ଆସନ୍ତା ୪ ଦିନରେ ୪ ଡିଗ୍ରି ଖସିବ ପାରଦ

ଭୁବନେଶ୍ବର: ଗତ ୨ ଦିନ ହେଲା ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରି ପାଖାପାଖି ଖସିଥିବା ବେଳେ ଏବେ ପୁଣି ତାପମାତ୍ରା ଖସିବ। ଗୋଟିଏ ଦିନରେ ୧ ଡିଗ୍ରି ଲେଖାଏଁ କରି ଆ‌ସନ୍ତା ୪ ଦିନରେ ୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବ। ଫଳରେ ରାଜ୍ୟରେ ଆସନ୍ତା ୩ରୁ ୪ ଦିନ ଭିତରେ ଶୀତ ଆରମ୍ଭ ହୋଇଯିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ପ୍ରଥମେ ଉତ୍ତର-ପଶ୍ଚିମ ଓଡ଼ିଶାରେ ପାରଦସ୍ତର ଖସିବ ଓ ଥଣ୍ଡା ପଡ଼ିବ। ଧୀରେଧୀରେ ଏହା ଉପକୂଳରୁ ଦକ୍ଷିଣ ଓଡ଼ିଶା ଯାଏ ବ୍ୟାପିବ ଓ ସାରା ଓଡ଼ିଶାକୁ ଶୀଳ କବଳିତ କରିବ।‌

କେନ୍ଦ୍ରର ବୈଜ୍ଞାନିକ ଏଚ୍‌ ଆର୍‌ ବିଶ୍ବାସ କହିଛନ୍ତି ଯେ ଗତ ୨୪ ଘଣ୍ଟାରେ କୋରାପୁଟ ଜିଲ୍ଲାର କିଛି କିଛି ଅଞ୍ଚଳରେ ହାଲ୍‌କା ବ‌ର୍ଷା ହୋଇଯାଇଛି। ବାକି ସମସ୍ତ ଜିଲ୍ଲାରେ ଶୁଖିଲା ପାଗ ରହିଥିଲା। ରାଜ୍ୟର ସର୍ବନିମ୍ନ ତାପମାତ୍ରା ସୋନପୁରଠାରେ ୧୫.୮ ଡିଗ୍ରି ରେକର୍ଡ ହୋଇଛି। ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ସ୍ବାଭାବିକ ତାପମାତ୍ରାଠାରୁ ଅଧିକ ତାପମାତ୍ରା ରହିଛି। ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ରହିଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ କୋରାପୁଟ ଓ ମାଲକାନଗିରି ଭଳି ଜିଲ୍ଲାଗୁଡ଼ିକରେ କେତେକ ଜିଲ୍ଲାରେ ବର୍ଷା ହୋଇପାରେ। ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ରାତିର ତାପମାତ୍ରା ବା ସର୍ବୋଚ୍ଚ ତାପମାତ୍ରା ଖସିବ। ପ୍ରାରମ୍ଭିକ ଭାବେ ଉତ୍ତର-ପଶ୍ଚିମ ଓଡ଼ିଶା ଓ ପରେ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ଖସିବା ଆରମ୍ଭ ହେବ। ଭୁବ‌ନେଶ୍ବରରେ ଆଜି ସର୍ବନିମ୍ନ ତାପମାତ୍ରା ୨୩.୧ ଡିଗ୍ରି ଓ କଟକରେ ୨୧.୫ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଦ୍ବୈତନଗରୀର ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରି ପାଖାପାଖି ରହିବ ବୋଲି ଶ୍ରୀ ବିଶ୍ବାସ କହିଛନ୍ତି।

ସମ୍ବନ୍ଧିତ ଖବର