ସୁନ୍ଦରଗଡ଼: ତେଲେଙ୍ଗାନା ରାଜ୍ୟ ସରକାରଙ୍କ ୧୫ ଜଣିଆ ପ୍ରତିନିଧି ଦଳ ଦୁଇଦିନିଆ ସୁନ୍ଦରଗଡ଼ ଗସ୍ତରେ ଆସି ଜିଲ୍ଲାରେ ପ୍ରସ୍ତୁତ ସ୍ପିରୁଲିନା ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତରେ ଚାଲିଥିବା ଏହି ପ୍ରକଳ୍ପ ବୁଲି ଦେଖିବା ସହ ବିଭିନ୍ନ ଅଂଶୀଦାରଙ୍କ ସହ କଥା ହୋଇଛନ୍ତି । ତେଲେଙ୍ଗାନା ରାଜ୍ୟର ଅର୍ଥ ଏବଂ ଯୋଜନା ବିଭାଗର ସ୍ୱତନ୍ତ୍ର ସଚିବଙ୍କ ନିର୍ଦ୍ଦେଶକ୍ରମେ ଏହି ୧୫ ଜଣିଆ ଦଳ ସୁନ୍ଦରଗଡ଼ ଗସ୍ତରେ ଆସିଥିଲେ । ପରିଦର୍ଶନ କାଳରେ ସେମାନେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ କୃଷି ବିଜ୍ଞାନ କେନ୍ଦ୍ର ସହାୟତାରେ ହାତକୁ ନିଆଯାଇଥିବା ସ୍ପିରିଲୁନା ଚାଷ, ସ୍ପିରିଲୁନା ଚିକ୍କିର ପ୍ରସ୍ତୁତି, ବିତରଣ ଏବଂ ଏହାର ପ୍ରଭାବ ବିଷୟରେ ଜାଣିବାକୁ ସୁଯୋଗ ପାଇଥିଲେ । ପ୍ରତିନିଧି ଦଳ ପ୍ରଥମେ ଜିଲ୍ଲାରେ ପହଞ୍ଚି ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ କର୍ମଚାରୀଙ୍କ ସହ ଭାବ ବିନିମୟ କରି ସ୍ପିରିଲୁନା ପ୍ରକଳ୍ପ ଏବଂ ଏହାର କାର୍ଯ୍ୟକାରିତା ସଂପର୍କରେ ବୁଝିଥିଲେ । ଏହାପରେ ସେମାନେ କୃଷି ବିଜ୍ଞାନ କେନ୍ଦ୍ରକୁ ଯାଇ ସ୍ପିରୁଲିନା ଚାଷର ପଦ୍ଧତି ବିଷୟରେ ଅବଗତ ହୋଇଥିଲେ।

Advertisment

ଏହାପରେ ସେମାନେ ସ୍ଥାନୀୟସ୍ତରରେ ସ୍ୱିରୁଲିନା ଚିକ୍କି ପ୍ରସ୍ତୁତି କରୁଥିବା ରଂଗାଢିପାର ମା’ ଲକ୍ଷ୍ମୀ ଉତ୍ପାଦକ ଗୋଷ୍ଠୀ ଏବଂ ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଭାବ ବିନିମୟ କରି ଚିକ୍କିର ପ୍ରସ୍ତୁତି ପ୍ରଣାଳୀ, ଆର୍ଥିକ ଦିଗ ଏବଂ ଲାଭ ଆଦି ବିଷୟରେ ପଚାରି ବୁଝିଥିଲେ । ପ୍ରତିନିଧି ଦଳ ସବଡେଗା ଏବଂ ବଡ଼ଗାଁ ବ୍ଲକ୍କୁ ଯାଇ ସେଠାରେ ଅଙ୍ଗନବାଡ଼ିକର୍ମୀ ଏବଂ ମାମାନଙ୍କୁ ଭେଟି ଏହି ଚିକ୍କିର ବିତରଣ ଓ ପ୍ରଭାବ ବିଷୟରେ ଆଲୋଚନା କରିଥିଲେ । ପରେ ପରେ ସେମାନେ ରାଜଗାଙ୍ଗପୁର ଚୁଙ୍ଗିମାଟି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କ ସହ ଆଲୋଚନା କରି ସ୍ୱଳ୍ପ ମୂଲ୍ୟ ବିଶିଷ୍ଟ ଚିକ୍କି ପ୍ରସ୍ତୁତି ୟୁନିଟ୍ ବୁଲି ଦେଖି ଏହାର ସ୍ଥାପନ କରିବାର ଆବଶ୍ୟକତା ବୁଝିଥିଲେ । ସ୍ପିରୁଲିନାକୁ ନେଇ ଜିଲ୍ଲା ପ୍ରଶାସନର ବହୁମୁଖୀ ଉଦ୍ୟମକୁ ପ୍ରତିନିଧି ଦଳ ପ୍ରଶଂସା କରିବା ସହ ଏହା ଜିଲ୍ଲାରୁ ଅପପୁଷ୍ଟିକୁ ଦୂର କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ।