ପୁରୀ: ପହଣ୍ଡି ସମୟରେ ପ୍ରାଧିକୃତ ସେବକ ହିଁ ଉପସ୍ଥିତ ରହିବେ। ପହଣ୍ଡି ସମେତ ରଥ ଉପରେ ମହାପ୍ରଭୁ ଅବସ୍ଥାନ କରିବା ପରେ ମଧ୍ୟ ସେବା ସମ୍ପୃକ୍ତ ସେବକ ରହିବେ। ସହାୟକ ସେବକମାନେ କେବଳ ଆବଶ୍ୟକ ସମୟରେ ଠାକୁରଙ୍କ ନିକଟରେ ରହିବେ। ଏହାକୁ ଅବମାନନା କଲେ ସ୍ବତନ୍ତ୍ର ଅଧିକାରୀ ଦଳ ସେମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସ୍ନାନ ପୂର୍ଣ୍ଣିମା ଭଳି ରଥଯାତ୍ରା ପହଣ୍ଡିରେ ମଧ୍ୟ ଅତିରିକ୍ତ ସୁରକ୍ଷା ବଳୟ କରି ଶୃଙ୍ଖଳିତ ପହଣ୍ଡିକୁ ଗୁରୁତ୍ବ ଦିଆଯିବ। ରଥ ଉପରେ କେହି ସେବକ ବେଶରେ ତଥା ଛଦ୍ମ ବେଶଧାରୀ ଚିହ୍ନଟ ହେଲେ କିମ୍ବା ବିରୁଦ୍ଧାଚରଣ କଲେ ତାଙ୍କ ନାଁରେ ଏତଲା ଦିଆଯିବ। ଫୌଜଦାରୀ ମାମଲା ଦାୟର ହେବ। ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ବୈଠକରେ ଏ ସମ୍ପର୍କରେ ସ୍ପଷ୍ଟ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି, ରଥଯାତ୍ରାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପ୍ରତ୍ୟେକଟି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛୁ।

Advertisment

ବିଶେଷକରି ପହଣ୍ଡି ଶୃଙ୍ଖଳାକୁ ଗୁରୁତ୍ବ ଦିଆଯାଇଛି। ଛତିଶା ନିଯୋଗରେ ସମର୍ଥନ ମିଳିଥିବା ବ୍ୟବସ୍ଥାବଳୀ ସମ୍ପର୍କରେ ଦଇତାପତି ନିଯୋଗ ସହ ଆଲୋଚନା ହୋଇଥିଲା। ଉଚ୍ଚସ୍ତରୀୟ ପ୍ରଶାସନିକ ବୈଠକରେ ଗୃହୀତ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଦଇତାପତି ସେବକମାନଙ୍କୁ ଅବଗତ କରାଇଥିଲୁ। ପୂର୍ବ ବର୍ଷ ଆଡ଼ପ ବିଜେ ବେଳେ ଶ୍ରୀବଳଭଦ୍ରଙ୍କ ପହଣ୍ଡି ସମୟରେ ଯେଭଳି ଘଟଣା ଘଟିଲା ତା’ର ଯେପରି ପୁନରାବୃତ୍ତି ନହୁଏ ସେନେଇ ୩ ଜଣିଆ କମିଟିର ପରାମର୍ଶରେ ଆସିଥିବା ନିର୍ଦ୍ଦେଶାବଳୀକୁ ମାନିବା ପାଇଁ କୁହାଯାଇଥିଲା। ବିଶେଷକରି ପହଣ୍ଡି ସମୟରେ ପ୍ରାଧିକୃତ ସେବକଙ୍କ ବ୍ୟତିରେକ ଅନ୍ୟ କେହି ରହିବେ ନାହିଁ। ସହାୟକମାନେ ମଧ୍ୟ ସେବା ନଥିଲେ ଠାକୁରଙ୍କ ନିକଟରେ ରହିପାରିବେ ନାହିଁ। ତିନି ରଥ ପାଇଁ ବରିଷ୍ଠ ଅଧିକାରୀ ନିୟୋଜିତ ହେବେ। କୌଣସି ସେବକ ରଥ ଉପରେ ମୋବାଇଲ୍‌ ଫୋନ ବ୍ୟବହାର କରିପାରିବେ ନାହିଁ। ଛଦ୍ମବେଶରେ ତଥା ସେବକ ବେଶରେ ଯଦି କେହି ରଥ ଉପରକୁ ଚଢ଼ନ୍ତି ତେବେ ଫୌଜଦାରୀ ମାମଲା ଦାୟର କରାଯିବ। ଡ. ପାଢ଼ୀ କହିଛନ୍ତି, ନବଯୌବନ ଦର୍ଶନ ଓ ନେତ୍ର ଉତ୍ସବ ଗୋଟିଏ ଦିନରେ ପଡ଼ୁଛି। ଏଥର ଉଭା ନାହିଁ। ତେଣୁ ଶୃଙ୍ଖଳିତ ଭାବେ ନୀତିକାନ୍ତି ସମ୍ପାଦନ ସହ ଦର୍ଶନ ବ୍ୟବସ୍ଥିତ କରିବା ପାଇଁ ଦଇତାପତି ସେବକଙ୍କ ସହ ଆଲୋଚନା ହୋଇଛି। 

