ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତି ବିଶେଷ ବଢ଼ିବ ନାହିଁ

ଭୁବନେଶ୍ବର : ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟ ତାପମାତ୍ରାରେ ବୃଦ୍ଧି ଦେଖାଯିବ ନାହିଁ। ଏବେର ତାପମାତ୍ରା ଜାରି ରହିବ ଓ ଦିନ କିମ୍ବା ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। କିଛି କିଛି ସ୍ଥାନରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଛି। ସେ ସବୁ ସ୍ଥାନରେ ଆସନ୍ତା‌ ୪/୫ ଦିନ ଯା‌ଏ ବି ସେହିଭଳି ତାପମାତ୍ରା ଜାରି ରହିବ। ବାଲେଶ୍ବର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଧା, ପୁରୀ ଓ ଭଦ୍ରକ ଆଦି ଜିଲ୍ଲାରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

କେନ୍ଦ୍ର କହିଛି, ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ସ୍ଥାନରେ ପାଗ ଶୁଖିଲା ରହିଥିଲା। ଖୋର୍ଧା ଓ ଅନୁଗୁଳ ଜିଲ୍ଲାରେ ଘନ କୁହୁଡ଼ି ପଡ଼ିଥିବା ବେଳେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି। ଏଥିସହ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା କିଛି ମାତ୍ରାରେ ହ୍ରାସ ଘଟିଛି। ରାଜ୍ୟର ଅବଶିଷ୍ଟ ସ୍ଥାନର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକ ରହିଛି। ସେହିପରି ଉତ୍ତର ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ରାତ୍ରି ତାପମାତ୍ରା ବୃଦ୍ଧି ପାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର