ଭୋଗରାଇ/ଚନ୍ଦନେଶ୍ୱର: ଦୀଘା ମୁହାଣରେ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ‘ତେଲିଆ ଶିଳା’ ମାଛ । ଏହି ମାଛର ମୂଲ୍ୟ ବଜାରରେ ଆକାଶ ଛୁଆଁ । ଫଳରେ ଟ୍ରଲର ମାଲିକଙ୍କ ଖୁସି କହିଲେ ନସରେ।
ସୂଚନା ମୁତାବକ ପ୍ରାୟ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ତେଲିଆ ଶିଳା ମାଛ ସମୁଦ୍ରରୁ ଧରା ହୋଇ ବିକ୍ରୟ ପାଇଁ ଦୀଘା ମୁହାଣ ମତ୍ସ୍ୟ ଅବତରଣ କେନ୍ଦ୍ରକୁ ଆସିଛି । ମାଛ ଦେଖିବା ଲାଗି ଉତ୍ସୁକ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକଙ୍କ ଅସମ୍ଭବ ଭିଡ଼ ଜମିଛି । ପ୍ରତିଥର ପରି ଏଥର ମଧ୍ୟ ଗୋଟିଏ ନୁହେଁକି ଦୁଇଟା ନୁହେଁ, ୧୨୧ଟି ତେଲିଆ ଶିଳା ମାଛ ଧରା ପଡ଼ିଛି ମା' ସିଦ୍ଧେଶ୍ୱରୀ ନାମକ ଏକ ଟ୍ରଲରରେ । ଆନୁମାନିକ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ମାଛ ଏହି ଟ୍ରଲରରେ ଉଠିବାରୁ ସାଧାରଣରେ ଚାଞ୍ଚଲ୍ୟ ଖେଳି ଯାଇଛି । ଦୀଘା ମୁହାଣ ମତ୍ସ୍ୟ ବଜାର ବ୍ୟବସାୟୀ ସୂତ୍ରରୁ ଜଣାପଡ଼ିଛି ।
ଏହି ତେଲିଆ ଶିଳା ମାଛ କିଲୋ ପିଛା ୬ ହଜାର ୭୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ୧୨୧ଟି ମାଛର ମୂଲ୍ୟ ପ୍ରାୟ ୨ କୋଟି ୫୦ ଲକ୍ଷ ଟଙ୍କା। ଏହା ପୂର୍ବରୁ ୧୨ଟି, ୩୩ଟି ଏମିତି ଗଭୀର ସମୁଦ୍ରରୁ ଧରା ଯାଇ ମୁହାଣରେ ବିକ୍ରି ପାଇଁ ଆସୁଥିବା ଦେଖିବାକୁ ମିଳୁଥିଲା ବେଳେ ଦୀଘା ସହରରେ ଚାଞ୍ଚଲ୍ୟ ଖେଳୁଥିଲା। ଏବେ ଏକକାଳୀନ ୧୨୧ଟି ମାଛ ଦେଖିବାକୁ ଦୀଘା ମୁହାଣର ମତ୍ସ୍ୟ ବଜାରରେ ଉତ୍ସୁକ ମତ୍ସ୍ୟଜୀବୀ ସମେତ ଶତାଧିକ ପର୍ଯ୍ୟଟକଙ୍କ ଭିଡ଼ ଜମିଛି । ମାଛ ଗୁଡ଼ିକୁ ବିକ୍ରୟ ପାଇଁ ଭୁବନ ଚନ୍ଦ୍ର ବେରାଙ୍କ ମାଛ ଅତଡାକୁ ପଠାଯାଇ ଥିବା ସୂଚନା ମିଳିଛି।