୧୯ ପରେ ଆହୁରି ବଢ଼ିବ ତାତି, ଉପୁଜିଲାଣି ଅଂଶୁଘାତ ସ୍ଥିତି

ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆରସି

ଭୁବନେଶ୍ବର: ରାଜ୍ୟରେ ପ୍ରଖର ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ଗତକାଲି ଅପେକ୍ଷା ରାଜ୍ୟରେ ଖରାର ପ୍ରକୋପ ଅପେକ୍ଷାକୃତ କମିଥିଲେ ମଧ୍ୟ ୪ଟି ସହର ତାପମାତ୍ରା ୪୧ ଡିଗ୍ରି ଡେଇଁଯାଇଛି। ଏଥିସହିତ ସମୁଦାୟ ୭ଟି ସହର ତାପମାତ୍ରା ୪୦ ଡିଗ୍ରି ପାର ହୋଇଛି। ତେବେ ଆସନ୍ତା ଏକ ସପ୍ତାହ ଧରି ରାଜ୍ୟର ତାପମାତ୍ରା ଏହି ଭଳି ରହିବ ଓ ୪୨ ଡିଗ୍ରି ଅତିକ୍ରମ କରିପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ସୂଚନା ଦେଲେଣି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଦିନ ବେଳା ଆକାଶ ନିର୍ମଳ ରହିବ ଓ ଉପରବେଳା ଆଡ଼କୁ ବିଭିନ୍ନ ସ୍ଥାନରେ ଆକାଶକୁ ମେଘ ଘୋଟି ଆସି କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବ। ଆସନ୍ତାକାଲି କୋରାପୁଟ, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାର କିଛି ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ କାଳବୈଶାଖୀ ବର୍ଷା ହୋଇପାରେ। ସେହିପରି ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, କେନ୍ଦୁଝର ଓ ଯାଜପୁର ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ୧୬ ତାରିଖ ଦିନ ମୟୂରଭଞ୍ଜ, ବାଲେଶ୍ବର, କୋରାପୁଟ, ଗଜପତି ଓ ଗଞ୍ଜାମ ଆଦି ଜିଲ୍ଲାର କେତେକ ସ୍ଥାନରେ ସ୍ବଳ୍ପ ବର୍ଷା ହୋଇପାରେ। ୧୭ ତାରିଖ ବେଳକୁ ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ବାଲେ‌ଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଧା ଓ ପୁରୀ ଆଦି ଜିଲ୍ଲାର କିଛି ସ୍ଥାନରେ ପବନର ବେଗ ବଢ଼ିବ। ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ବର୍ଷା ହେବ ବୋଲି ଆକଳନ କରାଯାଉଛି। ଏହି ଦିନ କେନ୍ଦୁଝର, ଢେଙ୍କାନାଳ, କଟକ, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ। ୧୮ ତାରିଖ ଦିନ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, କେଉଁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାର କେତେକ ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବର ସମେତ ଏହାର ପଡ଼ୋଶୀ ଅଞ୍ଚଳଗୁଡ଼ିକରେ ତାପମାତ୍ରା ୪୦ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିବ। ରାତିର ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିବ।

ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ କହୁଛି, ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗରମ ଚାଲୁ ରହିବ। ୧୯ ତାରିଖ ବେଳକୁ କେତେକ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରି ଟପିବ। କିନ୍ତୁ ଏହି ସମୟରେ ଉପକୂଳ ଓଡ଼ିଶାରେ ତାପମାତ୍ରା କମ୍‌ ରହିବ। ମଝିରେ ମଝିରେ କାଳବୈଶାଖୀ ବର୍ଷା ‌ଯୋଗୁଁ ରାଜ୍ୟରେ ସ୍ବଭାବିକ ଖରା ଦିନ ଭଳି ଅନୁଭୂତ ହେବ। ଆସନ୍ତାକାଲି ବଲାଙ୍ଗୀର ଓ ଭୁବନେଶ୍ବର ସମେତ ରାଜ୍ୟର କେତେକ ସ୍ଥାନରେ ସର୍ବାଧିକ ତାପମାତ୍ରା କମିବ। ଭୁବନେଶ୍ବର ଓ ଉପକୂଳ ଅଞ୍ଚଳରେ ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ତାପମାତ୍ରା କମିବ ଓ ଗୁରୁବାର ଦିନ ୩୬-୩୭ ଡିଗ୍ରି ମଧ୍ୟରେ ରହିବ। ତା’ପରେ ଅପରିବର୍ତ୍ତିତ ରହିବ। ୧୬ ତାରିଖରେ କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାର ତାପମାତ୍ରା ବଢ଼ିବ।
୧୭ରୁ ରାଜ୍ୟର ଅନେକ ସ୍ଥାନର ତାପମାତ୍ରା ପୁଣି ବଢ଼ିବ। ବିଶେଷ କରି ଉତ୍ତର ପଶ୍ଚିମ ଓଡ଼ିଶା ୧୭ ତାରିଖରେ ଏବଂ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶା ୧୮ ତାରିଖରେ ବଢ଼ିବ। ସାରା ରାଜ୍ୟରେ ୧୯ ତାରିଖ ଆଡ଼କୁ ତାପମାତ୍ରା ବଢ଼ିଯିବ। ୨୦ ତାରିଖରେ କିଛି ସ୍ଥାନରେ ବିଶେଷ କରି ଉପକୂଳ ‌ଓ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା କମିବ ଓ ୨୨ ତାରିଖରେ ଦକ୍ଷିଣ ଓଡ଼ିଶାରେ କମିବ। ଭୁବନେଶ୍ବରଠାରୁ ଯାଜପୁର ସଂଯୋଗ କରୁଥିବା ସରଳରେଖାର ପୂର୍ବରେ ଅର୍ଥାତ ଖୋର୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ଭଦ୍ରକରେ ତାପମାତ୍ରା ଅପେକ୍ଷାକୃତ କମ ରହିବ। ୧୬ ରୁ ୧୯ ତାରିଖରେ ଉପକୂଳ ଓଡ଼ିଶାର କେତେକ ଜାଗାରେ ଓ ୨୦ରୁ ୨୨ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି।

ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ ତାପମାତ୍ରା ବୃଦ୍ଧି ପାଇବା ସହିତ ଅଂଶୁଘାତ ଭଳି ସ୍ଥିତି ଉପୁଜିଲାଣି। ଏମିତି ଢଙ୍ଗରେ ଆଜି ସ୍ବତନ୍ତ୍ର ରିଲିଫ୍ କମିସନର ସବୁ ଜିଲ୍ଲାପାଳଙ୍କୁ ପୁଣି ଥରେ ସତର୍କ କରାଇ ଦେଇଛନ୍ତି। ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଆଜି ଏକ ଚିଠିରେ ଜଣାଇଛନ୍ତି, ଗ୍ରୀଷ୍ମ-୨୦୨୦ ପାଇଁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବାକୁ ହେବ। କାରଣ, ରାଜ୍ୟର ଅନେକ ଭାଗରେ ତାପମାତ୍ରା ବଢିବାରେ ଲାଗିଛି। ଅଂଶୁଘାତ ଭଳି ସ୍ଥିତି ଉପୁଜିଲାଣି। କୋଭିଡ ପାଇଁ ଯେଉଁ ଲକ୍‌ଡାଉନ୍ ନିଷ୍ପତ୍ତି କୋହଳ କରାଯାଇଛି, ସେ ମଧ୍ୟରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁପାଳନ, ଜଙ୍ଗଲ ମନରେଗା, ମାଲ ପରିବହନ ଆଦି କ୍ଷେତ୍ର ରହିଛି। ଏଣୁ ଅଂଶୁଘାତ ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ହେବ।

ଏସ୍‌ଆରସି କହିଛନ୍ତି, କୋଭିଡ୍-୧୯ ପାଇଁ ବ୍ୟସ୍ତ ସମୟରୁ ଜିଲ୍ଲାପାଳମାନଙ୍କୁ କିଛି ସମୟ କାଢ଼ିବାକୁ ହେବ ଓ ଜିଲ୍ଲା ଓ ସବ୍‌ଡିଭିଜନସ୍ତରରେ ସମୀକ୍ଷା କରିବାକୁ ପଡ଼ିବ। ନିଶ୍ଚିତ କରିବାକୁ
ହେବ ଯେ ଅଂଶୁଘାତ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ବିଶେଷକରି ସବୁ ହସ୍ପିଟାଲ, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପଶୁଧନ ଚିକିତ୍ସାଳୟ, ଏଲଆଇ ସେଣ୍ଟର ଆଦିରେ ନିରବଚ୍ଛିନ୍ନ ଜଳଯୋଗାଣ କରିବାକୁ ହେବ। ତୁରନ୍ତ ଜିଲ୍ଲାସ୍ତରରେ ଗଠନ ହୋଇଥିବା କମିଟି ବୈଠକ ଡାକିବା ସହିତ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପାନୀୟ ଜଳ କେନ୍ଦ୍ର ଖୋଲିବାକୁ ହେବ।ତେବେ ବିଶୁଦ୍ଧ ଜଳଯୋଗାଣ ପ୍ରତି ଧ୍ୟାନ ଦେବାକୁ ହେବ। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବୁଲୁଥିବା ପ୍ରାଣୀମାନଙ୍କ ପାଇଁ ମଧ୍ୟ ଜଳଯୋଗାଣ ବ୍ୟବସ୍ଥା କରିବା ଲାଗି ଜିଲ୍ଲାପାଳଙ୍କୁ ଆଜି ନିର୍ଦେଶ ଦିଆଯାଇଛି। ଗତକାଲି ରାଜ୍ୟର ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରି ଉପରେ ଥିବା ବେଳେ ଭୁବନେଶ୍ବର ଓ ଟିଟିଲାଗଡ଼ ତାପମାତ୍ରା ସବୁଠାରୁ ଅଧିକ ଥିବା ରେକର୍ଡ କରାଯାଇଥିଲା। ଆଜି ୭ଟି ସ୍ଥାନରେ ୪୦ ଡିଗ୍ରି ଉପରେ ରହିଛି ଓ ୪ଟି ସ୍ଥାନରେ ତାପମାତ୍ରା ୪୧ ଡିଗ୍ରି ଅତିକ୍ରମ କରିଛି। ବଲାଙ୍ଗୀରରେ ସର୍ବୋଚ୍ଚ ତାପମାତ୍ରା ୪୧.୫ ଡିଗ୍ରି ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର