ସୁବ୍ରତ ସ୍ବାଇଁ
କେନ୍ଦୁଝର: ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ବିଜେଡି କବ୍ଜାରେ ରହିଛି କେନ୍ଦୁଝର ଜିଲ୍ଲାର ତେଲକୋଇ ନିର୍ବାଚନମଣ୍ଡଳୀ। ବର୍ତ୍ତମାନ ଏହି ନିର୍ବାଚନମଣ୍ଡଳୀରେ ନେତୃତ୍ବ କନ୍ଦଳ ବିଜେଡିକୁ କିଛିଟା ଅଡ଼ୁଆରେ ପକାଇଛି। ଏଠାରେ ବର୍ତ୍ତମାନର ବିଜେଡି ବିଧାୟକ ଓ ଦଳର ଟିକଟ ଆଶାୟୀମାନେ ଭିନ୍ନଭିନ୍ନ ସଂଗଠନ ଚଳାଇଛନ୍ତି। ଏଥିରୁ ବିଜେପି ଫାଇଦା ନେବ ବୋଲି କୁହାଯାଉଛି।
୧୯୯୦ରେ ଜନତା ଦଳରୁ ନୀଳାଦ୍ରି ନାୟକ ବିଜୟୀ ହୋଇଥିଲେ। ୧୯୯୫ରେ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରସେନ ନାୟକ ବିଜୟୀ ହୋଇଥିଲେ। ୨୦୦୦ ମସିହା ପରଠାରୁ ଏହି ନିର୍ବାଚନମଣ୍ଡଳୀ ବିଜେଡି ଦଖଲରେ ରହିଛି। ୨୦୦୦ ଓ ୨୦୦୪ରେ ବିଜେଡିର ନୀଳାଦ୍ରି ନାୟକ, ୨୦୦୯ରେ ପ୍ରେମାନନ୍ଦ ନାୟକ, ୨୦୧୪ରେ ବେଦବ୍ୟାସ ନାୟକ ଓ ୨୦୧୯ରେ ଇଂ ପ୍ରେମାନନ୍ଦ ନାୟକ ବିଜୟୀ ହୋଇଥିଲେ। ୨୦୧୯ରେ ବିଜେଡି ସହ ପ୍ରତିଦ୍ବନ୍ଦ୍ବିତା କରୁଥିବା ବିଜେପି ପ୍ରାର୍ଥୀ ଧନୁର୍ଜୟ ସିଦୁ ବିଜେଡିରେ ମିଶିବା ପରେ ଦଳ ପାଇଁ ଅଡ଼ୁଆ ବଢ଼ିଛି। ଅର୍ଥାତ ପୂର୍ବରୁ କଂଗ୍ରେସ, ବିଜେପିରେ ଥିବା ଶ୍ରୀ ସିଦୁ ବିଜେଡିରେ ଯୋଗଦେବା ପରେ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ମୂଳ ବିଜେଡି କର୍ମୀମାନେ ତାଙ୍କୁ ଗ୍ରହଣ କରିବା ଅବସ୍ଥାରେ ନାହାନ୍ତି। ଖାଲି ସେତିକି ନୁହେଁ, ବିଜେଡିର ଏକ ଶକ୍ତିଶାଳୀ ଗୋଷ୍ଠୀ ମଧ୍ୟ ସିଦୁଙ୍କ ବିଜେଡିରେ ମିଶିବାକୁ ଗ୍ରହଣ କରିପାରୁ ନାହାନ୍ତି। ଯାହାକି ବିଜେପି ପାଇଁ ବରଦାନ ହୋଇଛି।
ଅନ୍ୟପକ୍ଷରେ ଦୁଇବର୍ଷ ତଳେ ଶ୍ରୀ ସିଦୁ ବିଜେପି ଛାଡ଼ି ବିଜେଡିରେ ଯୋଗଦେବା ପରେ ଏଠାରେ ବିଜେପିର ଚେହେରା କେହି ନଥିଲେ। ଅର୍ଥାତ ବିଜେପି ଏଠାରେ ବିଜେଡିକୁ ଟକ୍କର ଦେବା ସ୍ଥିତିରେ ନାହିଁ ବୋଲି ଦଳୀୟ ନେତୃ୍ତ୍ବ ଧରି ନେଇଥିଲେ। କିଛିଦିନ ତଳେ ଡାକ୍ତର ଫକୀର ନାଏକ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ବିଜେପି ସହ ଯୋଡ଼ି ହୋଇଛନ୍ତି। ବିଭିନ୍ନ ସ୍ଥାନରେ ସଭାସମିତି କରିବା ସହ ଶୋଭାଯାତ୍ରା କରି ଗାଁ ଗାଁ ବୁଲୁଛନ୍ତି। ଡାକ୍ତର ନାଏକ ସ୍ବେଚ୍ଛାକୃତ ଅବସର ନେବାବେଳେ ତାଙ୍କୁ ବିଜେପି ପ୍ରାର୍ଥୀ କରାଯିବ ବୋଲି ଦଳର ଶୀର୍ଷ ନେତୃତ୍ବ ପ୍ରତିଶ୍ରୁତି ଦେଇଛନ୍ତି। ଏହାପରେ ସେ ଚାକିରିରୁ ଅବସର ନେଇଥିବା କୁହାଯାଉଛି। ଡାକ୍ତର ନାଏକଙ୍କ ସପକ୍ଷରେ ଅନେକ ଗୁଡ଼ିଏ କାରଣ ମଧ୍ୟରୁ ତାଙ୍କର ଚିକିତ୍ସା ସେବା ତାଙ୍କୁ ଅନେକ କ୍ଷେତ୍ରରେ ସହାୟ ହେଉଛି। ସ୍ବେଚ୍ଛାକୃତ ଅବସର ନେବା ପୂର୍ବରୁ ସେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବସ୍ଥାପିତ ଥିଲେ। ଏହି ସମୟରେ ସେ ନିୟମିତ ଦୁର୍ଗମ ଅଞ୍ଚଳକୁ ଯାଇ ରୋଗୀ ସେବା କରି ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। ଯାହା ତାଙ୍କୁ ଏବେ ରାଜନୈତିକ ଜୀବନରେ ସହାୟ ହେଉଛି।