କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନମଣ୍ଡଳୀରେ ଏବେ ଉଭୟ ବିଜେପି ଏବଂ ବିଜେଡି ପାଇଁ ପ୍ରାର୍ଥୀ ଚୟନକୁ ନେଇ ଅଡୁଆ ପରିସ୍ଥିତି। ଉଭୟ ଦଳ ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା ଝୁଲାଇ ରଖିଛନ୍ତି। ବିଜେପି ଛାଡ଼ି ଧନୁର୍ଜୟ ସିଦୁ ବିଜେଡିରେ ଯୋଗଦେବା ପରେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ସହ ବିବାଦ ଆରମ୍ଭ ହୋଇଥିଲା। ଧନୁର୍ଜୟ ସିଦୁ ନିଜ ସମାନ୍ତରାଳ ସଂଗଠନ ଚଳାଇବାରୁ ଦଳରେ କୋଣଠେସା ଅଭିଯୋଗ ଆଣି ପ୍ରେମାନନ୍ଦ ବିଜେଡି ଛାଡ଼ିଥିଲେ। ଏବେ ସେ ବିଜେପି ଶିବିରରେ। ଫଳରେ ସିଦୁ ବିଧାୟକ ପ୍ରାର୍ଥୀ ହେବା ନଶ୍ଚିତ ବୋଲି ତାଙ୍କ ସମର୍ଥକ ଧରିନେଇଥିଲେ। ପରବର୍ତ୍ତୀ ସମୟରେ ତୃଣମୂଳ ସ୍ତରରେ ସେ ବିରୋଧର ସମ୍ମୁଖୀନ ହେବାରୁ ବିଜେଡି ତାଙ୍କୁ ସାଂସଦ ପ୍ରାର୍ଥୀ କଲା। ଏବେ ବିଜେଡିର ମାଳମାଳ ଆଶାୟୀ ହାଇକମାଣ୍ଡଙ୍କ ନିକଟରେ ଲବି ଆରମ୍ଭ କରିଛନ୍ତି। ବଂଶପାଳ ବ୍ଲକ୍ ଅଧ୍ୟକ୍ଷ ମାନସ ଦେହୁରୀ ବିଧାୟକ ଟିକେଟ ପାଇଁ ଆଶା ବାନ୍ଧିଛନ୍ତି। ତେଲକୋଇ ନିର୍ବଚନମଣ୍ଡଳୀ ଗଠନ ହେବା ଦିନଠାରୁ ବାଂଶପାଳ ବ୍ଲକ୍ରୁ କେହି ବିଧାୟକ ହୋଇନାହାନ୍ତି। ମାନସ ଜଣେ ଉଚ୍ଚଶିକ୍ଷିତ ଆଦିବାସୀ ଯୁବ ହୋଇଥିବା ବେଳେ ପୂର୍ବରୁ ସେ ଜିଲ୍ଲାପରିଷଦ ସଦସ୍ୟ ହୋଇଥିଲେ। ଏବେ ବ୍ଲକ୍ ଅଧ୍ୟକ୍ଷ ଅଛନ୍ତି। ତେଣୁ ସେ ଉପଯୁକ୍ତ ବିଧାୟକ ପ୍ରାର୍ଥୀ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। ହରିଚନ୍ଦନପୁର ବ୍ଲକ୍ ଜଂଘିରାର ପୂର୍ବତନ ସରପଞ୍ଚ ପଦ୍ମଲୋଚନ ନାୟକ ଅନ୍ୟତମ ଟିକେଟ ଆଶାୟୀ ରହିଛିନ୍ତି।
ସେ ଏକାଧିକ ଥର ସରପଞ୍ଚ, ଜିଲ୍ଲାପରିଷଦ ହୋଇଥିବାରୁ ଦଳୀୟ ନେତୃବର୍ଗ ତାଙ୍କ ସମ୍ପର୍କରେ ବିଚାର କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେହିପରି ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରଂଜନ ଦାସ ଓ ଟାଙ୍ଗିରିଆପାଳ ସରପଞ୍ଚ ଘନଶ୍ୟାମ ବାରି ମଧ୍ୟ ଟିକେଟ ଦୌଡ଼ରେ ରହିଛନ୍ତି। ତେଲକୋଇ ବ୍ଲକ୍ରୁ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ନଣନ୍ଦ ମଂଜୁଲତା ମୁଣ୍ଡା, ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ସଦାନନ୍ଦ ନାଏକ, ବଳଭଦ୍ରପୁରର ପୂର୍ବତନ ସରପଞ୍ଚ ପବିତ୍ର ମୁନସିଂ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ସତ୍ୟଭାମା ସିଂ ପ୍ରମୁଖ ଟିକେଟ ଦାବିଦାର ଅଛନ୍ତି। ସିଦୁଙ୍କ ପରେ ଏଠାରେ ମାଳମାଳ ଟିକେଟ ଆଶାୟୀ ବାହାରୁ ଥିବାରୁ ଦଳୀୟ ନେତୃତ୍ବ କାହା ନାମ ଉପରେ ମୋହର ମାରିବେ ତାକୁ ନେଇ ଅଡ଼ୁଆରେ ପଡ଼ିଥିବା କୁହାଯାଉଛି।
ସେହିପରି ବିଜେପିରେ ଡ. ଫକୀର ନାୟକ ଓ ବିଧାୟକ ପ୍ରେମାନନ୍ଦ ନାୟକ ପ୍ରମୁଖ ଟିକେଟ ଆଶାୟୀ ରହିଛନ୍ତି। ଦଳୀୟ ନେତୃବର୍ଗ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେବା ପରେ ସେ ଚାକିରି ଛାଡ଼ି ରାଜନୀତିକୁ ଆସିଲେ ବୋଲି ଡ. ଫକୀର ନାୟକ କହିଥିଲେ। ସେ ଗାଁ ଗାଁ ବୁଲି ସଭା ସମିତି କରିବା ସହ ଦଳୀୟ ସଂଗଠନକୁ ସଜାଡ଼ିଥିଲେ। କୁହାଯାଉଥିଲା ବିଜେପି ଡ. ନାୟକଙ୍କ ଉପରେ ଭରସା କରି ତାଙ୍କୁ ନିର୍ବାଚନ ମଇଦାନକୁ ଛାଡ଼ିବ। ପରବର୍ତ୍ତୀ ସମୟରେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ବିଜେଡି ଛାଡ଼ି ବିଜେପିରେ ସାମିଲ ହେବା ପରେ ଟିକେଟ ଗଣିତ ଗୋଳମାଳିଆ ହୋଇଯାଇଛି। ଏଠାରେ କାହାକୁ ପ୍ରାର୍ଥୀ କରାଯିବ ତାକୁ ନେଇ ଦଳୀୟ ନେତୃବର୍ଗ ଅଡ଼ୁଆରେ ପଡ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/BJP-BJD.jpg)
