କୋରାପୁଟ: ବିଗିଡ଼ିଗଲାଣି କୋରାପୁଟର ଜଳବାୟୁ। ଜଙ୍ଗଲ କ୍ଷୟ, ଖଣି ଖନନର ପ୍ରଭାବ ଋତୁଚକ୍ର ଉପରେ ସାଂଘାତିକ ପ୍ରଭାବ ପକାଇଛି। ଶରତ ଋତୁରେ କୋରାପୁଟରେ ତାପମାତ୍ରା ଗ୍ରୀଷ୍ମ ଭଳି ୩୭.୨ ଡିଗ୍ରିକୁ ଟପିଛି। ଯାହା ରାଜ୍ୟରେ ସର୍ବୋଚ୍ଚ। ପାଣିପାଗ ବିଭାଗର ଏହି ରିପୋର୍ଟ ପରିବେଶବିତ୍‌ଙ୍କ ସମେତ ଅଞ୍ଚଳବାସୀଙ୍କୁ ଚିନ୍ତାରେ ପକାଇଛି। ରାଜ୍ୟର ଅନ୍ୟତମ ଥଣ୍ଡା ସ୍ଥାନ ଭାବେ କୋରାପୁଟ ବେଶ୍ ପରିଚିତ। ପ୍ରକୃତିର ଭୂସ୍ବର୍ଗ ତଥା ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ମାଳଭୂମିରେ ପୂର୍ବ ଭଳି ଆଉ ପାଗ ରହୁନାହିଁ। ପାଣିପାଗ ବିଭାଗ ଜାରି କରିଥିବା ରିପୋର୍ଟ ଅନୁଯାୟୀ ସେପ୍ଟେମ୍ବର ୨୦ରେ କୋରାପୁଟ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା। ଶରତରେ ତାପମାତ୍ରା ୩୭.୨ ଡିଗ୍ରି ଟପିବା ସଭିଁଙ୍କୁ ଚକିତ କରିଛି।

Advertisment

୩୭.୨ ଡିଗ୍ରି ଟପିଲା ତାପମାତ୍ରା, ରାଜ୍ୟରେ ସର୍ବୋଚ୍ଚ
ଜଙ୍ଗଲ ନଷ୍ଟ, ଖଣି ଖନନ, ସ୍ବଳ୍ପ ବୃଷ୍ଟିପାତର ପ୍ରଭାବ

ବିଗିଡ଼ିଗଲାଣି ପ୍ରକୃତିର ଭୂସ୍ବର୍ଗ କୋରାପୁଟର ଜଳବାୟୁ

କୋରାପୁଟରେ ୩୭.୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱର ଓ ନୟାଗଡ଼ରେ ୩୬.୫, ଚାନ୍ଦବାଲିରେ ୩୬.୨ ଓ ଜଗତସିଂହପୁରରେ ୩୬ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ପୂର୍ବରୁ ଶରତ ଋତୁରେ ଏଭଳି ଗରମ ଅନୁଭୂତ ହେଉନଥିଲା ବୋଲି କୋରାପୁଟ ସହରବାସୀ କହିଛନ୍ତି। ଏକଦା କୋରାପୁଟବାସୀ ଦୁଇଟି ଋତୁ ହିଁ ଅନୁଭବ କରୁଥିଲେ। ୬ ମାସ ବର୍ଷା, ୬ ମାସ ଶୀତ। ଗତ କିଛିବର୍ଷ ହେବ ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ବର୍ଷା, ଶୀତ ବଦଳରେ ଏବେ ଖରା ପ୍ରକୋପ ଦେଖିବାକୁ ମିଳୁଛି। ବର୍ଷା ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ହେଉଥିବା ବେଳେ ଶୀତ ନଭେମ୍ବରରୁ ଜାନୁଆରିକୁ ଖସି ଆସିଛି। ଗ୍ରୀଷ୍ମ ଦିନର ଅନୁଭବ ଆଦୌ ନଥିଲା ମାଳଭୂମ‌ିରେ। ପରିବେଶବିତ୍‌ ଅଜିତ କୁମାର ପାତ୍ର କହିଛନ୍ତି, ୨୦୦୦ ମସିହା ପର୍ଯ୍ୟନ୍ତ କୋରାପୁଟର ଜଳବାୟୁ ଠିକ ରହିଥିଲା। ୧୯୮୦ରେ ନୂଆ ଜଙ୍ଗଲ ଆଇନ ଆସିବା ପରେ ଅବାଧ ଗଛକଟା ସାଙ୍ଗକୁ ଜଙ୍ଗଲ ନଷ୍ଟ ହେବାରେ ଲାଗିଲା। ଫଳରେ ଜଳବାୟୁରେ ଅହେତୁକ ପରିବର୍ତ୍ତନ ଦେଖାଦେଇଛି।