ଭୁବନେଶ୍ବର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ବିଶେଷକରି ପଶ୍ଚିମ ଓଡ଼ିଶାର ତାତି କମିବାର ନାମ ନେଉନି। ଅସହ୍ୟ ଗରମ ଓ ଗୁଳୁଗୁଳିରେ ପଶ୍ଚିମ ଓଡ଼ିଶାବାସୀ ହନ୍ତସନ୍ତ ହେଉଛନ୍ତି। ଆଜି ରାଜ୍ୟର ୧୩ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ୪୩ ଡିଗ୍ରି ଉପରେ ୩ ସହର ଥିଲା। ସେଗୁଡ଼ିକ ହେଲା, ବଲାଙ୍ଗୀର, ସୁନ୍ଦରଗଡ଼ ଓ ବୌଦ୍ଧ। ରାଜ୍ୟର ଉତ୍ତପ୍ତ ସହର ଭାବେ ୪୩.୧ ଡିଗ୍ରି ସହ ଆଗରେ ବଲାଙ୍ଗୀର ଥିବା ବେଳେ ସୁନ୍ଦରଗଡ଼ ଓ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରି ରହିଥିଲା। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏମିତି ତାତି ଜାରି ରହିବ। ଆସନ୍ତାକାଲି ଓ ୧୯ ତାରିଖରେ ରାଜ୍ୟର କିଛି ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ହେବ। ଆସନ୍ତାକାଲି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଅନୁଗୁଳ ଓ ଢେଙ୍କାନାଳ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏସବୁ ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି।
ଅପରପକ୍ଷେ ଦକ୍ଷିଣ-ପଶ୍ଚିମ ବାୟୁ ଆଣ୍ଡାମାନ୍ ନିକୋବର ଦ୍ବୀପପୁଞ୍ଜରେ ପହଞ୍ଚି ସାରିଲାଣି। ଗତକାଲି ଆଣ୍ଡାମାନ ନିକୋବର ସମେତ ଆଖପାଖ କିଛି ଅଞ୍ଚଳରେ ମୌସୁମୀ ବର୍ଷା ହୋଇଯାଇଛି। ଆଜି ଏହା ଦକ୍ଷିଣ ବଙ୍ଗୋପସାଗରର ଆଉ କିଛି ଭାଗ, କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଞ୍ଚଳ, ଅଣ୍ଡାମାନ ସାଗର ଓ ଆଣ୍ଡାମାନର ସମଗ୍ର ଅଞ୍ଚଳରେ ସକ୍ରିୟ ହୋଇଯାଇଛି। ପାଗ ଅନୁକୂଳ ଥିବାରୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ପୂର୍ବାନୁମାନ ଅନୁଯାୟୀ ୨୭ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁ ଯିବ। ତେଣୁ ଓଡ଼ିଶାକୁ ମଧ୍ୟ ଏହା ଆଗୁଆ ଆସିବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଗତ ବର୍ଷ ଭଳି ଚଳିତ ବର୍ଷ ଜୁଲାଇ ଓ ଅଗଷ୍ଟରେ ମୌସୁମୀ ବର୍ଷା କମ୍ ରହିବ। ଜୁନ୍ରେ ମଧ୍ୟ ରାଜ୍ୟର କିଛି କିଛି ଅଞ୍ଚଳରେ ବର୍ଷା କମିବାର ଆଶଙ୍କା ରହିଛି। ମୌସୁମୀ ଋତୁରେ ମେଘ ସୃଷ୍ଟି ହେବ, ତାପମାତ୍ରା ମଧ୍ୟ ସ୍ବାଭାବିକଠାରୁ କମ୍ ରହିବ। କିନ୍ତୁ ବର୍ଷା କମ୍ ହେବ। ପରିଚଳନଜନିତ ବର୍ଷା ବିଭିନ୍ନ ସ୍ଥାନରେ ହେବ। ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିଜନିତ ବର୍ଷା ହେବାର ସମ୍ଭାବନା କମ୍। ଅକ୍ଟୋବରରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/temp.jpg)