ଭୁବନେଶ୍ୱର: କାଳବୈଶାଖୀ ଜନିତ ବର୍ଷାରେ ସାରା ରାଜ୍ୟରେ ତାତି କମିଛି। ଏପରିକି ଭବାନିପାଟଣାକୁ ଛାଡ଼ିଦେଲେ ଆଜି ରାଜ୍ୟର ସମସ୍ତ ସ୍ଥାନରେ ପାରଦ ୪୦ଡିଗ୍ରି ତଳେ ରହିଛି। ଅଧିକାଂଶ ସ୍ଥାନରେ ପାରଦ ହଠାତ୍ ୨ରୁ ୪ଡିଗ୍ରି ପର୍ଯ୍ୟନ୍ତ ଖସିଯାଇଛି। ଲୋକଙ୍କୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଗତ କିଛି ଦିନ ଭଳି ଆଜି ଏବଂ ଆସନ୍ତାକାଲି ବି ବିଳମ୍ବିତ ରାତିରେ କାଳବୈଶାଖୀ ଜନିତ ବର୍ଷାପବନ ହେବ। ଏହା ପ୍ରଭାବରେ ୫ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ତାପମାତ୍ରା କମ୍ ରହିବ। କିନ୍ତୁ ୬ ତାରିଖରୁ ପୁଣି ତାତି ବଢ଼ିବ। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୦ଡିଗ୍ରି ଉପରେ ରହିବ। ଉପକୂଳ ଓ ଉତ୍ତର ଓଡ଼ିଶାରେ ପାରଦ ୪୦ଡିଗ୍ରି ପାଖାପାଖି ରହିବ। ଏହାପରେ ୯ତାରିଖରୁ ପୁଣି ତାତି କମିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ, ଏବେ ବିଳମ୍ବିତ ରାତିରେ କାଳବୈଶାଖୀ ଜନିତ ବର୍ଷା ପବନ ହେଉଥିବାରୁ ଦିନବେଳା ମାଟି ଓଦା ରହୁଛି। ଏହାସହ ସମୁଦ୍ରରୁ ସ୍ଥଳଭାଗକୁ ପବନ ବହୁଥିବାରୁ କମ୍ ତାତି ଅନୁଭୂତ ହେଉଛି। ୫ ତାରିଖ ପର୍ଯ୍ୟନ୍ତ ଏହିଭଳି ପାଗ ଜାରି ରହିବ। କାଳବୈଶାଖୀ ଜନିତ ବର୍ଷା ବେଳେ ୫୦ରୁ ୬୦କିମି ବେଗରେ ପବନ ବହିବା ସହ ଘଡ଼ଘଡ଼ି ଓ ବିଜୁଳି ମାରିବାର ସମ୍ଭାବନା ଅଛି। ତେଣୁ ଏହି ସମୟରେ ଲୋକମାନେ ସତର୍କତା ଅବଲମ୍ବନ କରିବା ଦରକାର। କିନ୍ତୁ ୬ରୁ ୯ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା କମ୍ ଅଛି। ଯାହାର ପ୍ରଭାବରେ ତାତି ବଢ଼ିବ।
ଆଜି ଭବାନିପାଟଣାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୦.୨ଡିଗ୍ରି ରେକର୍ଡ ହୋଇଥିବାବେଳେ ସୋନପୁରରେ ୩୯.୨, ବଲାଙ୍ଗୀରରେ ୩୯.୫, ତାଳଚେରରେ ୩୬.୨, ଭୁବନେଶ୍ୱରରେ ୩୪.୬, କଟକରେ ୩୪.୨, ଝାରସୁଗୁଡ଼ାରେ ୩୭.୫, ସୁନ୍ଦରଗଡ଼ରେ ୩୮, ସମ୍ବଲପୁରରେ ୩୮.୫ ଡିଗ୍ରି ରେକର୍ଡ ହୋଇଛି। ଅପରପକ୍ଷେ ଆଜି ଦିନବେଳା ରାଜ୍ୟର କୌଣସି ସ୍ଥାନରେ ବର୍ଷା ହୋଇ ନାହିଁ। ଗତ ୨୪ଘଣ୍ଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ ୧୪ମିମି ବର୍ଷା ହୋଇଥିବାବେଳେ ବଲାଙ୍ଗୀରରେ ୮ମିମି, କୋରାପୁଟରେ ୦.୮ମିମି, ଗୋପାଳପୁରରେ ୦.୩ ଏବଂ ପୁରୀରେ ୦.୨ମିମି ବର୍ଷା ହୋଇଛି।