ତେଲିଙ୍ଗିରି ପ୍ରକଳ୍ପ ଉଦ୍‌ଘାଟିତ, କେବିକେର ବିକାଶ ମୋ ପ୍ରାଥମିକତା: ନବୀନ

ଯୁବ ସମାବେଶରେ ସୌମ୍ୟଙ୍କ ଆହ୍ବାନ, ସଫଳତା ପାଇଁ ୫ ‘ନି’କୁ ଆପଣାର କର

କୋରାପୁଟ,: ବହୁ ପ୍ରତୀକ୍ଷିତ ତେଲିଙ୍ଗିରି ପ୍ରକଳ୍ପକୁ ଆଜି ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୯୯୩ କୋଟି ଟଙ୍କାର ଏହି ମେଗା ପ୍ରକଳ୍ପ ଦ୍ବାରା ଜୟପୁର ଓ ବୋରିଗୁମ୍ମା ବ୍ଲକର ୯୯୫୨ ହେକ୍ଟର ଜମି ଜଳସେଚିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହାସହିତ ମୁଖ୍ୟମନ୍ତ୍ରୀ ୭୯୪ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। କୋଲାବ ଜଳ ଭଣ୍ଡାର ଉପରେ ଦୁଇଟି ଓ ମୁରାନ ଡ୍ୟାମ ଉପରେ ଗୋଟିଏ ଉଚ୍ଚ କ୍ଷମତାସମ୍ପନ୍ନ ସେତୁ ନିର୍ମାଣ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଜୟପୁର ସହର ଉପକଣ୍ଠ ବାଙ୍କବିଜାରେ ଅନୁଷ୍ଠିତ ବିଜୁ ଯୁବ ବାହିନୀର ଆଂଚଳିକ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, କେବିକେ ଅଂଚଳର ବିକାଶ ମୋ ସରକାରଙ୍କ ପ୍ରାଥମିକତା। ଏହି ଅଂଚଳର ବିକାଶ ପାଇଁ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ଆବଶ୍ୟକ। କୋରାପୁଟ ଜିଲ୍ଲାରେ ଯୋଗାଯୋଗ ବ୍ୟବସ୍ଥାକୁ ଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ୩ଟି ଉଚ୍ଚ କ୍ଷମତା ସମ୍ପନ୍ନ ସେତୁ ନିର୍ମାଣ ନେଇ ଘୋଷଣା କରିଥିଲେ। ଲମତାପୁଟ ବ୍ଲକର ଲମତାପୁଟ-ସିନ୍ଧିପୁଟ ମଧ୍ୟରେ କୋଲାବ ଜଳଭଣ୍ଡାର ଉପରେ ସେତୁ, ଦଶମନ୍ତପୁର ବ୍ଲକର ଗିର୍ଲିଗୁମ୍ମା-ଦୁଆରଶୁଣି ମଧ୍ୟରେ ମୁରାନ ଜଳଭଣ୍ଡାର ଉପରେ ସେତୁ ନିର୍ମାଣ ଓ ସଦର ବ୍ଲକର କୋରାପୁଟ-ସୁକୁ ମଧ୍ୟରେ କୋଲାବ ଜଳଭଣ୍ଡାର ଉପରେ ସେତୁ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଯୁବ ସମାବେଶ ଆରମ୍ଭରେ ବିଜୁ ଯୁବ ବାହିନୀ କାର୍ଯ୍ୟକାରୀ ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ସ୍ବାଗତ ଭାଷଣ ଦେବା ସହ ଯୁବ ବାହିନୀର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ବିଜୁ ଯୁବ ବାହିନୀ ପ୍ରାନ୍ତୀୟ ସମାବେଶରେ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଯୁବକମାନଙ୍କୁ ବିଭିନ୍ନ ପରାମର୍ଶ ଦେଇ ଓଡ଼ିଶା ପାଇଁ କାମ କରିବାକୁ ଆହ୍ବାନ ଦେଇଥିଲେ। ସେ କହିଥିଲେ ଯେ, ଯୁବକମାନଙ୍କ ଆଗରେ ଅସମ୍ଭବ ବୋଲି କିଛି ନାହିଁ। ନୂଆ ଓଡ଼ିଶା ଗଠନ ପାଇଁ ସେମାନେ ସଂକଳ୍ପ ନେବା ଦରକାର। ଏଥିପାଇଁ ୫ଟି ‘ନି’କୁ ଜୀବନର ମନ୍ତ୍ର ଭାବେ ଗ୍ରହଣ କରିବାକୁ ପଡ଼ିବ। ଯୁବକମାନେ ନିରୋଗ ରହିବା ସହ ଡରକୁ ପରିହାର କରି ନିଡ଼ର ହେବା ଦରକାର। ସେହିପରି ନିସ୍ବାର୍ଥପର, ନିଅହଙ୍କାର ଓ ନିଶା ଠାରୁ ଦୂରରେ ରହିଲେ ଯୁବକମାନେ ଅସମ୍ଭବକୁ ସମ୍ଭବ କରିପାରିବେ ବୋଲି ସେ କହିଥିଲେ। ଯୁବକମାନେ ଏହି ସୂତ୍ରକୁ ପାଳନ କଲେ ନିଶ୍ଚିତ ସଫଳତା ମିଳିବ। ସେହିପରି ଏକ ସୁସ୍ଥ ଓଡ଼ିଶା ଗଠନ ପାଇଁ ରକ୍ତ ଦାନ କରିବାକୁ ଆହ୍ବାନ ଦେଇଥିଲେ ସୌମ୍ୟରଂଜନ। କୋରାପୁଟର ଯୁବକମାନେ ଭାଗ୍ୟବାନ ଯେ, ଏମାନେ ଠିକ ଜାଗାରେ ଓ ଠିକ ସମୟରେ ଜନ୍ମ ହୋଇଛନ୍ତି। କୋରାପୁଟ ହେଉଛି ଶାବର ଶ୍ରୀକ୍ଷେତ୍ର। ଜଗନ୍ନାଥ ଶବରଙ୍କ ଠାକୁର ହୋଇଥିଲା ବେଳେ ଏହି ପବିତ୍ର ମାଟିରେ ଜନ୍ମ ହେବା ଭାଗ୍ୟର କଥା। ସେହିପରି ଏହି ବିଜ୍ଞାନ ଓ କାରିଗରୀ କୌଶଳ ଯୁଗରେ ଜନ୍ମ ହୋଇଥିବାରୁ ଯୁବକମାନେ ସବୁ ପ୍ରକାର ସୁବିଧା ସୁଯୋଗକୁ ହାତ ପାଆନ୍ତାରେ ପାଉଛନ୍ତି। ତେବେ ବିଜ୍ଞାନକୁ ମଉଜ ମସ୍ତିରେ ବିନିଯୋଗ ନ କରି ବିକାଶରେ ବିନିଯୋଗ କରିବା ଆବଶ୍ୟକ। ଭଗବାନ ଆମକୁ ମାଟି ଉପରେ, ମାଟି ତଳେ ଓ ମାଟି କଡରେ ଅନେକ କିଛି ଦେଇଛନ୍ତି। ଏହାର ସଠିକ ବିନିଯୋଗ କରାଗଲେ ଓଡ଼ିଶାର ବିକାଶକୁ କେହି ରୋକି ପାରିବେ ନାହିଁ ବୋଲି ସୌମ୍ୟରଂଜନ କହିଥିଲେ।

ସମ୍ବନ୍ଧିତ ଖବର