ଟେଲି ପୁରସ୍କାର ପାଇଁ ସ୍କ୍ରିନିଂ ଆରମ୍ଭ : ୧୨ ଧାରାବାହିକ, ୬ ଟେଲି ଫିଲ୍ମ

ଭୁବନେଶ୍ବର : ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଚଳଚ୍ଚିତ୍ରର ସ୍କ୍ରିନିଂ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିସହ ‘ଟେଲି ପୁରସ୍କାର’ ପାଇଁ ୧୬ ତାରିଖରୁ ସଂସ୍କୃତି ଭବନ ପରିସରରେ ଧାରାବାହିକର ସ୍କ୍ରିନିଂ ଆରମ୍ଭ ହୋଇଯାଇଛି। ୨୦୧୭ ବର୍ଷ ପାଇଁ ମୋଟ୍‌ ୧୮ଟି ଧାରାବାହିକ, ଟେଲି ଫିଲ୍ମ ସ୍କ୍ରିନିଂ ପାଇଁ ଆସିଛି।

ଧାରାବାହିକ ମଧ୍ୟରେ ରହିଛି ମାନିନୀ, ତୋ ଅଗଣାର ତୁଳସୀ ମୁଁ, ମୋ ଜେଜେ ମା’, କିଏ, ଟୁପୁର ଟାପୁର, ପାଇକ ବିଦ୍ରୋହ, ରାଜକନ୍ୟା, ଜୀବନ ସାଥୀ, ସିନ୍ଦୂର ବିନ୍ଦୁ, ସମ୍ପର୍କ ହୃଦୟର, ନୂଆବୋହୂ ଓ କ୍ୟାପିଟାଲ୍‌ ଖଟି। ସେହିପରି ଟେଲି ଫିଲ୍ମ ମଧ୍ୟରେ ରହିଛି ସଂଜ ସକାଳ, ମୋ ଏ କାହାଣୀ ପ୍ରତି ଘରର, ରଗଡ଼, କେମିତି ଏ ସମ୍ପର୍କ, ନିରୁପାୟ ଏବଂ ଫର୍ଚା। ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦେଶକ ଘନଶ୍ୟାମ ମହାପାତ୍ର ଟେଲି ପୁରସ୍କାର କମିଟିର ଅଧ୍ୟକ୍ଷ ରହିଥିବା ବେଳେ ବିଶିଷ୍ଟ ଅଭିନେତ୍ରୀ ତ୍ରିପୁରା ମିଶ୍ର, ଅଭିନେତା ତଥା ନାଟ୍ୟ ନିର୍ଦେଶକ ମନୋଜ ପଟ୍ଟନାୟକ, କଣ୍ଠଶିଳ୍ପୀ ପ୍ରଶାନ୍ତ ପାଢ଼ୀ ଏବଂ ଚଳଚ୍ଚିତ୍ର ସାମ୍ବାଦିକ ଆଦିକନ୍ଦ ରାଉତ ବିଚାର ପ୍ରକ୍ରିୟାରେ ସାମିଲ୍ ହୋଇଛନ୍ତି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୨ କମିଟି ଆସନ୍ତା ୨୨ ତାରିଖ ସୁଦ୍ଧା ସରକାରଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବେ। ଏଇ ଆଧାରରେ ବିଭିନ୍ନ ବିଭାଗରେ ପୁରସ୍କାର ପ୍ରଦାନ କରାଯିବ। ସ୍କ୍ରିନିଂ ପ୍ରକ୍ରିୟା ଚାଲିଥିବା ବେଳେ ସିନେ ଓଡ଼ିଆ ସହ ସମ୍ପୃକ୍ତ କିଛି ବ୍ୟକ୍ତିବିଶେଷଙ୍କୁ ଚୟନ ସ୍ଥାନରେ ଦେଖିବାକୁ ମିଳିଛି। ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପୂର୍ବରୁ ଅର୍ଥାତ ମାର୍ଚ ୨ ଓ ୩ ତାରିଖରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଉତ୍କଳ ମଣ୍ଡପରେ ୨ ଦିନିଆ ଚଳଚ୍ଚିତ୍ର ଓ ଧାରାବାହିକ ପୁରସ୍କାର ଉତ୍ସବ ଆୟୋଜିତ ହେବ ବୋଲି ଜଣାଯାଇଛି। ଗତ ୧୧ ତାରିଖରୁ ଚଳଚ୍ଚିତ୍ରର ସ୍କ୍ରିନିଂ ଆରମ୍ଭ ହୋଇଥିବା ବେଳେ ମୋଟ୍‌ ୧୮ ଟି ଚଳଚ୍ଚିତ୍ର ସ୍କ୍ରିନିଂରେ ସାମିଲ୍‌ ହୋଇଛି।

ସମ୍ବନ୍ଧିତ ଖବର