ପୁଣି ବଢ଼ିବ ତାତି, ସପ୍ତାହେ ନିସ୍ତାର ନାହିଁ; ଖୁବ୍‌ ଶୀଘ୍ର ୪୪ ଡିଗ୍ରି ଛୁଇଁବ ପାରଦ

ଭୁବନେଶ୍ବର : ବେଶ୍‌ କିଛି ଦିନର ବ୍ୟବଧାନରେ ରାଜ୍ୟକୁ ପୁଣି ଫେରୁଛି ତାତି। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଗରମ ବଢ଼ିବ। ଭୁବନେଶ୍ବର, ଅନୁଗୁଳ, ଢେଙ୍କାନାଳ ସହିତ ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା ସବୁଠାରୁ ଅଧିକ ଉତ୍ତପ୍ତ ‌‌ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ମତ ଦେଲେଣି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁଯାୟୀ, ଆଜି ରାଜ୍ୟର ୪ ସହର ପାରଦ ୪୦ ଡିଗ୍ରି ସ୍ପର୍ଶ କରିଛି। ଆସନ୍ତା ୩ ଦିନରେ ରାଜ୍ୟର ତାପମାତ୍ରା ଆଉ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅର୍ଥାତ କିଛି ଦିନରେ ରାଜ୍ୟର ତାପମାତ୍ରା ୪୩ରୁ ୪୪ ଡିଗ୍ରି ଛୁଇଁଯିବ। ଆଜି ରାଜ୍ୟର ସର୍ବାଧିକ ତାପମାତ୍ରା ଟିଟିଲାଗଡ଼ଠାରେ ୪୦.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ମାଲକାନଗିରି, ବାରିପଦା ଓ ଝାରସୁଗୁଡ଼ା ତାପମାତ୍ରା ୪୦ ଡିଗ୍ରି ଛୁଇଁଥିଲା। ଆସନ୍ତା ୨ ଦିନ ରାଜ୍ୟରେ କାଳବୈଶାଖୀର ସମ୍ଭାବନା ରହିଛି। ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଧା, ପୁରୀ, ଢେଙ୍କାନାଳ ଓ ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ଫଳରେ ଉକ୍ତ ଜିଲ୍ଲାଗୁଡ଼ିକ ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ୨୦ ତାରିଖ ଦିନ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, ଗଜପତି, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ‌କେନ୍ଦୁଝରରେ ମଧ୍ୟ କାଳବୈଶାଖୀର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲା ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କାଳବୈଶାଖୀ କାରଣରୁ ଉକ୍ତ ଜିଲ୍ଲାଗୁଡ଼ିକରେ ସାମୟିକ ସମୟ ପାଇଁ ତାପମାତ୍ରା କମିବ। କିନ୍ତୁ ଅନ୍ୟ ଜିଲ୍ଲାଗୁଡ଼ିକରେ ତାତି ବଢ଼ିଚାଲିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ବିଶିଷ୍ଟ ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ଆଜି ରାଜ୍ୟକୁ ପଶ୍ଚିମା ଗରମ ପବନ ସିଧା ପ୍ରବାହିତ ହୋଇ ବଙ୍ଗୋପସାଗରକୁ ବିସ୍ତୃତ ‌ହୋଇଛି। ସାମୁଦ୍ରିକ ପବନ ନିଷ୍କ୍ରିୟ ହୋଇଯାଇଛି। ଏଣୁ ଏବେ ରାଜ୍ୟରେ ପାଗ ଖରାଟିଆ ଓ ଆକାଶ ମେଘମୁକ୍ତ ରହିବ। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏହି ଅବସ୍ଥା ଜାରି ରହିବ। ଫଳରେ ସାରା ରାଜ୍ୟରେ ତାପମାତ୍ରା ବଢ଼ିବ।

ଆକଳନ କରାଯାଉଛି କି, ୧୯ ତାରିଖରେ ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୪୦ରୁ ୪୧ ଡିଗ୍ରି ରହିବ। ସେହିଦିନ କାଳବୈଶାଖୀ ସମ୍ଭାବନା ଥିବାରୁ ଏହାର ପରବର୍ତ୍ତୀ ୨ ଦିନ ପ୍ରାୟ ୧.୫ ଡିଗ୍ରି କମିପାରେ। ନଚେତ ୨୧ ତାରିଖ ପର୍ଯ୍ୟନ୍ତ ୪୦ ଡିଗ୍ରିରୁ ଅଧିକ ରହିବ। ତେବେ ୨୨ ତାରିଖରୁ ତାପମାତ୍ରା ବଢ଼ିବ। ୨୫ ତାରିଖ ପର୍ଯ୍ୟନ୍ତ ୪୧ ଡିଗ୍ରି ପାଖାପାଖି ରହିବ। ଆଭ୍ୟନ୍ତରୀଣ ଦକ୍ଷିଣରେ ୧୮ ତାରିଖରୁ ତାପମାତ୍ରା କ୍ରମଶଃ ବଢ଼ିବ। ୨୧ ତାରିଖ ସୁଦ୍ଧା ୩ରୁ ୪ ଡିଗ୍ରି ଅଧିକ ବଢ଼ିବାର ସମ୍ଭାବନା ରହିଛି। ୨୪ ତାରିଖରୁ ପୁଣି ତାପମାତ୍ରା ବଢ଼ି ୨୫ ସୁଦ୍ଧା କେତେକ ସ୍ଥାନରେ ଆ‌ଉ ୨ ଡିଗ୍ରି ବଢ଼ିପାରେ। ଫଳରେ ୨୪ରେ କେତେକ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୩ରୁ ୪୪ ଡିଗ୍ରି ହୋଇପାରେ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅପେକ୍ଷାକୃତ କମ୍‌ ବଢ଼ିପାରେ। ୧୯ ଓ ୨୦ ତାରିଖରେ ଉପକୂଳ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭବାନା ରହିଛି।

ସମ୍ବନ୍ଧିତ ଖବର