ତାତି ବଢ଼ିବ : ରାଜଧାନୀ‌ରେ ପାରଦ ୩୯ଡିଗ୍ରି ଛୁଇଁବ!

ତାପମାତ୍ରା ୫ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ, ଦିନରେ ଗରମ, ରାତିରେ ଥଣ୍ଡା ଲାଗିବ

ଭୁବନେଶ୍ବର : ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାତି ବଢ଼ିବ। ଅଧିକାଂଶ ସ୍ଥାନରେ ତାପମାତ୍ରା ଦୁଇରୁ ତିନି ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ। ଏହା ପ୍ରଭାବରେ ରାଜ୍ୟରେ ଗରମ ଅନୁଭବ ହେବ । ଦିନବେଳା ପାରଦ ୩୫ଡିଗ୍ରି ଉପରେ ଏବଂ ରାତିରେ ୧୮ଡିଗ୍ରି ତଳେ ରହିବ। ତେଣୁ ଦିନବେଳା ଗରମ, ରାତିରେ ଥଣ୍ଡା ଲାଗିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୫ଦିନ ପାଗ ଶୁଖିଲା ରହିବ। ଏବେ ଯେପରି ତାତି ଅନୁଭୂତ ହେଉଛି ସେହିପରି ହେବ। ମାର୍ଚ୍ଚ ୧୫ ପରେ ପାଗ ପରିବର୍ତ୍ତନ ହୋଇପାରେ।

ସେହିପରି ଓୟୁଏଟିର ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତା ୬ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ରବିବାର ଠାରୁ ରାଜ୍ୟର ସମସ୍ତ ଅଞ୍ଚଳରେ ସର୍ବାଧିକ ତାପମାତ୍ରା କ୍ରମଶଃ ବଢ଼ିବ। ଫଳରେ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ତାପମାତ୍ରା ପ୍ରାୟ ୫ରୁ ୬ ଡିଗ୍ରି ବୃଦ୍ଧି ପାଇବ। ତାପମାତ୍ରା ୩୯ ଡିଗ୍ରି ଛୁଇଁପାରେ। ସେହିପରି ଦକ୍ଷିଣ, ପଶ୍ଚିମ ଓଡ଼ିଶାରୁ ବଲାଙ୍ଗୀର ପର୍ଯ୍ୟନ୍ତ ତାପମାତ୍ରା ପ୍ରାୟ ୪ରୁ ୫ଡିଗ୍ରି ବଢ଼ିବାର ସମ୍ଭାବନା ରହିଛି। ୧୩ ତାରିଖ ପର୍ଯ୍ୟନ୍ତ ରାତିର ତାପମାତ୍ରା ପରିବର୍ତ୍ତନ ହେବନି। ତେବେ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକା˚ଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି ବଢ଼ିବ। ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ରାତିରେ ଶିଶିରପାତ ଲାଗିରହିବ। ଏହାପରେ ଆଉ ଶିଶିରପାତ ହେବନି। ବର୍ତମାନ ବାୟୁ ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟ ଆଡ଼କୁ ପ୍ରବାହିତ ହେଉଛି। ଏହାପରେ ଓଡ଼ିଶା ଉପରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବ। ଫଳରେ ବଙ୍ଗୋପସାଗରୀୟ ପବନ ଦକ୍ଷିଣରୁ ରାଜ୍ୟକୁ ପ୍ରବାହିତ ହେବ। ଆସନ୍ତା ୧୬ ଓ ୧୭ ତାରିଖରେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଅଦିନିଆ ତଥା କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି।

ଅପରପକ୍ଷେ ଆଜି ମାଲକାନଗିରିରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୭ଡିଗ୍ରି ରେକର୍ଡ ହୋଇଛି। ଭୁବନେଶ୍ବରରେ ୩୩.୧, କଟକରେ ୩୨, ଅନୁଗୁଳରେ ୩୫, ସମ୍ବଲପୁର ଓ ସୁନ୍ଦରଗଡ଼ରେ ୩୩, ବଲାଙ୍ଗୀରରେ ୩୩.୮ଡିଗ୍ରି ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର