ରାଜ୍ୟରେ ଖସିଲା ପାରଦ, ୯ରୁ ବଢ଼ିବ ତାତି

ଭୁବନେଶ୍ବର: ଦିନ ପ୍ରାୟ ୨ଟା ପର୍ଯ୍ୟନ୍ତ ପାଗ ମେଘୁଆ ରହିବାରୁ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ଆଜି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ସର୍ବାଧିକ ୬ ଡିଗ୍ରି ଖସିଛି। ଗତକାଲି ୩୮.୮ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଆଜି ଏହା ୩୨.୭ଡିଗ୍ରିକୁ ଖସି ଆସିଥିଲା। ସେହିପରି ୪୦ ଡିଗ୍ରି ସହ ଗତକାଲି ରାଜ୍ୟର ସବୁଠୁ ଉତ୍ତପ୍ତ ଜିଲ୍ଲା ପାଲଟିଥିବା ମାଲକାନଗିରିର ତାପମାତ୍ରା ଆଜି ମଧ୍ୟ ଅପରିବର୍ତ୍ତିତ ରହିଛି। ଅନୁଗୁଳ ଓ ତାଳଚେରରେ ମଧ୍ୟ ବିଶେଷ ପରିବର୍ତ୍ତନ ହୋଇନାହିଁ। ଏହି ଦୁଇ ସ୍ଥାନରେ ପାରଦ ୩୯ ଉପରେ ରହିଥିଲା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

କେନ୍ଦ୍ରର ସୂଚନା ଅନୁଯାୟୀ, ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳ ଅଞ୍ଚଳରେ ଆସନ୍ତାକାଲି ମଧ୍ୟ ଦିନର ସର୍ବୋଚ୍ଚ ତାପମାତ୍ରା କମିବ। ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ଆସନ୍ତାକାଲି କାଳବୈଶାଖୀ ବର୍ଷା ଯୋଗୁଁ ତାପମାତ୍ରା କମିପାରେ। ସେହିପରି ଭୁବନେଶ୍ବର ସମେତ ଉପକୂଳ ଓ ଏହା ସଂଲଗ୍ନ ଅଞ୍ଚଳରେ ୭ ଓ ୮ତାରିଖରେ ପାଗ ମେଘୁଆ ରହିବା ସହ ଓ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ତାପମାତ୍ରା କମ୍‌ ରହିବ। ତେବେ ଦକ୍ଷିଣ ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାରେ ଆଜିଠାରୁ ତାପମାତ୍ରା କିଛି ମାତ୍ରାରେ ବଢ଼ିଛି। ୯ତାରିଖଠାରୁ ସାରା ରାଜ୍ୟରେ ତାପମାତ୍ରା ଦ୍ରୁତ ଗତିରେ ବଢ଼ିବ। ୧୪ ତାରିଖରେ ଦକ୍ଷିଣ ଉପକୂଳରେ ବର୍ଷା ସମ୍ଭାବନା ଥିବାରୁ ସେହି ସ୍ଥାନରେ ତାପମାତ୍ରା କିଛି ହ୍ରାସ ପାଇବ। କିନ୍ତୁ ରାଜ୍ୟର ଅନ୍ୟ ସ୍ଥାନରେ ଗରମ ଲାଗି ରହିବ। ୧୩ତାରିଖ ଦିନ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୨ଡିଗ୍ରି ଟପିବ। ଏହା ୧୬ଯାଏଁ ଚାଲୁ ରହିବ। ୧୭ରୁ ୨୦ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇବ ଓ ପୁଣି ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ତଳକୁ ଖସିବ।

ସମ୍ବନ୍ଧିତ ଖବର