ଆହୁରି ବଢ଼ିବ ତାତି, ୧୫ ସହରର ତାପମାତ୍ରା ୪୦ ଡିଗ୍ରି

ସୋନ୍‌ପୁର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର: ଗତକାଲି ଭଳି ଆଜି ମଧ୍ୟ ରାଜ୍ୟରେ ତାତି ଜାରି ରହିଛି। ୧୫ ସହରର ତାପମାତ୍ରା ୪୦ ଡିଗ୍ରି ରହିଥିବା ବେଳେ ସୋନ୍‌ପୁର ଆଜି ବି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ ବଜାୟ ରଖିଛି। ଆଜି ସୋନପୁରର ସର୍ବୋଚ୍ଚ ତାପମାତ୍ରା ୪୩.୫ ଡିଗ୍ରି ରେକର୍ଡ ହୋଇଥିବ‌ା ବେଳେ ପଛକୁ ୪୩ ଡିଗ୍ରି ସହ ବଲାଙ୍ଗୀର ରହିଥିଲା। ଆସନ୍ତା ୫ ଦିନ ପର୍ଯ୍ୟନ୍ତ, ଉପକୂଳ ଓଡ଼ିଶା ବ୍ୟତୀତ ଅବଶିଷ୍ଟ ଜିଲ୍ଲାରେ ପ୍ରବଳ ତାତି ଅନୁଭୂତ ହେବ। ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ଅଧିକ ରହିବ। ଏଣୁ ମଧ୍ୟାହ୍ନ ୧୨ଟାରୁ ଅପରାହ୍‌ଣ ୩ଟା ମଧ୍ୟରେ ବାହାରକୁ ନ ବାହାରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞ‌ାନ କେନ୍ଦ୍ର ପକ୍ଷରୁ ସତର୍କ କରାଇ ଦିଆଯାଇଛି।

କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରଚଣ୍ଡ ତାତି ଜାରି ରହିବା ସହ ଅପରାହ୍‌ଣରେ କିଛି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ଆସନ୍ତାକାଲି ଓ ୧୮ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ରାଜଧାନୀ ଓ ଆଖପାଖ ଅଞ୍ଚଳର ସର୍ବୋଚ୍ଚ ୩୮ ଡିଗ୍ରି ଓ ସର୍ବନିମ୍ନ ୨୬ ଡିଗ୍ରି ମଧ୍ୟରେ ତାପମାତ୍ରା ରହିବ। ଅପରାହ୍‌ଣରେ ଆକାଶ ଆଂଶିକ ମେଘୁଆ ରହିବ।

ସମ୍ବନ୍ଧିତ ଖବର