ଭୁବନେଶ୍ବର: ରାଜ୍ୟରେ ଉପରମୁହାଁ ହୋଇଛି ପାରଦ। ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ଆଜି ଟିଟିଲାଗଡ଼ରେ ୩୮.୫ ଡିଗ୍ରି ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ୩୮.୨ ଓ ବଲାଙ୍ଗୀରରେ ୩୮ ଡିଗ୍ରି ରେକର୍ଡ କରାଯାଇଛି। ଏହା ସହିତ ୧୧ ସହରର ତାପମାତ୍ରା ୩୭ଡିଗ୍ରିରୁ ଅଧିକ ରହିଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆଗାମୀ ତିନି ଦିନ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବା ସମ୍ଭାବନା ରହିଛି। ସୋନପୁର ଓ ଅନୁଗୁଳରେ ୩୭.୭, ସମ୍ବଲପୁରରେ ୩୭.୬, ସୁନ୍ଦରଗଡରେ ୩୭.୫ ଭବାନୀପାଟଣାରେ ୩୭.୨, ହୀରାକୁଦରେ ୩୭.୧, ବୌଦ୍ଧ ଓ ବାରିପଦା‌ରେ ୩୭ ଡିଗ୍ରି ରେକର୍ଡ କରାଯାଇଛି। କଟକ ଓ ଭୁବନେଶ୍ବରରେ ୩୪.୨ ଡିଗ୍ରି ଲେଖାଏଁ ରେକର୍ଡ ହୋଇଛି।  

Advertisment

ଗତକାଲି ଝାରସୁଗୁଡାରେ ୩୬.୪ ଥିବା ବେଳେ ଆଜି ୩୭.୪ ଡିଗ୍ରି ରହିଥିଲା। ରାଉରକେଲାରେ ଗତକାଲି ୩୫ ଡିଗ୍ରି ଥିବା ବେଳେ ଆଜି ୩୬.୪ ଡିଗ୍ରି ରେ ପହଞ୍ଚିଥିଲା। ସେହିଭଳି ଚାନ୍ଦବାଲିରେ ଗତକାଲି ୩୩.୪ ଡିଗ୍ରି ଥିବାବେଳେ ଆଜି ୩୪.୮ ଡିଗ୍ରି ରହିଥିଲା। କେନ୍ଦୁଝରରେ ଗତକାଲି ୩୩.୨ ଡିଗ୍ରି ଓ ଆଜି ୩୪.୪ ଡିଗ୍ରି ରେକର୍ଡ କରାଯାଇଛି। ଏହି ସବୁ ଜିଲ୍ଲାରେ ଗୋଟିଏ ଦିନରେ ଗୋଟିଏ ଡିଗ୍ରିରୁ ଅଧିକ ବଢ଼ିଛି ତାପମାତ୍ରା। 

ଅନ୍ୟ ପଟେ ଚଳିତବର୍ଷ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ଗରମ ଅନୁଭୂତ ହେବା ନେଇ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆଶଙ୍କା କରିଛନ୍ତି। ତାଙ୍କ ସୂଚନା ଅନୁସାରେ ଉତ୍ତର-ପଶ୍ଚିମ ଭାରତରେ ଗରମ ସ୍ବାଭାବିକଠାରୁ ଅଧିକ ହେବ। ତେବେ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ହୋଇପାରେ। ମାର୍ଚ୍ଚ ମାସରେ ଗରମ ସ୍ବାଭାବିକଠାରୁ ଅଧିକ ହେବାର ସମ୍ଭାବନା ୪୦% ରହିଛି। ଏପ୍ରିଲ୍‌ ଓ ମେ’ରେ ତାପମାତ୍ରା ସ୍ବାଭାବିକ ରହିବା ନେଇ ଆକଳନ କରାଯାଇଛି। ତେବେ ଏପ୍ରିଲ୍‌ ମାସରେ ସ୍ବାଭାବିକଠାରୁ ଅଧିକ ବର୍ଷା ଓ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଆସନ୍ତା ୨ସପ୍ତାହ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ୧୨ ତାରିଖ ପରେ ଉପକୂଳ ଓଡ଼ିଶାରେ ଗରମ ସ୍ବାଭାବିକଠାରୁ ଅଧିକ ରହିବ।