ଭୁବନେଶ୍ୱର: ଥରୁଛି ଆଭ୍ୟନ୍ତରୀଣ ଓଡ଼ିଶା। ଫୁଲବାଣୀ ହେଉ କି ଅନୁଗୁଳ, ସବୁଠି ପ୍ରବଳ ଥଣ୍ଡା। ତାପମାତ୍ରା ସର୍ବନିମ୍ନସ୍ତରକୁ ଖସି ଆସିଛି। ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ଫୁଲବାଣୀରେ ଆଜି ବି ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରି ରେକର୍ଡ ହୋଇଛି। ଦାରିଙ୍ଗବାଡ଼ିରେ ଅସହ୍ୟ ଜାଡ଼ ଅନୁଭୂତ ହେଉଛି। ରାତି ୯ଟାରୁ ଭୋର ସମୟ ପର୍ଯ୍ୟନ୍ତ ଥଣ୍ଡା ଲାଗି ରହୁଛି। କିନ୍ତୁ ଦିନ ସମୟରେ ଏବେ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ଯାଏ ସବୁଠି ତାପମାତ୍ରା ୨୫ ଡିଗ୍ରି ଉପରେ ରହୁଛି। ଆଜି ୧୧ଟି ସହରର ସର୍ବାଧିକ ତାପମାତ୍ରା ୩୦ ଡିଗ୍ରି ଉପରେ ରହିଥିଲା। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଧୀରେ ଧୀରେ ବଢ଼ୁଛି। ମାଲକାନଗିରିରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୩ ଡିଗ୍ରି ରେକର୍ଡ କରାଯାଇଛି। ଅନୁଗୁଳ, ଝାରସୁଗୁଡ଼ା, ହୀରାକୁଦ, ବଲାଙ୍ଗିରରେ ଦିନ ସମୟର ତାପମାତ୍ରା ୩୦ ଡିଗ୍ରି ଉପରେ ରହୁଥିବା ବେଳେ ରାତିରେ ୧୦ ଡିଗ୍ରି ତଳକୁ ଖସି ଆସୁଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଫେବ୍ରୁଆରି ୩ ତାରିଖ ଯାଏ ଥଣ୍ଡା ଜାରି ରହିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ଥଣ୍ଡା ଅନୁଭୂତ ହେବ। କିନ୍ତୁ ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି ଲାଗି ରହିବ। ଫେବ୍ରୁଆରି ୪ ପରେ ଦିନ ସମୟରେ ତାପମାତ୍ରା ବଢ଼ିବ। ଗତ ୨୪ ଘଣ୍ଟା ମଧ୍ୟରେ ୧୦ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ଫୁଲବାଣୀରେ ୪ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ୫.୨, ସୁନ୍ଦରଗଡ଼ରେ ୭.୫, ହୀରାକୁଦରେ ୮.୫, ଝାରସୁଗୁଡ଼ାରେ ୮.୭, କୋରାପୁଟରେ ୯.୫, ଅନୁଗୁଳରେ ୯.୬, କେନ୍ଦୁଝରଗଡ଼ରେ ୯.୭, ଭବାନୀପାଟଣା ଓ ବଲାଙ୍ଗିରରେ ୯.୮ ଡିଗ୍ରି ରହିଥିଲା। ଭୁବନେଶ୍ୱରର ତାପମାତ୍ରା ଦୁଇ ଡିଗ୍ରି ହ୍ରାସ ପାଇ ୧୧.୯ ଡିଗ୍ରିରେ ପହଞ୍ଚିଛି। କଟକରେ ବି ୧୨.୪ ଡିଗ୍ରି ରହିଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଦିନବେଳେ ବଢ଼ୁଛି ତାପମାତ୍ରା
ଏବେବି ୧୦ ଡିଗ୍ରି ତଳେ ୧୦ ସହର
/sambad/media/post_attachments/wp-content/uploads/2018/01/weather.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)