୩୫ ଡିଗ୍ରି ଉପରେ ୧୫ ସହର

ଭୁବନେଶ୍ୱର : ସାରା ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଦୁଇ ଦିନ ହେଲା ଟିକିଏ ଆଶ୍ୱସ୍ତି ମିଳିଥିବା ବେଳେ ଆଜି ପୁଣିଥରେ ବଢ଼ିଛି ତାତି। ୧୫ଟି ସହରର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିବା ବେଳେ ସୋନପୁର ପୁଣିଥରେ ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଣତ ହୋଇଛି। ଏଠାରେ ଆଜି ତାପମାତ୍ରା ୩୮.୬ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ମାଲକାନଗିରିରେ ୩୭.୬, ତାଳଚେରରେ ୩୭.୪, ଭବାନୀପାଟଣା ଓ ସୁନ୍ଦରଗଡ଼ରେ ୩୭ ଡିଗ୍ରି ରହିଥିଲା। ତେବେ ଭୁବନେଶ୍ୱର, କଟକ, ବାଲେଶ୍ୱର ସହରରେ ତାପମାତ୍ରା ୩୫ ଡିଗ୍ରି ରହିଥିଲା। ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ। ତାପମାତ୍ରା ବିଶେଷ ବୃଦ୍ଧି ପାଇବ ନାହିଁ। ୨ରୁ ୩ ଡିଗ୍ରି ମଧ୍ୟରେ ଏପାଖ ସେପାଖ ରହିପାରେ। ମାର୍ଚ୍ଚ ୧୫ ଓ ୧୬ ତାରିଖ ଅପରାହ୍ନରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀର ଆଶଙ୍କା ରହିଛି। ଅନ୍ୟପକ୍ଷରେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସମ୍ବନ୍ଧିତ ଖବର