ରାଉରକେଲା: ଫୁଟ୍ପାଥକୁ ଜବରଦଖଲ କରି ପାଚେରୀ ନିର୍ମାଣ କରିବା କୋଏଲନଗର ଜଗନ୍ନାଥ ମନ୍ଦିର କମିଟିକୁ ମହଙ୍ଗା ପଡ଼ିଛି। ଏନେଇ ଅଭିଯୋଗ ହେବାପରେ ରାଉରକେଲା ମହାନଗର ନିଗମ(ଆର୍ଏମ୍ସି) ପକ୍ଷରୁ ପାଚେରୀକୁ ଭାଙ୍ଗିଦିଆଯାଇଛି। ଗତକାଲି ଆର୍ଏମ୍ସି ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ କଡ଼ା ସୁରକ୍ଷା ବଳୟ ଭିତରେ ଅଞ୍ଚଳକୁ ଜବରଦଖଲମୁକ୍ତ କରାଯାଇଥିଲା। ୬୦ ଫୁଟ ଲମ୍ବ ଓ ୮ ଫୁଟ ଉଚ୍ଚ ପାଚେରୀକୁ ଜେସିବି ଲଗାଇ ଭାଙ୍ଗି ଦିଆଯାଇଛି।
କୋଏଲନଗର ଏ’ ବ୍ଳକ ଜଗନ୍ନାଥ ମନ୍ଦିର ସଂଲଗ୍ନ ରାସ୍ତା କଡ଼ରେ ଆର୍ଏମ୍ସି ପକ୍ଷରୁ ଫୁଟ୍ପାଥ୍ର ବିକାଶ କରାଯାଇଛି। ଜନସାଧାରଣଙ୍କ ପାଇଁ ସେଠାରେ ଟାଇଲ୍ ଖଞ୍ଜାଯାଇଥିଲା। ତେବେ କିଛି ମାସ ପୂର୍ବେ ଜଗନ୍ନାଥ ମନ୍ଦିର କମିଟି ଏହି ଫୁଟ୍ପାଥ୍କୁ ନିଜ ଅକ୍ତିଆରକୁ ନେଇଆସିଥିଲେ। ଏମିତିକି ନିଜେ ପାଚେରୀ ମଧ୍ୟ ତିଆରି କରିଦେଇଥିଲେ ଯଦ୍ବାରା ଏହି ନବ ଉଦ୍ଘାଟିତ ଫୁଟ୍ପାଥ୍ଟି ପାଚେରୀ ଭିତରେ ରହିଯାଇଥିଲା। ପାଚେରୀ ନିର୍ମାଣ ଆରମ୍ଭ ହେବା ଦିନଠାରୁ ସ୍ଥାନୀୟ ଲୋକ ଏହାକୁ ତୀବ୍ର ବିରୋଧ କରିଥିଲେ। ଏମିତିକି ଆର୍ଏମ୍ସି, ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ମଧ୍ୟ ହୋଇଥିଲେ। ତେବେ ସେତେବେଳେ କୌଣସି ଅଦୃଶ୍ୟ କାରଣରୁ ଆର୍ଏମ୍ସି ହାତବାନ୍ଧି ଚୁପ୍ ବସିଥିଲା। ତେବେ ନିର୍ମାଣ ସରିବା ସହ ଠିକାଦାର ସବୁ ଟଙ୍କା ପାଇବାପରେ ହିଁ ଉଚ୍ଛେଦ କରାଯାଇଛି। ଏଭଳି ବିଳମ୍ବରେ ଉଚ୍ଛେଦ କରାଯିବା ପଛରେ ଭିନ୍ନ କାରଣ ଲୁଚି ରହିଥିବା ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/84157d0a-ba48-4495-a408-ced5b80bc24e.jpg)