ରାଜ୍ୟରେ ପୁଣି ୪୦ ଡିଗ୍ରି ଛୁଇଁଲା ତାତି; ଆଜିଠୁ ପାଗ ଶୁଖିଲା, ୪ ଦିନରେ ୨ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ ତାତି

ଭୁବନେଶ୍ବର ଓ ବାରିପଦା@ ୪୦

ଭୁବନେଶ୍ବର : ପ୍ରାୟ ୧୫ ଦିନର ବ୍ୟବଧାନରେ ପୁଣି ଥରେ ରାଜ୍ୟ ତଥା ରାଜଧାନୀର ତାପମାତ୍ରା ୪୦ ଡିଗ୍ରି ଛୁଇଁଛି। ରବିବାର ଭୁବନେଶ୍ବର ଓ ବାରିପଦା ରାଜ୍ୟର ଉତ୍ତପ୍ତ ସହର ଭାବେ ଉଭା ହୋଇଥିବା‌ ବେଳେ ଉଭୟ ସହରର ତାପମାତ୍ରା ୪୦ ଡିଗ୍ରି ଲେଖାଏଁ ରେକର୍ଡ ହୋଇଛି। ଏଥିସହ କଟକ, ଅନୁଗୁଳ, ମାଲକାନଗିରି ଓ ବୌଦ୍ଧର ତାପମାତ୍ରା ୩୯ ଡିଗ୍ରି ଅତିକ୍ରମ କରି ୪୦ ଡିଗ୍ରି ପାଖାପାଖି ରହିଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ନଥିବାରୁ ରାଜ୍ୟର ପାରଦରେ ପ୍ରାୟ ୨ ଡିଗ୍ରି ବୃଦ୍ଧି ଘଟିବ। ଫଳରେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ ଏବଂ ଓଡ଼ିଶା ପୁଣି ଥରେ ତତଲା ତାୱାରେ ପରିଣତ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି, ଗତ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାର କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହୋଇଯାଇଛି। ଏଥିସହ ରାଜ୍ୟର ଅବଶିଷ୍ଟ ସ୍ଥାନରେ ପାଗ ଶୁଖିଲା ରହିଥିଲା। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବି ରାଜ୍ୟରେ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି। ଏବେ କାଳବୈଶାଖୀ ବର୍ଷାର ସମ୍ଭାବନା ନଥିବାରୁ ଆସନ୍ତା ୪ରୁ ୫ ଦିନରେ ରାଜ୍ୟର ତାପମାତ୍ରା ପ୍ରାୟ ୨ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଫଳରେ ପୁଣି ଥରେ ମାର୍ଚ୍ଚ ଶେଷ ଆଡ଼କୁ ରାଜ୍ୟର ତାପମାତ୍ରା ୪୧ରୁ ୪୨ ଡିଗ୍ରି ସ୍ପର୍ଶ କରିପାରେ ବୋଲି ଆଶଙ୍କା କରାଯାଉଛି।

କେନ୍ଦ୍ରର ଆକଳନ କହୁଛି, ରାଜ୍ୟରେ ଏବେ ପା‌ଗ ପ୍ରାୟତଃ ଶୁଖିଲା ରହିବ। ଗତ କିଛି ଦିନ ହେଲା ରାଜ୍ୟରେ କାଳବୈଶାଖୀ ସୃଷ୍ଟି ପାଇଁ ଅନୁକୂଳ ପରିସ୍ଥିତି ଥିଲା। ଫଳରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା‌ ଯୋଗୁଁ ପାଗ ଥଣ୍ଡା ରହୁଥିଲା ଓ ତାପମାତ୍ରା ନିୟନ୍ତ୍ରଣରେ ଥିଲା। କିନ୍ତୁ ଏବେ ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା‌ର ସମ୍ଭାବନା ନଥିବାରୁ ତାତି ମଧ୍ୟ ବଢ଼ିବ। ଗତ ୨୪ ଘଣ୍ଟାରେ ଦକ୍ଷିଣ ଉପକୂଳ ଓଡ଼ିଶା ଓ ଉତ୍ତର ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ତାପମାତ୍ରାରେ ବୃଦ୍ଧି ଦେଖାଯାଇଛି।

ସମ୍ବନ୍ଧିତ ଖବର