ତାତିଲା ଟିଟିଲାଗଡ଼, ତାପମାତ୍ରା ୪୨ ଡିଗ୍ରି, ଆଗକୁ ସ୍ଥିତି ହେବ ଭୟାନକ!

ଭୁବନେଶ୍ୱର: ସାରା ରାଜ୍ୟରେ ବୁଧବାର ତାପମାତ୍ରା ବଢ଼ିଥିବା ପରିଲକ୍ଷିତ ହୋଇଛି। ରାଜ୍ୟର ୭ଟି ସହରର ତାପମାତ୍ରା ୪୦ ଡିଗ୍ରି ରହିଥିବା ବେଳେ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରି ରେକର୍ଡ ହୋଇଛି। ସକାଳ ୯ଟାରୁ ସୂର୍ଯ୍ୟଙ୍କ ପ୍ରକୋପ ଆରମ୍ଭ ହୋଇ ଯାଇଥିଲା। ୧୦ଟା ପରେ ସୂର୍ଯ୍ୟଦେବ ଆହୁରି ଉତ୍ତପ୍ତ ହୋଇ ଯାଇଥିଲେ। ସେହିପରି ଅପରାହ୍ନ ୨ଟା ବେଳକୁ ସ୍ଥିତି ଥିଲା ଉଦ୍‌ବେଗ ଜନକ। ମୁଣ୍ଡଫଟା ଖରାରେ ବାହାରକୁ ଯାଉଥିବା ଲୋକ ହିଁ ତାପମାତ୍ରାକୁ ଅନୁଭବ କରିପାରୁଥିଲେ। ପୁରୀ, ଗୋପାଳପୁର, ପାରଦୀପ ଓ ବାଲେଶ୍ୱରରେ ଅପେକ୍ଷାକୃତ କମ୍‌ ତାପମାତ୍ରା ଥିଲେ ବି ଭୀଷଣ ଗୁଳୁଗୁଳି ଅନୁଭୂତ ହୋଇଥିଲା।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁସାରେ ବଲାଙ୍ଗୀରର ତାପାମାତ୍ରା ୪୧ ଡିଗ୍ରି ଥିଲା। ସେହିପରି ଅନୁଗୁଳରେ ୪୦, ସୋନପୁରରେ ୪୦.୬, ତାଳଚେରରେ ୪୦.୨, ଝାରସୁଗୁଡ଼ାରେ ୪୦.୧, ମାଲକାନଗିରିରେ ୪୦ ଡିଗ୍ରି ତାପମାତ୍ରା ଥିଲା। ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୮.୪ ଡିଗ୍ରି ଥିବା ବେଳେ କଟକରେ ୩୭.୪ ଡିଗ୍ରି ଥିଲା। ଆଗାମୀ ଦିନରେ ତାପମାତ୍ରା ଆହୁରି ଅଧିକ ରହିବ।

ସମ୍ବନ୍ଧିତ ଖବର