ରଥରେ ଛଦ୍ମ ବେଶଧାରୀ ଚିହ୍ନଟ ହେଲେ ଫୌଜଦାରୀ ମାମଲା: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଦଇତାପତି ନିଯୋଗ ସହ ମନ୍ଦିର ପ୍ରଶାସନ ବୈଠକ

ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି, ଆମ ନିଯୋଗ ତରଫରୁ ପହଣ୍ଡିରେ ନିୟୋଜିତ ସେବକଙ୍କ ତାଲିକା କରିସାରିଛୁ। ବରିଷ୍ଠ ଓ ଯୁବକମାନେ କିଏ କେଉଁ ଦଳରେ ରହିବେ ଖସଡ଼ା ପ୍ରସ୍ତୁତ କରିଛୁ। ମୋବାଇଲ୍‌ ପ୍ରବେଶ କଟକଣା ସହ ଅଣସେବାୟତ ପ୍ରବେଶ ନହେବା ଉପରେ ଗୁରୁତ୍ବ ଦେବୁ। ଯୁବ ଦଇତାପତି ସେବକ ଅମିତ ଦାସମହାପାତ୍ର କହିଛନ୍ତି, ଦଇତାପତି ସେବକଙ୍କ ସଂଖ୍ୟା ୧୯୦ରୁ ଅଧିକ। ମାତ୍ର ୧୫୦ ଜଣ ପହଣ୍ଡିରେ ସାମିଲ ହେବେ। ଗୋଟି ପହଣ୍ଡି ଥିବାରୁ ଦଇତାପତି ସେବକଙ୍କୁ ଚାରି ଦଳରେ ବିଭାଜନ କରାଯାଇଛି। ପହଣ୍ଡି ବେଳେ ଅତିରିକ୍ତ ସୁରକ୍ଷା ବଳୟ ସହ ଶୃଙ୍ଖଳିତ ପହଣ୍ଡିକୁ ଗୁରୁତ୍ବ ଦିଆଯିବ। ଚାରିବାଡ଼ର ସୁଦର୍ଶନଙ୍କ ବାଡ଼ର ବାଡ଼ଗ୍ରାହୀ ନବକିଶୋର ପତି ମହାପାତ୍ର, ଶ୍ରୀବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସମହପାତ୍ର, ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର, ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର, ଦଇତାପତି ନିଯୋଗ ସଭାପତି ଗଣେଶ ଦାସ ମହାପାତ୍ର, ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ତତ୍ତ୍ବାବଧାନରେ ଏହି ଗୋଷ୍ଠୀଗତ ସେବାକୁ ସୂଚାରୁ ରୂପେ ସମ୍ପାଦନ ପାଇଁ ମାର୍ଗଦର୍ଶନ କରାଯାଇଛି। ବୈଷୟିକ ଦିଗ ବାବଦରେ ଆମକୁ ସଚେତନ କରାଯାଇଛି ବୋଲି ସେ କହିଛନ୍ତି।