କନ୍ଧମାଳରେ ଶୀତ ଲହରୀ ଜାରି: ଦାରିଙ୍ଗବାଡି ପରେ ଫୁଲବାଣୀରେ ତୁଷାରପାତ

ଦିନରେ ଘରେ ଓ ବାହାରେ ରାତିରେ ପ୍ରବଳ ଥଣ୍ଡା 

ଫୁଲବାଣୀ: ପାରଦ ଖସୁଛି। କନ୍ଧମାଳରେ ଶୀତର ଲହରୀ ଲାଗି ରହୁଛି। ଶୀତର ପ୍ରକୋପ ଏତେ ମାତ୍ରା ପଡୁଛି ଯେ ଦିନରେ ଘରେ ରହି ହେଉ ନାହିଁ କି ରାତିରେ ବାହାରେ ବୁଲି ହେଉ ନାହିଁ। ଘରେ ବି ଶୀତବସ୍ତ୍ର ପିନ୍ଧିବା ସହ ପିଇବା ହେଉ କି ସ୍ନାନ ପାଇଁ ପାଣି ଗରମ କରିବାକୁ ପଡୁଛି। ସଂଧ୍ୟା ହେଲେ ଶୀତ ମାଡି ଆସୁଛି। ବାହାରରେ ବୁଲିବା ମୁସ୍କିଲ ହୋଇ ପଡୁଛି। ଯଦି ବା କେହି ପଦାକୁ ବାହାରୁଛି ପାଦରୁ ମୁଣ୍ଡ ଯାଏ ଶୀତରୁ ତ୍ରାହି ପାଇଁ ଶୀତ ବସ୍ତ୍ର ପରିଧାନ କରିବାକୁ ପଡୁଛି।

ଲଗାତାର ୩ ଦିନ ହେଲା ଫୁଲବାଣୀର ତାପମାତ୍ରା ୪ ଡିଗ୍ରି ରହୁଛି। ଦାରିଙ୍ଗବାଡିରେ ବି ପାରଦ ଖସୁଛି। ଆଜି ଦାରିଙ୍ଗବାଡିର ତାପମାତ୍ରା ୫କୁ ଖସିଛି। ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଦୁଇ ଦିନ ହେଲା ତୁଷାରପାତ ପଡିଥିବା ବେଳେ ଆଜି ଫୁଲବାଣୀରେ ଏହା ଦେଖିବାକୁ ମିଳିଛି। ବସଷ୍ଟାଣ୍ଡ,ଏଫସିଆଇ ଛକ ଓ କଲେଜ ଛକରେ ଘାସ ଉପରେ ତୁଷାରପାତ ପଡିଥିଲା। ଆଉ ବାହାରେ ରହୁଥିବା ବହୁ ଲୋକଙ୍କ କାର ଓ ବାଇକ ଉପରେ ତୁଷାରପାତ ପଡିଥିବା ଦେଖିବାକୁ ମିଳିଥିଲା। ତୁଷାରପାତ ଦେଖିବାକୁ ଭିଡ ଜମି ଥିଲା। କନ୍ଧମାଳ ଥରୁଥିବା ବେଳେ ଶୀତରୁ ମଜା ନେବା ପାଇଁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି।

ବିଶେଷତଃ ଦାରିଙ୍ଗବାଡି ସମେତ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରରେ ପର୍ଯ୍ୟଟକଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛି। ଲଗାତାର ୪ ଦିନ ଛୁଟିଥିବା ବେଳେ ଆଜି ଥିଲା ବୁଧବାର। ତେଣୁ ଆଜି ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରରେ ଭୋଜିଭାତର ଆସର ଜମିଥିଲା। ଶୀତରୁ ମଜା ଉଠାଇବା ପାଇଁ ପୁରଠୁ ପଲ୍ଲୀ ସବୁଠି ଖୁସିର ମାହୋଲ। ହେଲେ କରୋନା ଭୟ ଆଶଙ୍କା ଥିବାରୁ ଅଧିକାଂଶ ସଚେତନ ଓ ସତର୍କ ହୋଇ ଘରେ ରହିବାକୁ ଉଚିତ ମନେ କରୁଛନ୍ତି।

ସମ୍ବନ୍ଧିତ ଖବର