ଭୁବନେଶ୍ବର : ରାଜ୍ୟର ତାପମାତ୍ରା ଗତ ୩ ଦିନ ଅପେକ୍ଷା ଗୁରୁବାର ଦିନ ଅପେକ୍ଷାକୃତ କମ୍ ରହିଛି। ଗୁରୁବାର ଦିନ ରାଜ୍ୟର ଅଧିକାଂଶ ସହରରେ ପାଗ ମେଘୁଆ ରହିଥିବା ବେଳେ ଅପରାହ୍ଣ ଆଡ଼କୁ ଅନେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ଦେଖିବାକୁ ମିଳିଥିଲା। ଗୁରୁବାର ଦିନ ମାତ୍ର ୩ଟି ସହରର ତାତି ୪୦ ଅତିକ୍ରମ କରିଛି। ରାଜ୍ୟର ଉତ୍ତପ୍ତ ସହର ଭାବେ ବୌଦ୍ଧରେ ୪୨ ଡିଗ୍ରି ତାତି ଅନୁଭୂତ ହୋଇଥିବା ବେଳେ ମାଲକାନଗିରିରେ ୪୧ ଡିଗ୍ରି ଓ ସୁନ୍ଦରଗଡ଼ରେ ୪୦ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୨ ଦିନରେ ତାପମାତ୍ରା ୨ରୁ ୪ଡିଗ୍ରି ଯାଏ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଥିସହ ସମଗ୍ର ଉପକୂଳରେ ଆଜି ଦିନତମାମ୍ ପାଗ ମେଘୁଆ ରହିଥିଲା। ଉପକୂଳର ଅଧିକାଂଶ ସହରର ଦିନ ତାପମାତ୍ରା ୩୪ ଡିଗ୍ରି ପାଖାପାଖି ରହିଥିଲା।
ପାଣିପାଗ କେନ୍ଦ୍ର କହିଛି, ଆସନ୍ତା ୨ଦିନରେ ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗରର ଆଉ କିଛି ଅଞ୍ଚଳ ତଥା ଦକ୍ଷିଣ ଆରବ ସାଗରର କିଛି କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହେବ। ଫଳରେ କେରଳରେ ଖୁବ୍ଶୀଘ୍ର ମୌସୁମୀ ପହଞ୍ଚିବ। ଅନ୍ୟପଟେ ରାଜ୍ୟରେ ଏବେ କାଳବୈଶାଖୀଜନିତ ବର୍ଷା ଜାରି ରହିଛି। ଆଜି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ କନ୍ଧମାଳ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। ୨୧ ତାରିଖ ଦିନ ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, କୋରାପୁଟ, ରାୟଗଡ଼ା ଓ ଗଜପତି ଆଦି ଜିଲ୍ଲାରେ ଝଡ଼ବର୍ଷା ନେଇ ୟେଲୋୱାର୍ଣ୍ଣିଂ ଜାରି ହୋଇଛି। ଆଜି ମଧ୍ୟ ଉପକୂଳର ପାଗ ଶୀତଳ ରହିବ। ଗୁରୁବାର ଦିନ ରାଜଧାନୀ ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୩୪.୬ ଡିଗ୍ରି ଓ କଟକର ସର୍ବୋଚ୍ଚ ତାପମାତ୍ରା ୩୪ଡିଗ୍ରି ରହିଥିଲା। ଆଜି ରାଜଧାନୀ ସମେତ ଏହାର ଆଖପାଖ ଅଞ୍ଚଳେର ଅପରାହ୍ଣ ଆଡ଼କୁ ଝଡ଼ବର୍ଷାର ସମ୍ଭାବନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Monsoon-To-Hit-Odisha-By-June-8-660x330-1.jpg)