ସୁଜିତ ବିଷୋୟୀ 

Advertisment

ପାରଳାଖେମୁଣ୍ଡି: ଜନ୍ମ ଓଡ଼ିଶା ମାଟିରେ। ଘର ବି ଓଡ଼ିଶାରେ ଓ ଭାଷା ଓଡ଼ିଆ। କିନ୍ତୁ ପାଠପଢ଼ା ଆନ୍ଧ୍ରରେ ଓ ମାଧ୍ୟମ ତେଲୁଗୁ। ପ୍ରତି ଶିକ୍ଷାବର୍ଷରେ ମାଳମାଳ ଛାତ୍ରଛାତ୍ରୀ ସୀମାନ୍ତ ଆନ୍ଧ୍ରର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଉଛନ୍ତି। ଇଏ ହେଉଛି, ଗଜପତିଜିଲ୍ଲା ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ସ୍ଥିତି ଏମିତି ଯେ, ଓଡ଼ିଆ ଭାଷା ବ୍ୟବହାର ତ ଦୂରର କଥା, ଭବିଷ୍ୟତ ପିଢ଼ିକୁ ଏହି ଭାଷାରୁ ଦୂରେଇ ଦିଆଯାଇଛି। ଫଳରେ ସୀମାନ୍ତ ଅଞ୍ଚଳରେ ଏବେ ଓଡ଼ିଆ ଭାଷା ଧୀରେ ଧୀରେ ସତ୍ତା ହରାଇବାକୁ ବସିଛି ବୋଲି କହିଲେ ଜମାରୁ ଅତ୍ୟୁକ୍ତି ହେବନି।ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ତୁଳନାରେ ଆନ୍ଧ୍ରର ଶିକ୍ଷା ବ୍ୟବସ୍ଥା ସୀମାନ୍ତ ଇଲାକାର ଲୋକଙ୍କୁ ଅଧିକ ଆକର୍ଷିତ କରୁଛି।  ଆନ୍ଧ୍ର ସୀମାନ୍ତରେ ଥିବା ଗୋଷାଣୀ ବ୍ଲକର  ଧାମୁଣିଗାଁ, ଅମରା, ଡାଳିମ୍ବପୁର, କେରାଣ୍ଡି ଗ୍ରାମ, କାଶୀନଗର ବ୍ଲକ୍‌ର ହାଡୁଭଙ୍ଗୀ ପଞ୍ଚାୟତ ଏବଂ ରାୟଗଡ଼ ବ୍ଲକ୍‌ର ବିଭିନ୍ନ ଗ୍ରାମକୁ ମିଶାଇ ଏଭଳି ୫୦ରୁ ଅଧିକ ଗ୍ରାମରେ ଓଡ଼ିଆ ଭାଷା ଯେମିତି ଜନମାନସରୁ ହଜିଯାଇଥିବା ବେଳେ ତେଲୁଗୁ ଭାଷାର ପ୍ରାଧାନ୍ୟ ବଢ଼ିବାରେ ଲାଗିଛି। 

ସୀମାନ୍ତ ୫୦ ଗାଁର ପିଲା  ନାମ ଲେଖାଇଛନ୍ତି ଆନ୍ଧ୍ର ସ୍କୁଲ୍‌ରେ
ଗୋଷାଣୀ, କାଶୀନଗର ଓ ରାୟଗଡ଼ ବ୍ଲକ୍‌ରେ ଚିନ୍ତାଜନକ ସ୍ଥିତି
ଯାହାର ଯେଉଁଠି ସୁବିଧା ସେ ସେଇଠି ପଢ଼ୁ: ଡିଇଓ

ବର୍ତ୍ତମାନ ଗୋଷାଣୀ ବ୍ଲକ୍‌ର  ଛାତ୍ରଛାତ୍ରୀ  ଆନ୍ଧ୍ରର କସମଳା, ବସୁନ୍ଧରା, ମେଳିଆପୁଟି, ଚାପରା ଓ  ରାଟିଣି ଗ୍ରାମର ବିଦ୍ୟାଳୟରେ ନାମ ଲେଖାଇ ତେଲୁଗୁ ମାଧ୍ୟମରେ ପଢ଼ୁଛନ୍ତି। ସେହିପରି  କାଶୀନଗର ବ୍ଲକ୍‌ ହାଡୁଭଙ୍ଗୀ ପଞ୍ଚାୟତର ଛାତ୍ରଛାତ୍ରୀ ଆନ୍ଧ୍ରର କୌଶଲ୍ୟାପୁରମ ଏବଂ ରାୟଗଡ଼ ବ୍ଲକର ଗଙ୍ଗାବାଡ଼ ଓ କେରାଣ୍ଡି ପଞ୍ଚାୟତର ଛାତ୍ରଛାତ୍ରୀ ମଣ୍ଡସା ସରକାରୀ ବିଦ୍ୟାଳୟକୁ ଯାଉଛନ୍ତି। କିଛି ଅଭିଭାବକ ଆଲୋଚନା ବେଳେ କହିଛନ୍ତି, ଓଡ଼ିଶା ଅପେକ୍ଷା ଆନ୍ଧ୍ର ସ୍କୁଲରେ ଅଧିକ ସୁବିଧା ଉପଲବ୍ଧ ହେଉଛି। ଏପରିକି ସେଠାରେ ପାଠ ପଢ଼ିଲେ ଚାକିରି ମିଳିବା ସହଜ ହେଉଛି। ସେହିପରି ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ପୋଷାକ, ପାଠ୍ୟପୁସ୍ତକ, ବ୍ୟାଗ୍, ଚପଲ ସହ ରୁଚିକର ଖାଦ୍ୟ ଏବଂ ଆର୍ଥିକ ସହାୟତା ବି ମିଳୁଛି। ଫଳରେ ସେମାନେ ଆନ୍ଧ୍ର ପ୍ରତି ଆକର୍ଷିତ ହେଉଥିବା କହିଛନ୍ତି।  
ଅନ୍ୟପକ୍ଷରେ ଆନ୍ଧ୍ର-ଓଡ଼ିଶାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ କେବେ ସୀମାକୁ ନେଇ ବିବାଦ  ଦେଖାଦେଉଛି ତ ଆଉ କେବେ ସୀମାନ୍ତ ଗ୍ରାମବାସୀଙ୍କୁ ଆନ୍ଧ୍ର ପ୍ରଶାସନ ବିଭିନ୍ନ ସରକାରୀ ପ୍ରଲୋଭନ ଦେଖାଉଥିବାର ଅଭିଯୋଗ ବହୁବାର ଆସିଛି। ସୀମାନ୍ତରେ କେତେ ପିଲା ଆନ୍ଧ୍ରକୁ ପଢ଼ିବାକୁ ଯାଉଛନ୍ତି, ଏହି ଖବର ଶିକ୍ଷା ବିଭାଗ ପାଖରେ ବି ନାହିଁ। ଗଜପତି ଜିଲ୍ଲା ଶିକ୍ଷାଧିକାରୀ ମାୟାଧର ସାହୁ କହିଛନ୍ତି, ନିଜ ରୁଚି ଅନୁସାରେ  ଯାହାର ଯେଉଁଠି ସୁବିଧା ସିଏ ସେଇଠି ପାଠ ପଢ଼ିପାରିବେ। ଫଳରେ ସୀମାନ୍ତରେ ଓଡ଼ିଆ ଭାଷାର ବିକାଶ ପ୍ରତି ଶିକ୍ଷା ବିଭାଗ କେତେ ତତ୍ପର ତାହା ସ୍ପଷ୍ଟ ପ୍ରମାଣିତ ହେଉଛି।