ଭୁବନେଶ୍ବର: ପୂର୍ବାହ୍‌ଣରୁ ହିଁ ଆରମ୍ଭ ହୋଇଯାଇଥିଲା ଟାଇଁ ଟାଇଁ ଖରା। ରାସ୍ତାରେ ଗଲା ବେଳକୁ ଶରୀର ଜଳିପୋଡ଼ି ଗଲା ଭଳି ଲାଗୁଥିଲା। ଚାଲି ଚାଲି ଯିବା ଦୂରର କଥା ଯିଏ ବାଇକ୍‌ରେ ବି ଯାଉଥିଲେ ମଝିରେ ମଝିରେ ଥକା ମାରି ଅଟକି ରହୁଥିଲେ। ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ସହରରେ ଆଜି ଏଭଳି ସ୍ଥିତି ଉପୁଜିଛି। ଉପରମୁହାଁ ହୋଇଥିବା ପାରଦ ପ୍ରତିଦିନ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛି। ପୂର୍ବାନୁମାନ ଅନୁଯାୟୀ ଆଜି ସାରା ରାଜ୍ୟର ତାତି ଶୀର୍ଷରେ ପହଞ୍ଚିଥିଲା। ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରି ରେକର୍ଡ ହୋଇଥିବା ବେଳେ ୯ଟି ସହରର ତାପମାତ୍ରା ୩୭ ଡିଗ୍ରି ଉପରେ ଥିଲା। କଟକ ସହରର ତାପମାତ୍ରା ୩୫ ଡିଗ୍ରି ତଳେ ରହିଥିବା ବେଳେ ଭୁବନେଶ୍ବର ସହରର ସର୍ବୋଚ୍ଚ ତାପମାତ୍ରା ପୁଣିଥରେ ୩୬ ଡିଗ୍ରି ଡେଇଁଯାଇଛି।

Advertisment

ଚିନ୍ତାର ବିଷୟ ହେଉଛି ଯେ ଅପରାହ୍ଣରେ ଦିନର ତାପମାତ୍ରା ସର୍ବୋଚ୍ଚ ସ୍ତରରେ ପହଞ୍ଚୁଛି। ଆଜି ଦିନ ୨ଟା ୩୦ ସମୟରେ ଝାରସୁଗୁଡ଼ା ତାପମାତ୍ରା ୩୭.୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ସମ୍ବଲପୁରରେ ୩୭.୬, ଭୁବନେଶ୍ୱରରେ ୩୬, ହୀରାକୁଦରେ ୩୫.୪, ରାଉରକେଲାରେ ୩୫ ଡିଗ୍ରି ରହିଥିଲା। ତେବେ ଅପରାହ୍ଣ ସାଢ଼େ ୫ଟାରେ ଦିନର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହେଲା ବେଳକୁ ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଉଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ତଥ୍ୟ ଅନୁଯାୟୀ ଆଜି ଝାରସୁଗୁଡା ବ୍ୟତୀତ ବୌଦ୍ଧରେ ୩୮.୫, ମାଲକାନଗିରିରେ ୩୮.୪, ଅନୁଗୁଳରେ ୩୭.୯, ସମ୍ବଲପୁରରେ ୩୭.୮, ପାରଳାଖେମୁଣ୍ଡିରେ ୩୭.୮, ବଲାଙ୍ଗୀରରେ ୩୭.୫, ହୀରାକୁଦରେ ୩୭.୧, ଟିଟିଲାଗଡ଼ରେ ୩୭ ଡିଗ୍ରି ରହିଥିଲା। ଭୁବନେଶ୍ୱରରେ ୩୬.୪ ଓ କଟକରେ ୩୪.୬ ଡିଗ୍ରି ରେକର୍ଡ ହୋଇଛି। 

ମାର୍ଚ୍ଚ ୫ ତଥା‌ ବୁଧବାର ମଧ୍ୟ ଆଜି ଭଳି ତାତି ଲାଗିରହିବ। ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର, ଟିଟିଲାଗଡ଼, ସମ୍ବଲପୁର, ପାରଳାଖେମୁଣ୍ଡି, ବୌଦ୍ଧ ସହରର ତାପମାତ୍ରା ୩୮ ଡିଗ୍ରି ଉପରେ ରହିପାରେ। ଭୁବନେଶ୍ବର ବ୍ୟତୀତ ଉପକୂଳର ଅନ୍ୟ ସମସ୍ତ ସହରରେ ପାରଦ ୩୫ ଡିଗ୍ରି ଭିତରେ ରହିବାର ସମ୍ଭାବନା ରହିଛି। ୫ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ। ମାର୍ଚ୍ଚ ୬ ଓ ୭ ତାରିଖରେ ସର୍ବୋଚ୍ଚ ତାପମାତ୍ରା ସାମାନ୍ୟ କମିବ ଏବଂ ୮ ତାରିଖଠାରୁ ପୁଣିଥରେ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।