୬ଶହ ପିଏଚ୍‌ସିରେ ମିଳିବ ଟେଲିମେଡିସିନ୍ ସେବା

ଜିଲ୍ଲା ଟେଲିମେଡିସିନ୍ ସେଣ୍ଟରକୁ ଦିନକୁ ଆସୁଛି ୫୦ରୁ ଅଧିକ କଲ୍‌

ଭୁବନେଶ୍ୱର : ରାଜ୍ୟର ୬ଶହ ପିଏଚ୍‌ସିରେ ମିଳିବ ଟେଲିମେଡିସିନ୍ ସେବା। ତୃଣମୂଳସ୍ତରରେ ଲୋକମାନଙ୍କୁ ରୋଗୀ ସେବା ଯୋଗାଇ ଦେବା ଲାଗି ଉଦ୍ୟମ କରାଯାଉଛି। ଯାହାଫଳରେ ଏକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଟିଏ ପହଞ୍ଚି ମେଡିକାଲ କଲେଜରେ ବିଶେଷଜ୍ଞ ଡାକ୍ତରଙ୍କ ସହିତ ଭିଡିଓ-ଅଡିଓ ଜରିଆରେ ନିଜର ଚିକିତ୍ସା କରିପାରିବ। ଏଥିପାଇଁ ରୋଡମ୍ୟାପ୍ ପ୍ରସ୍ତୁତ ଜାରି ରହିଥିବା ସୂଚନା ମିଳିଛି।

