ମାର୍ଚରେ ରେକର୍ଡ ଭାଙ୍ଗିଲା ତାତି : ୪୦ଂ ଉପରେ ୭ ସହର

ଭୁବନେଶ୍ୱର : ରେକର୍ଡ ଭାଙ୍ଗିଲା ତାତି। ମାର୍ଚ୍ଚ ମାସରେ ଦେଶର ଉତ୍ତପ୍ତ ରାଜ୍ୟ ପାଲଟିଛି ଓଡ଼ିଶା। ଆଜି ଗୋଟିଏ କି ଦୁଇଟି ନୁହେଁ, ଏକାଥରେ ଓଡ଼ିଶାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରକୁ ଚାଲିଯାଇଛି। ଅନୁଗୁଳ ଓ ଟିଟିଲାଗଡ଼ରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦.୫ ଡିଗ୍ର୍ରି ରେକର୍ଡ ହୋଇଛି, ଯାହାକି ଦେଶର ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା। ତେଲେଙ୍ଗାନାର କୋଠାଗୁଡେମ୍‌ରେ ଦେଶର ସର୍ବୋଚ୍ଚ ତାପମାତ୍ରା ୪୦.୮ ରେକର୍ଡ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମାର୍ଚ ୪ର୍ଥ ସପ୍ତାହରେ ଓଡ଼ିଶାର ତାପମାତ୍ରା ୩୫ରୁ ୩୮ ଡିଗ୍ରି ମଧ୍ୟରେ ରହିବା କଥା। କିନ୍ତୁ ଏହାଠାରୁ ୩ ଡିଗ୍ରି ଅଧିକ ରହୁଛି ତାପମାତ୍ରା। ଗତ ୪ ଦିନ ହେଲା ଏଭଳି ସ୍ଥିତି ଲାଗିରହିଥିବାରୁ ଆଗକୁ ଭୟଙ୍କର ତାତି ହେବାର ଆଶଙ୍କା ପ୍ରକାଶ ପାଇଛି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ କୌଣସି ପରିସ୍ଥିତିରେ ତାତି କମିବାର ଦେଖାଯାଉ ନାହିଁ। ପଶ୍ଚିମ ଦିଗରୁ ପବନ ବୋହୁଥିବାରୁ ତାତି ବଢ଼ୁଛି ବୋଲି ପାଣିପାଗ ବିଜ୍ଞାନୀମାନେ କହିଛନ୍ତି। ଟିଟିଲାଗଡ଼ ଓ ଅନୁଗୁଳ ବ୍ୟତୀତ ଆଜି ମାଲକାନଗିରିରେ ୪୦.୪, ସୋନପୁରରେ ୪୦.୨, ହୀରାକୁଦରେ ୪୦.୧, ତାଳଚେରରେ ୪୦ ଡିଗ୍ରି ରେକର୍ଡ ହୋଇଛି। ଭୁବନେଶ୍ୱରର ତାପମାତ୍ରା ପୁଣିଥରେ ୩୯ ଡିଗ୍ରିରେ ପହଞ୍ଚିଛି। ଝାରସୁଗୁଡ଼ା ମଧ୍ୟ ତତଲା ସହରରେ ପରିଣତ ହୋଇଛି। ଏଠାରେ ୩୯.୭ ଡିଗ୍ର୍ରି ରହିଥିବା ବେଳେ ଢ଼େଙ୍କାନାଳରେ ୩୯.୪ ଓ ସମ୍ବଲପୁରରେ ୩୯ ଡିଗ୍ରି ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ମାର୍ଚ୍ଚ ୩୦ ମଧ୍ୟରେ ୨ରୁ ୩ଟି ସହରର ତାପମାତ୍ରା ୪୨ ଡିଗ୍ରିରେ ପହଞ୍ଚିବ। ବିଶେଷକରି ପଶ୍ଚିମ ଓଡ଼ିଶାରେ ତାତି ବଢ଼ିବାର ଆଶଙ୍କା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ ଓ କେନ୍ଦୁଝରର କେତେକ ସ୍ଥାନରେ କାଳବୈଶାଖୀର ଆଶଙ୍କା ରହିଛି। ୫୦ରୁ ୬୦ କି.ମି ବେଗରେ ପବନ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର