ। ଆପଣ ପରେ ଫୋନ୍‌ କରନ୍ତୁ। ଏସ୍‌ସିବି ଟେଲି ମେଡିସିନ୍‌ ସେବା ଉପରେ ରାଜ୍ୟର ସବୁ ଜିଲ୍ଲାର ରୋଗୀ ନିର୍ଭର କରିଥାନ୍ତି। ଯଦି ସ୍ବାସ୍ଥ୍ୟ ବିଭାଗ ମାତ୍ର ୪୯୯ ଟଙ୍କା ପାଇଁ ଏଭଳି ସେବାକୁ ବନ୍ଦ କରି ଦେବା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଟେଲିମେଡିସିନ୍‌ ସେବା ମାଧ୍ୟମରେ ମେଡିସିନ୍‌, ସ୍ତ୍ରୀ ରୋଗ ପ୍ରସୂତି ବିଭାଗ ଓ ଏଣ୍ଡୋକ୍ରାଇନୋଲୋଜି ବିଭାଗକୁ ଅଧିକ ପରାମର୍ଶ ପାଇଁ ଫୋନ୍‌ ଆସୁଥିବା ବେଳେ ସେହି ରୋଗୀମାନେ ଅଧିକ ନିରାଶ ହେଉଛନ୍ତି।

ସମ୍ବନ୍ଧିତ ଖବର