କରୋନା ପାଇଁ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ହସ୍ପିଟାଲଗୁଡ଼ିକରେ ଟେଲିମେଡିସିନ୍ ସେବା ଆରମ୍ଭ ହୋଇଛି। ରାଜ୍ୟର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ମେଡିକାଲ କଲେଜରେ ଏହି ସୁବିଧା ଦିଆଯାଉଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେବଳ ଓପିଡି (ବହିର୍ବିଭାଗ) ସମୟରେ ଏହି ସୁବିଧା ଦିଆଯାଉଥିବା ବେଳେ ମେଡିକାଲ କଲେଜରେ ୨୪ଘଣ୍ଟିଆ ସେବା ଦିଆଯାଉଛି। ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଟେଲିମେଡିସିନ୍‌ ସେଣ୍ଟରକୁ ଦିନକୁ ୫୦ରୁ ଅଧିକ କଲ୍‌ ଆସୁଥିବା ବେଳେ ମେଡିକାଲ କଲେଜରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ସରକାରଙ୍କ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ଦୁଇଟି ନମ୍ବର ଜାରି ହୋଇଛି। ରୋଗୀମାନେ ଏହି ନମ୍ବରକୁ ଫୋନ୍ କରି ଡାକ୍ତରଙ୍କ ସହିତ ନିଜର ସ୍ବାସ୍ଥ୍ୟ ସମ୍ବନ୍ଧରେ ଆଲୋଚନା କରିପାରିବେ। ଏଥିପାଇଁ ସ୍ବାସ୍ଥାନୁଷ୍ଠାନଗୁଡ଼ିକୁ ୨ଟି ଲେଖାଏଁ ମୋବାଇଲ ହ୍ୟାଣ୍ଡସେଟ୍‌ ଦିଆଯାଇଛି। ତେବେ ରୋଗୀଟିଏ ଡାକ୍ତରଙ୍କୁ ନିଜର ‌ରୋଗ ସମ୍ବନ୍ଧରେ ଜଣାଇବା ପରେ ଡାକ୍ତର କେଉଁ ଔଷଧ ଖାଇବାକୁ ହେବ ତାହା ପ୍ରେସକ୍ରାଇବ୍ କରୁଛନ୍ତି। ତେବେ ପ୍ରେସକ୍ରିପସନ୍‌ ନ ଥିବାରୁ ଅନେକ ସମୟରେ ରୋଗୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଦୁଇଦିନ ତଳେ କ୍ୟାପିଟାଲ ହସ୍ପିଟାଲର ଟେଲିମେଡିସନ୍‌କୁ ଫୋନ୍ କରି ଜଣେ ରୋଗୀ ନିଜ ସମସ୍ୟା କହିଥିଲେ। ଡାକ୍ତରଙ୍କୁ ପକ୍ଷରୁ ତାଙ୍କୁ ଯେଉଁ ଔଷଧ ଖାଇବା ପାଇଁ କୁହାଯାଇଥିଲା ତାହାକୁ ଔଷଧ ଦୋକାନୀ ଦେଇ ନ ଥିଲେ। ସଂପୃକ୍ତ ଔଷଧ ପାଇଁ ସାଧାରଣ କଟକଣା ଥିବାରୁ ଦୋକାନୀ ତାହାକୁ ଦେଇ ନ ଥିଲେ। ଏକାଧିକ ଔଷଧ ଦୋକାନୀ ରୋଗୀଙ୍କୁ ସଂପୃକ୍ତ ଔଷଧ ଦେଇ ନ ଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଟେଲିମେଡିସନ୍ ସମ୍ବନ୍ଧରେ ଲୋକମାନେ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି। ଟେଲିମେଡିସିନ୍ ପାଇଁ ସ୍ବତନ୍ତ୍ର ଭାବେ ଏସ୍‌ଓପି ଜାରି ହୋଇଛି। ଯେଉଁ ରୋଗ ଅତି ସାଧାରଣ ତାହାକୁ ‌ଜଣେ ଫୋନ୍ ଜରିଆରେ ସୂଚନା ଦେଇପାରିବେ। ମାତ୍ର ଜରୁରୀ ଓ ଜଟିଳ ରୋଗ ପାଇଁ ସଂପୃକ୍ତ ରୋଗୀଙ୍କୁ ନିକଟତମ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ସାକ୍ଷାତ କରିବା ପାଇଁ ସଂପୃକ୍ତ ରୋଗୀଙ୍କୁ ଉପଦେଶ ଦିଆଯାଉଛି। ଯଦିଓ ଚିକିତ୍ସାଳୟ ଗୁଡ଼ିକରେ ଅଡିଓ-ଭିଡିଓ ସୁବିଧା ରହିଛି, ମାତ୍ର କରୋନା ସଂକ୍ରମଣ ବଢ଼ୁଥିବାରୁ ‌ରୋଗୀମାନଙ୍କୁ ଟେଲିଫୋନ୍ ଜରିଆରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ଏକ ଆପ୍ ପ୍ରସ୍ତୁତ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ରାଜ୍ୟ ସରକାରଙ୍କୁ ଏଥିପାଇଁ ପ୍ରସ୍ତାବ ଦିଆଯାଇଛି। ଏହାସହ କେନ୍ଦ୍ର ସରକାରଙ୍କ ଇ-ସଂଜୀବନୀ ସହାୟତାରେ ତୃଣମୂଳସ୍ତରରେ ଟେଲିମେଡିସିନ୍ ସେବା ପହଞ୍ଚାଇବାକୁ ଯୋଜନା ହୋଇଛି। ଓଡ଼ିଶା ଓ ହିମାଚଳ ପ୍ରଦେଶରେ ପାଇଲଟ୍‌ ପ୍ରକଳ୍ପରେ ଏହା ଆରମ୍ଭ ହେବାକୁ ଯାଉଛି। ପିଏଚ୍‌ସି/ସିଏଚ୍‌ସିକୁ ରୋଗୀଟିଏ ଆସି ଅଡିଓ-ଭିଡିଓ ସହାୟତାରେ ମେଡିକାଲ କଲେଜର ବିଶେଷଜ୍ଞ ଡାକ୍ତରଙ୍କ ସହିତ ଆଲୋଚନା କରିପାରିବ। ଏଥିପାଇଁ ନେଟୱାର୍କିଂ କରିବାକୁ ହେବ। ଟେଲିମେଡିସିନ୍ ପାଇଁ କାର୍ଯ୍ୟ ଆଗେଇ ସାରିଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର