ସୋମବାରରୁ ବଢ଼ିବ ତାପମାତ୍ରା, ଭୁବନେଶ୍ବର ପାଲଟିବ ଉତ୍ତପ୍ତ ସହର

ଭୁବନେଶ୍ବର : ଆଜିଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ। ସୋମବାରଠାରୁ ଆକାଶ ନିର୍ମଳ ଓ ଖରାଟିଆ ପାଗ ରହିବ। ରାଜ୍ୟରେ ଖରାର ପ୍ରକୋପ ବଢ଼ିବ ଓ ଶୀତ ଫେରିବାର ସମ୍ଭାବନା କମ୍‌ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

କେନ୍ଦ୍ରର ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ କନ୍ଧମାଳ, ବରଗଡ଼, ଅନୁଗୁଳ, ଝାରସୁଗୁଡ଼ା ଓ ସମ୍ବଲପୁର ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହୋଇଯାଇଛି। ‌ଏହାଛଡ଼ା ରାଜ୍ୟର ଅବଶିଷ୍ଟ ଅଞ୍ଚଳରେ ପାଗ ଶୁଖିଲା ରହିଥିବା ‌ବେଳେ ଜଗତସିଂହପୁର, ମାଲକାନଗିରି ଓ କନ୍ଧମାଳ ଆଦି ଜିଲ୍ଲାରେ ଆଜି ସକାଳୁ ହାଲ୍‌କା କୁହୁଡ଼ି ମଧ୍ୟ ଦେଖିବାକୁ ମିଳିଥିଲା। ଆଗକୁ ରାଜ୍ୟର ପାଗ ଶୁଖିଲା ରହିବ ଓ ଶୀତ ଦୂରେଇ ଯିବ ବୋଲି ଜଣାପଡ଼ିଛି।

ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଗତ ୨ ଦିନ ହେଲା ରାଜ୍ୟରେ ଲାଗି ରହିଥିବା କୋହଲା ପାଗ ଆଉ ରହିବ ନାହିଁ। ଆଜିଠାରୁ ପାଗ ଶୁଖିଲା ରହିବ। ସୋମବାରଠାରୁ ଖରାର ପ୍ରକୋପ ବଢ଼ିବ। ସାରା ରାଜ୍ୟରେ ତାପମାତ୍ରା ୨୬ ତାରିଖ ପର୍ଯ୍ୟନ୍ତ ବଢ଼ିବ। ଦିନର ତାପମାତ୍ରା ଅପେକ୍ଷାକୃତ ଅଧିକ ବଢ଼ିବ। ଭୁବନେଶ୍ବର, ମାଲକାନଗିରି, ଟିଟିଲାଗଡ଼, ତାଳଚେର ଆଦି କେତେକ ସ୍ଥାନରେ ୨୫ ବା ୨୬ ତାରିଖ ସର୍ବାଧିକ ତାପମାତ୍ରା ୩୮ଡିଗ୍ରିରୁ ଅଧିକ ରହିପାରେ। ବର୍ତ୍ତମାନ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ଭାରତରେ ତାପମାତ୍ରା ଅଧିକ ରହିଛି। ଅନୁମାନ କରାଯାଉଛି କି, ଆସନ୍ତାକାଲିଠାରୁ ସେହି ଅଞ୍ଚଳରୁ ରାଜ୍ୟକୁ ପବନ ବହିବ। ଏଣୁ ସାରା ରାଜ୍ୟରେ ଉଭୟ ସର୍ବନିମ୍ନ ଓ ସର୍ବାଧିକ ତାପମାତ୍ରା ବଢ଼ିବ। ରବିବାର ଉପର ବାୟୁମଣ୍ଡଳରେ ମେଘ ହେତୁ ଖରା କମ୍‌ ଟାଣ ରହିବ। ତେବେ ତା’ ପରଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଖରାଟିଆ ପାଗ ଯୋଗୁଁ ଗରମ ବଢ଼ି ଯିବ। ଆକଳନ କରାଯାଉଛି ଯେ, ଆସନ୍ତା ୨୬ ତାରିଖ ସୁଦ୍ଧା ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳ, କେନ୍ଦ୍ରୀୟ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ସର୍ବାଧିକ ତାପମାତ୍ରା ପ୍ରାୟ ୮ ଡିଗ୍ରି ବଢ଼ିବା ବେଳେ ଆଭ୍ୟନ୍ତରୀଣ ଦକ୍ଷିଣରେ ପ୍ରାୟ ୬ ଡିଗ୍ରି ବଢ଼ିବ। ସେହିପରି ସର୍ବନିମ୍ନ ତାପମାତ୍ରା ଦକ୍ଷିଣ ଉପକୂଳରେ ୪ ଡିଗ୍ରି ବଢ଼ିବା ବେଳେ ବାକି ଅଞ୍ଚଳରେ ପ୍ରାୟ ୬ ଡିଗ୍ରି ବଢ଼ିପାରେ।

ସମ୍ବନ୍ଧିତ ଖବର